ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୧୦ ଆହତ

0

କଲକାତା : ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲା ଗୋବିନ୍ଦପୁର ବାଇପାସ ନିକଟରେ ଥିବା ଏକ ବାଣ କାରଖାନାରେ ରବିବାର ଅପରାହ୍ଣରେ ୩ଟି ବିସ୍ଫୋରଣ ଘଟି ଅନ୍ୟୁନ୍‍ ୧୦ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‍ ଜଣେ କର୍ମଚାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବାଣ କାରଖାନା ମାଲିକ ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଦମକଳ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ନିୟନ୍ତ୍ରଣ କରିଛନ୍ତି। ଦୁର୍ଘଟଣାରେ ବହୁ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ନଷ୍ଟ ସମ୍ପତ୍ତିର ସଠିକ୍‍ ମୂଲ୍ୟ ଆକଳନ ହୋଇପାରିନାହିଁ। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‍ ଜାରି ରଖିଛି। ବାଣ କାରଖାନାରେ କିଭଳି ନିଅାଁ ଲାଗିଲା ତାହା ଜଣାପଡିନାହିଁ। ଉତ୍ସବ ଋତୁରେ ଆତସବାଜିର ଚାହିଦାକୁ ଦେଖି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବାଣ ପ୍ରସ୍ତୁତି କାରଖାନାମାନ ସକ୍ରିୟ ହୋଇ ଉଠିଛନ୍ତି। କେତେକ ସ୍ଥାନରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ସେପଟେ ଲାଇସେନ୍ସ ପ୍ରାପ୍ତ କାରଖାନାଗୁଡ଼ିକ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ଫଳରେ ଏଭଳି ଦୁର୍ଘଟଣାମାନ ଘଟୁଛି ବୋଲି ଅଭିଯୋଗ ହୋଇଛି।

Leave A Reply