କତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୪୫ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷତି

ପିପିଲି: ପୁରୀ ଜିଲା ସାତସଙ୍ଖ ସ୍ଥିତ ଦୁଇ ମହଲା ବିଶିଷ୍ଟ ଜ୍ୟୋତି କଏର ଓ ନାସ୍ନାଲ୍ କଏର ନାମକ ଦୁଇଟି କତା ଇଣ୍ଡଷ୍ଟିରେ ଗତ ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରୁ ଧୂଆଁ ବାହାରୁଥିବାର ପଡୋଶୀଙ୍କ ଠାରୁ ଖବର ପାଇ ତୃତୀୟ ମହଲାରେ ରହୁଥିବା ମାଲିକଙ୍କ ପରିବାର ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ସାକ୍ଷୀଗୋପାଳ ଓ ପିପିଲିରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ସକାଳୁ ପୁରୀ ସର୍କଲର ସହକାରୀ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ଘଟଣା ସ୍ଥଳରେ ପହଂଚି ଥିବା ବେଳେ ପୁରୀରୁ ଦମକଳ ବାହିନୀ ମଧ୍ଯ ସେଠାରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।

କିନ୍ତୁ ସେହି ଫ୍ୟାକ୍ଟ୍ରି ଦୁଇଟିର ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ହୋଇଥିବାରୁ ନିଆଁ ଲିଭା କାର୍ଯ୍ୟରେ ବିଶେଷ ଅସୁବିଧା ସୃଷ୍ଟି ହେଉଥିବା ସୂଚନା ମିଳିଛି। ଦ୍ଵିତୀୟ ମହଲାରେ କତା ତିଆରି ସାମଗ୍ରୀ ରହିଥିବା ବେଳେ ତାହା ପ୍ରବଳ ମାତ୍ରାରେ ଜଳୁଥିବା ସୂଚନା ମିଳିଛି। ଆବଶ୍ୟକ ହେଲେ ଘରର କାନ୍ଥ ଭାଙ୍ଗିବାକୁ ପଡିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି l ଫ୍ୟାକ୍ଟ୍ରି ଦୁଇଟିରେ ଆବଶ୍ୟକ ସଂଖ୍ୟକ ଝରକା ନଥିବାରୁ ଅଗ୍ନିଶମ କର୍ମଚାରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର କତା ପାରୁ, ପାପୋଛ, ରଶି, ଖରିକା ସମେତ ୧୫ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ଯନ୍ତ୍ରାଂଶ କ୍ଷତି ହୋଇଥିବା ଫ୍ୟାକ୍ଟ୍ରି ମାଲିକ ଜ୍ୟୋତି ରଞ୍ଜନ ପାତ୍ର ଓ ବିରେନ୍ଦ୍ର ମୋହନ ପାତ୍ର ସୂଚନା ଦେଇଛନ୍ତି।

Comments are closed.