ମା’ପାଟଣେଶ୍ୱରୀଙ୍କ ପ୍ରତିମାରେ ନିଆଁ – ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବଲାଙ୍ଗିର: ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଙ୍ଗିର ଜିଲାର ଇଷ୍ଟଦେବୀ ହେଉଛନ୍ତି ମା’ ପାଟଣେଶ୍ୱରୀ। ହେଲେ ଏହାରି ଭିତରେ ମନ୍ଦିରରେ ବିଭ୍ରାଟ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଗତ ୧୦ ତାରିଖ ମଙ୍ଗଳବାର ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଅଭିଯୋଗ ହୋଇଥିଲା। ଧୀରେ ଧୀରେ ଏହି ଘଟଣା ସାମ୍ନାକୁ ଆସି ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଥମେ ଭାଇରାଲ ହେବା ପରେ ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଘଟଣା କେମିତି ଘଟିଲା ଖୋଜି ବାହାର କରିବାକୁ ଭକ୍ତମାନେ ଦାବି କରିଛନ୍ତି। ଘଟଣାକୁ ଦୀର୍ଘ ୩ ଦିନ ବିତିଯାଇଥିବା ବେଳେ ଶୁକ୍ରବାର ବଲାଙ୍ଗିର ଉପ-ଜିଲାପାଳ ସଂଜୟ କୁମାର ମିଶ୍ର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ଘଟିଥିବା ରାତିରେ ନୀତି କାର୍ଯ୍ୟ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଏ ନେଇ ମନ୍ଦିରର ମୁଖ୍ୟ ପୂଜକ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଦେବୋତ୍ତର ବିଭାଗ ମ୍ୟାନେଜର ସୁଧୀର ଦାଶ ଘଟଣା ସମ୍ପର୍କରେ ଉପ-ଜିଲାପାଳଙ୍କୁ ଅବଗତ କରେଇବା ପରେ ଘଟଣାଟି ସତ୍ୟାସତ୍ୟ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ଅଘଟଣ ପରେ ମା’ଙ୍କ ପୁନଃ ପ୍ରାଣ ପ୍ରତିଷ୍ଠା କରି ଦେବୀଙ୍କୁ ପୂଜା କରିବା ସହ ନୀତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଭକ୍ତମାନେ ଦାବି କରିଛନ୍ତି।

ବିଭାଗୀୟ ଅଧିକାରୀଙ୍କ ଠାରୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ମା’ପାଟଣେଶ୍ୱରୀଙ୍କ ମୁହଁରେ ଘିଅ ଓ ସିନ୍ଦୁର ଲେପ ଦେଇ ପୂଜା କରାଯାଇଥାଏ। ତେଣୁ ଗର୍ଭଗୃହରେ ବହୁତ ସତର୍କତାର ସହ ପୂଜାପାଠ କରାଯାଇଥାଏ। ସେ ଦିନ କୁଆଡେ ପୂଜକଙ୍କ ଅସାବଧାନତା ଯୋଗୁଁ ଦୀପରୁ ନିଆଁ ଲଗାଯାଇଥିବା ଅନୁମାନ କରାଯାଉଛି। ପୂର୍ବରୁ କେବେ ଏଭଳି ଘଟଣା ଘଟିନଥିବା ବେଳେ ଏହାକୁ ଲୋକେ ଜିଲା ପାଇଁ ଅଶୁଭ ସଙ୍କେତ ବୋଲି ଆଲୋଚନା କରୁଛନ୍ତି। ମା’ଙ୍କୁ ଶାନ୍ତି କରିବା ପାଇଁ ଯାହା କିଛି ନୀତି ବ୍ୟବସ୍ଥା ରହିଛି ସେହି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଦାବି କରିଛନ୍ତି।

Comments are closed.