ଓଡ଼ିଶାରେ ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ପ୍ରଚେଷ୍ଟା: ମଧ୍ୟରାତ୍ରରେ ଭୁବନେଶ୍ବରରୁ ଏସ୍‌ସିବିକୁ ଆସିଲା କିଡ୍‌ନୀ

- ବିଶେଷଜ୍ଞ ଡାକ୍ତରୀଦଳଙ୍କ ୭ ଘଣ୍ଟାର କସରତ - ମୃତ କିଡ୍‌ନୀ ଦାତ୍ରୀ ପ୍ରିୟଙ୍କାଙ୍କ ଘର ଦିଗପହଣ୍ଡି - ସଡ଼କ ଦୁର୍ଘଟଣାରେ ହୋଇଥିଲେ ଗୁରୁତର ଆହତ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବିଏମସିଏଚ୍‌) ଇତିହାସରେ ସୋମବାର ବିଳମ୍ବିତ ରାତି ଯୋଡ଼ିଛି ଆଧୁନିକ ଚିକିତ୍ସାର ଆଉ ଏକ ନୂଆଫର୍ଦ୍ଦ। ଓଡ଼ିଶାରେ ତଥା ଏସ୍‍ସିବିରେ ପ୍ରଥମଥର ଲାଗି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍‌ ପାଇଁ ପ୍ରଚେଷ୍ଟା କରାଯାଇଛି। କିଡ୍‌ନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଞ୍ଚାଇବାକୁ ଏସ୍‌ସିବିର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ସୋମବାର ମଧ୍ୟରାତିରେ କରିଛନ୍ତି ଦୀର୍ଘ ୭ ଘଣ୍ଟାର ଅଭିଯାନ। ଏଥିପାଇଁ ରାତି ୧୧ଟାରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରାଯାଇ ସଦ୍ୟ ମୃତ ଘୋଷିତ ଜଣେ ଯୁବତୀଙ୍କ କିଡ୍‌ନୀକୁ ଭୁବନେଶ୍ବରର ଆପୋଲୋ ହସ୍ପଟାଲରୁ ଅଣାଯାଇଥିଲା। ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କ ଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟଜଣଙ୍କ ଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ। ଏଥିପାଇଁ ପ୍ରଥମେ କାଡାଭେରିକ ଡୋନର୍‌ଙ୍କୁ ଚିହ୍ନଟ କରାଯାଇଥିଲା। ତା’ ପରେ ତାଙ୍କର ଆନୁସଙ୍ଗିକ ପରୀକ୍ଷା ନିରୀକ୍ଷା ମଧ୍ୟ ହୋଇଥିଲା।

