ବାରୁଦ ଗଦାର ଗାଁ ନଳବଣ୍ଟାରୁ ୭୦ ଲକ୍ଷର ଆତସବାଜି ଜବତ

ଆସିକା : ମହାମାରୀ କରୋନାରୁ ଲୋକଙ୍କୁ ନିସ୍ତାର ଦେବାକୁ ରାଜ୍ୟ ସରକାର ଚଳିତ ବର୍ଷ ଦୀପାବଳିରେ ଆତସବାଜି ବିକ୍ରି ଉପରେ ରୋକ ଲଗାଇଛନ୍ତି। ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଆଜି ଆସିକା ପୁଲିସ ବାରୁଦ ଗଦାର ଗାଁ ନଳବଣ୍ଟାରେ ଅତର୍କିତ ଚଢଉ କରି ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ କିସମର ଆତସବାଜି ଜବତ କରିଛନ୍ତି। ଗ୍ରାମରେ ରହିଥିବା ଏକାଧିକ ହାତ ତିଆରି ଆତସବାଜି କାରଖାନା ଉପରେ ପୁଲିସ ଚଢଉ କରିଥିଲା। ଆଇପିଏସ ଜି.ରାଘଭେନ୍ଦ୍ର ଗୁଣ୍ଡାଲା, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ, ତହସିଲଦାର ସଦାନନ୍ଦ ସେଠୀଙ୍କ ତତ୍ତ୍ବାବଧାନରେ ଚଢଉ କରାଯାଇଥିଲା। ସେଠାରୁ ୮ଟି ମିନି ଟ୍ରକରେ ଆତସବାଜି ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଆତସବାଜି ପ୍ରସ୍ତୁତି ପାଇଁ ବ୍ୟବହୃତ କଞ୍ଚାମାଲ ତାଳପତ୍ର, ନାଇଟ୍ରିସ ଅକ୍ସାସାଇଡ, ସଲଫର ଡାଇଅକ୍ସସାଇଡ, କାର୍ବନ ମନୋକ୍ସାଇଡ, ଗନ ପାଉଡର, କୋଇଲା ଗୁଣ୍ଡ ଆଦି ରହିଛି। ଏହାସହିତ ବିକ୍ରି ପାଇଁ ଗଚ୍ଛିତ ଥିବା ତାଳ ଫୋଟକା, ବୋମା, କୁମ୍ପି, ଫୁଲଝରି, ଚକ୍ରି, ମଥାପି, ଆକାଶ ଦୀପ ଏବଂ ଅଧି ଶଦ୍ଦ କରୁରୁଥିବା ବୋମା ଜବତ ହୋଇଛି। ଚଢଉ ବେଳେ ପୁଲିସ ନଳବଣ୍ଟା ଗ୍ରାମର ତିନିଜଣ ଆତସବାଜି ବ୍ୟବସାୟୀ ଲବ ବେହେରା, ଜିତୁ ପ୍ରଧାନ ଓ ରଞ୍ଜନ ପ୍ରଧାନଙ୍କୁ ଗିରଫ କରିଛନ୍ତି। ଅନ୍ୟ ୧୨ ଜଣ ବ୍ୟବସାୟୀ କୌଶଳକ୍ରମେ ଖସି ପଳାଇଛନ୍ତି। ଚଢଉ ବେଳେ ଗ୍ରାମରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ପ୍ରକାଶ ଥାଉକି ନଳବଣ୍ଟା ଗ୍ରାମର ଅଧିକାଂଶ ପରିବାର ଆତସବାଜି ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ବର୍ଷ ବର୍ଷର ଧରି ଗ୍ରାମର ଅଧିକାଂଶ ପରିବାରର ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଏହି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନଳବଣ୍ଟାରୁ ପ୍ରସ୍ତୁତ ଆତସବାଜିର ବେଶ ଚାହିଦା ରହିଛି। ଏଠାରୁ ପ୍ରସ୍ତୁତ ଆତସବାଜି ଜିଲା ଓ ଜିଲା ବାହାରକୁ ପଠାଯାଇଥାଏ। ପୂର୍ବରୁ ଗ୍ରାମର ବିଶିଷ୍ଟ ବ୍ୟବସାୟୀମାନେ ଜିଲାପାଳଙ୍କ ଠାରୁ ଲାଇସେନ୍ସ ପାଇ ଆତସବାଜି ପ୍ରସ୍ତୁତ କରୁଥିଲେ। କିନ୍ତୁ ବେଆଇନ ଭାବେ ଶହ ଶହ ଗ୍ରାମବାସୀ ଆତସବାଜି ପ୍ରସ୍ତୁତ କରି ଆସୁଛନ୍ତି।

Comments are closed.