ବାଣ କାରଖାନା ସହ ୭ ଜଣ ଜଳିଗଲେ

0

ବଦାୟୁଁ : ଉତ୍ତରପ୍ରଦେଶ ବଦାୟୁ ଜିଲା ସିଭିଲ ଲାଇନ୍ସ ଥାନା ଅଧୀନ ରସୁଲପୁର ଗ୍ରାମ ନିକଟରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ଅନେକ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।
ସୂଚନା ଅନୁସାରେ ସିଭିଲ ଲାଇନ୍ସ ଥାନା ଅଧୀନ ନରୋତ୍ତମପୁର ନିବାସୀ ସଞ୍ଜୁ ନାମକ ବ୍ୟକ୍ତି ଏହି ବାଣ କାରଖାନା ଚଲାଇଥିଲେ। ବାଣ କାରଖାନା ପାଇଁ କୌଣସି ପ୍ରକାର ଲାଇସେନ୍ସ ବା ଅନୁମତି ନିଆଯାଇନଥିଲା। ଏହା ସମ୍ପୂର୍ଣ୍ଣ ରୂପେ ବାଆଇନ୍‍ ବାଣ କାରଖାନା ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ ଦୀପାବଳୀକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ ପ୍ରବଳ ମାତ୍ରାରେ ବାଣ ତିଆରି କରାଯାଉଛି। ଏହି କ୍ରମରେ ସଞ୍ଜୁଙ୍କ କାରଖାନାରେ ଶୁକ୍ରବାର ବାଣ ତିଆରି ଚାଲିଥିବାବେଳେ ହଠାତ୍‍ ନିଅାଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପରେ ବାଣରେ ବିସ୍ଫୋରଣ ଘଟି କାରଖାନାର ଟିଣ ଛାତଟି ସମ୍ପୂର୍ଣ୍ଣ ରୂପେ ଉଡ଼ି ଯାଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଆଖପାଖ ଅଞ୍ଚଳରେ ବୋଲି କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଓ ପୁଲିସ୍‍କୁ ଖବର ଦେଇଥିଲେ। ଅଗ୍ନିଶମ ବାହନୀ ଓ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply