କରୋନା ମୁକାବିଲାରେ ନିୟୋଜିତ ୩୩୮ ଦମକଳ କେନ୍ଦ୍ର, ବିଶୁଦ୍ଧିକରଣ ହୋଇଛି ୪୭,୧୦୩ଟି ସ୍ଥାନ

ଭୁବନେଶ୍ୱର: ମହାମାରୀ କୋଭିଡ୍‍-୧୯କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍‍, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ବିଶୁଦ୍ଧିକରଣ କାର୍ଯ୍ୟ କରାଯାଉଛି। ଚଳିତ ମାସ ୨୦ ଜୁଲାଇ ସୁଦ୍ଧା ୩୩୮ଟି ଦମକଳ କେନ୍ଦ୍ରର କର୍ମଚାରୀ ୧ଲକ୍ଷ ଲିଟରୁ ଅଧିକ ସୋଡ଼ିୟମ୍‍ ହାଇପୋ କ୍ଲୋରାଇଟ୍‍ ସହିତ ଆବଶ୍ୟକ ଅନୁପାତରେ ପାଣି ମିଶ୍ରିତ ଦ୍ରବଣକୁ ସିଞ୍ଚନ କରି ୪୭,୧୦୩ଟି ସ୍ଥାନକୁ ବହୁବାର ବିଶୁଦ୍ଧିକରଣ କରିଛନ୍ତି। ଅଧିକନ୍ତୁ, ଗୁରୁତ୍ୱ ବହନ କରୁଥିବା ସ୍ଥାନଗୁଡ଼ିକ ଯଥା-କୋଭିଡ୍‍ କେୟାର୍‍ ହସ୍ପିଟାଲ୍‍, କୋଭିଡ୍‍ ଟେଷ୍ଟିଙ୍ଗ୍‍ ସେଣ୍ଟର ଏବଂ କୋଭିଡ୍‍ କେୟାର୍‍ ସେଣ୍ଟରଗୁଡ଼ିକର ବିଶେଷ ବିଶୁଦ୍ଧିକରଣ ଅଭିଯାନ ୨୦/୦୭/୨୦୨୦ରୁ ଆରମ୍ଭ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ତାଲିକା ଅନୁଯାୟୀ ଏହି କାର୍ଯ୍ୟ ପ୍ରତିଦିନ କରାଯିବା ନିମନ୍ତେ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଗ୍ନିଶମ ସଂସ୍ଥାର ମହାନିର୍ଦେଶକ ଡ.ସତ୍ୟଜିତ୍‍ ମହାନ୍ତି କହିଛନ୍ତି ଯେ ମହାମାରୀ କୋଭିଡ୍‍-୧୯ର ନିରାକରଣ ନିମିତ୍ତ ହୋଇଥିବା ଅଭିଯାନରେ ରାଜ୍ୟର ସମସ୍ତ ୩୫ଟି କୋଭିଡ୍‍ ହସ୍ପିଟାଲ୍‍, ୨୨ଟି କୋଭିଡ୍‍ ଟେଷ୍ଟିଙ୍ଗ ସେଣ୍ଟର ଏବଂ ୧୬ଟି କୋଭିଡ୍‍ କେୟାର୍‍ ସେଣ୍ଟରର ବିଶୁଦ୍ଧିକରଣ କାର୍ଯ୍ୟ କରାଯାଇଛି।

Comments are closed.