ଅହମ୍ମଦାବାଦ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ; ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଅହମ୍ମଦାବାଦ/ଯାଜପୁର ସଦର : ଗୁଜରାତର ଅହମ୍ମଦାବାଦ ନିକଟ ଓଧାବସ୍ଥିତ ଏକ ପୋଷାକ କାରଖାନା ‘ଲୋଟସ୍‌ ଲେବଲ୍‌ ଇଣ୍ଡଷ୍ଟ୍ରି’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଶ୍ରମିକଙ୍କ ପ୍ରାଣହାନି ଘଟିଥିବାବେଳେ ସମସ୍ତେ ଓଡ଼ିଶାର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ମୃତ ଶ୍ରମିକମାନେ ହେଉଛନ୍ତି ଯାଜପୁର ସଦର ଅନ୍ତର୍ଗତ ଜମଧର ରେକାଳି ବଜାରର ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପୁଅ ଦୟାନିଧି ଖୁଣ୍ଟିଆ (୩୩), ଶୁକଦେବ ଖୁଣ୍ଟିଆଙ୍କ ପୁଅ ଚିନ୍ମୟ ଖୁଣ୍ଟିଆ (୨୫) ଓ ଅଶୋକ କୁମାର ସିଂହଙ୍କ ପୁଅ କାମେଶ ସିଂହ (୨୩)। ମୃତ ତିନି ଶ୍ରମିକ କାରଖାନା ପରିସରରେ ଅବସ୍ଥାନ କରୁଥିଲେ। ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଏହା ଦ୍ବିତୀୟ ମହଲାକୁ ବ୍ୟାପିଥିଲା। ଏହି ମହଲାରେ ଥିବା ଘରେ ଶ୍ରମିକମାନେ ରହୁଥିଲେ। ଘରେ ଝରକା ନ ଥିବାରୁ ବାଷ୍ପରୁଦ୍ଧ ହୋଇ ଶ୍ରମିକମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଶନିବାର ସନ୍ଧ୍ୟାରେ କାରଖାନାର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଖାନାରେ ପୋଷାକରେ ଲଗାଯାଉଥିବା
ଲେବଲ ବା ପ୍ରତୀକ ତିଆରି ହେଉଥିଲା। କାରଖାନା ଓଧାବ ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଥିବାରୁ ତୁରନ୍ତ ଏହାର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାୟ ୧୫ଟି ଗାଡ଼ି ଏଥିରେ ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଚଳିତ ମାସ ୮ ତାରିଖରେ ନନ୍ଦନ ଡେନିମ ଲିମିଟେଡ ନାମକ ଏକ କପଡ଼ା କାରଖାନାରେ ଅଗ୍ନିକାଣ୍ଡ ଘଟି ୬ଜଣ ପ୍ରାଣ ହରାଇଥିଲେ।

Comments are closed.