୯୫ % ମହାବିଦ୍ୟାଳୟ , ବିଶ୍ବବିଦ୍ୟାଳୟରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା

ଭୁବନେଶ୍ବର:ରାଜ୍ୟରେ ହାତଗଣତି କେତୋଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଛାଡ଼ି ଦେଲେ ୯୫ % ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ପୂର୍ବରୁ ଏକାଧିକ ଶିକ୍ଷାନୁଷ୍ଠାନରେ ଅଗ୍ନିକାଣ୍ଡ ପରେ ସରକାରୀ ସ୍ତରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଓ ଶିକ୍ଷାନୁଷ୍ଠାନ ପ୍ରାୟ ଦୁଇ ବର୍ଷ ପୂର୍ବେ ଏ ଦିଗରେ ପଦକ୍ଷେପ ଆରମ୍ଭ କରିଥିଲେ। ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଉ ନଥିବାବେଳେ କୌଣସି ମାର୍ଗଦର୍ଶିକା ଜାରି କରାଯାଇନି। କରୋନା ସଂକ୍ରମଣ କମିବା ପରେ ଏବେ ପାଠପଢା ସ୍ବାଭାବିକ ହୋଇଛି।
ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ଦିନରେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଗ୍ନିକାଣ୍ଡ ଘଟିଥିବାର ନଜିର ରହିଛି। ବିଭାଗ ପକ୍ଷରୁ କୌଣସି ମାର୍ଗଦର୍ଶିକା ଦିଆଯାଇ ନ ଥିବାବେଳେ ଶିକ୍ଷାନୁଷ୍ଠାନ ଯାଞ୍ଚ କରାଯାଉନି। ପୂର୍ବରୁ ରେଭେନ୍ସା,ଓୟୁଏଟି ଓ ଉତ୍କଳ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଅଗ୍ନିକାଣ୍ଡ ଘଟିଛି। ଏଯାବତ୍‌ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପନ୍ନ ହୋଇପାରିନି। ପ୍ରାୟ ୯୫ % ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଅଗ୍ନି ନିର୍ବାପକ ନଥି ସରକାରୀ ନାଲି ଫିତା ତଳେ ଥିବାବେଳେ ଯାଞ୍ଚ ହେଉ ନଥିବାରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି।

ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀନିବାସରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇ ନ ଥିଲେ। ପୂର୍ବରୁ ସିଣ୍ଡିକେଟ୍‌ ହଲରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ୨୦୧୯ରେ ସୁରଟଠା‌େ‌ର ମେ’ ମାସରେ ଏକ ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ବିଦ୍ୟାର୍ଥୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା ବଢିଥିଲା।
ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ବରରେ ଥିବା କିଛି ଘରୋଇ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ସରକାରୀ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ଅଗ୍ନିଶମ ବିଭାଗ ଯାଞ୍ଚ କରିନାହିଁ। ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଏଯାବତ୍‌ ଅଗ୍ନିଶମ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇନି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ନେଇ ଗୃହ ବିଭାଗକୁ ଅବଗତ କରାଯାଇଥିଲା। ଶିକ୍ଷାନୁଷ୍ଠାନରେ ଅର୍ଥ ଅଭାବ ଓ କିଛି ସ୍ଥାନରେ ଅଟ୍ଟାଳିକା ପୁରୁଣା ହୋଇଥିବାରୁ ଅଗ୍ନି ନର୍ବାପକ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଶିକ୍ଷାନୁଷ୍ଠାନର ମୁଖ୍ୟମାନେ କହିଛନ୍ତି।
କିଛି ଶିକ୍ଷାନୁଷ୍ଠାନରେ ଅଳ୍ପ କେତେକ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି। ୯୫ ପ୍ରତିଶତ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ବିଭିନ୍ନ କୁଳପତି ସମ୍ମିଳନୀ, ଏକାଡେମୀ ଅଡିଟ୍‌ ଓ ଉଚ୍ଚସ୍ତରୀୟ ବୈଠକରେ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଏହାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁନାହାନ୍ତି। କେବେ ଶତପ୍ରତିଶତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ହେବ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।

Comments are closed.