ସୂଚନା ଅନୁସାରେ, ଗତ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର(୨୨) ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ରାତିରେ ଆପୋଲୋ ଡାକ୍ତରୀ ଦଳ ପ୍ରିୟଙ୍କାଙ୍କ ବ୍ରେନ୍‌ ଡେଡ୍‌ (ମସ୍ତିଷ୍କ ମୃତ) ହୋଇଥିବା ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ। ଝିଅର ମୃତ ସୂଚନା ପରେ ପରିବାର ଲୋକେ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ। କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କା କିଡ୍‌ନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲର ଏକ ଡାକ୍ତରୀଦଳ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ କାଢ଼ି ମେଡିକାଲକୁ ଆଣିଥିଲେ। ବିଳମ୍ବିତ ରାତି ସୁଦ୍ଧା ଏହି କିଡ୍‌ନୀ ଏଠାରେ ଚିକିତ୍ସିତ ହେଉଥିବା ପୁରୁଷ ରୋଗୀଜଣଙ୍କ ଶରୀରରେ ପ୍ରତିରୋପଣ କରିବାକୁ ସବୁପ୍ରକାର ପ୍ରସ୍ତୁତି କରାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିକଟରେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କଟକ ବଡ଼ ମେଡିକାଲକୁ ନୋଡାଲ କେନ୍ଦ୍ର କରାଯାଇଛି। ତାହାକୁ ଏସସିବି କର୍ତ୍ତୃପକ୍ଷ ଏବେ କାର୍ଯ୍ୟରେ ପରିଣତ କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅନୁମତି ପରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ଏସସିବିରେ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରି ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲ ଯାଇଥିଲେ। ସେଠାରେ ଆପୋଲୋ ଡାକ୍ତରୀ ଟିମ୍‌ ସହାୟତାରେ ମୃତ ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ କଢ଼ାଯାଇଥିଲା। ତାହାକୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବି ଆଣିବା ଲାଗି କଟକ-ଭୁବନେଶ୍ବର ଜାତୀୟ ରାଜପଥକୁ ମୁକ୍ତଗମନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସାଧାରଣତଃ ଜଣେ ବ୍ୟକ୍ତିର କିଡ୍‌ନୀ କଢ଼ାଯିବା ପରେ ତାହା ୫ ଘଣ୍ଟା ଭିତରେ ହିଁ ଅନ୍ୟଜଣକ ଶରୀରରେ ପ୍ରତିରୋପଣ କରାଯାଇଥାଏ। କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିରେ ଜଣେ ମୃତ ବ୍ୟକ୍ତିଙ୍କଠାରୁ କିଡ୍‌ନୀ(ବୃକକ୍), ଲିଭର (ଯକୃତ), ହାର୍ଟ (ହୃତ୍‌ପିଣ୍ଡ), ଲଙ୍ଗ୍‌ସ (ଫୁସ୍‌ଫୁସ୍‌), ଆଇ (ଚକ୍ଷୁ), ପାନ୍‌କ୍ରିୟା (ଅଗ୍ନ୍ୟାଶୟ) ଆଦି ୬ଟି ଅଙ୍ଗର ପ୍ରତିରୋପଣ କରାଯାଇଥାଏ। ଏସସିବିରେ କେବଳ କିଡ୍‌ନୀ ପ୍ରତିରୋପଣ ବ୍ୟବସ୍ଥା ରହିଛି। ଏଠାରେ ସଂପର୍କୀୟ ତଥା ଜୀବନ୍ତ ବ୍ୟକ୍ତିଙ୍କଠାରୁ କିଡ୍‌ନୀ ପ୍ରତିରୋପଣ କରାଯାଉଥିବାବେଳେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କରାଯିବା ପ୍ରଥମ ଘଟଣା।

ପ୍ରକାଶଥାଉକି, ସୁରତରେ ଓଡ଼ିଆ ଯୁବକ ସୁରଜ ସେଠୀଙ୍କ ଦୁର୍ଘଟଣାରେ ମୃତ୍ୟୁଘଟିବା ପରେ ତାଙ୍କ ପରିବାର ଲୋକେ ଅଙ୍ଗପ୍ରତ୍ୟଙ୍ଗ ଦାନ ଲାଗି ଆଗ୍ରହ ଦେଖାଇଥିଲେ। ଫଳରେ ୭ ଜଣଙ୍କ ଜୀବନ ବଞ୍ଚିପାରିଥିଲା। ଓଡ଼ିଶା ସରକାର ସୁରଜଙ୍କ ପରିବାରକୁ ଏଭଳି ମହନୀୟ କାର୍ଯ୍ୟ ଲାଗି ୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଓ ପରିବାରକୁ ବିଜୁ କୁଡ଼ିଆ ଯୋଜନାରେ ସାମିଲ କରିଥିଲେ। ଏଥିସହିତ ପ୍ରତ୍ୟେକ ବର୍ଷ ସୁରଜଙ୍କ ନାମରେ ଅଙ୍ଗଦାନ ପ୍ରୋତ୍ସାହନ ପାଇଁ ପୁରସ୍କାର ଦେବାକୁ ଘୋଷଣା କରିଥିଲେ।

Comments are closed.