ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ; ୧୮ମୃତ, ୧୭ ନିଖୋଜ

ପୁଣେ: ମହାରାଷ୍ଟ୍ରର ପୁଣେଠାରୁ ପ୍ରାୟ ୪୦ କିମି ଦୂର ଏକ ରାସାୟନିକ ସାମଗ୍ରୀ ଉତ୍ପାଦନ କରାଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡରେ ୧୮ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଆହୁରି ପ୍ରାୟ ୧୭ କର୍ମଚାରୀ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରି ନାହିଁ। ଦୁର୍ଘଟଣା ସ୍ଥଳରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ପ୍ରକାଶ। ଅଗ୍ନିକାଣ୍ଡ ସମୟରେ କାରଖାନାରେ ୩୭ କର୍ମଚାରୀ ଥିଲେ। ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଏଥିରେ ୬ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ଲାଷ୍ଟିକ୍‌ ସମାଗ୍ରୀ ପ୍ୟାକେଟ ହେଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଅଗ୍ନିକାର୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ପୁଣେ ଜିଲା ମୁଲସି ତହସିଲର ପିରାଙ୍ଗଟ ଏମ୍‌ଆଇଡିସି ଶିଳ୍ପାଞ୍ଚଳରେ ଥିବା ଏସ୍‌ଭିଏସ୍‌ ଆକ୍ବା ଟେକ୍‌ନୋଲଜିଜ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଖାନାରେ ବାୟୁ, ଜଳ ଓ ଚଟାଣ ବିଶୋଧନ ପାଇଁ ବ୍ୟବହୃତ ରାସାୟନିକ ସମାଗ୍ରୀ କ୍ଲୋରିିନ୍‌ ଡାଇଅକ୍‌ସାଇଡ୍‌ ପ୍ରସ୍ତୁତ ହୋଇଥାଏ। କାରଖାନାର ପ୍ୟାକେଜିଂ ବିଭାଗରେ ବିପୁଳ ପ୍ଳାଷ୍ଟିକ ସାମଗ୍ରୀ ମହଜୁଦ ଥିବାରୁ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା ବୋଲି ସ୍ଥାନୀୟ ପୁଲିସ ଅଧୀକ୍ଷକ ଅଭିନବ ଦେଶମୁଖ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣା ନେଇ ଚିନ୍ତାବ୍ୟକ୍ତ କରିବା ସହ ମୃତକଙ୍କ ପିଛା ୨ଲକ୍ଷର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Comments are closed.