ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୬ଟି ଦୋକାନ, ୨ କୋଟିର କ୍ଷୟକ୍ଷତି

କାନପୁର : କାନପୁରର ମନ୍ଧନା ଅଞ୍ଚଳରେ ରବିବାର ସକାଳେ ସର୍ଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଭୟଙ୍କର ଅଗ୍ନିକାଣ୍ଡରେ ୬ଟି ଦୋକାନ ଜଳିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଦୁଇ କୋଟିରୁ ଅଧିକ ସମ୍ପତ୍ତି ଜଳି ପୋଡି ଛାରଖାର ହୋଇ ଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡ ରବିବାର ସକାଳ ପ୍ରାୟ ୫ଟା ରେ ଘଟିଥିଲା। ପ୍ରଥମେ ସର୍ଟ ସର୍କିଟ ଯୋଗୁଁ ନିଆଁ​‌ ଗୋଟିଏ ଦୋକାନରେ ଲାଗିଥିଲା। ପରେ ଚାହୁଁ ଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରି ଅନ୍ୟ ଦୋକାନକୁ ମଧ୍ୟ ବ୍ୟାପି ଯାଇଥିଲା। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ଦୋକନ ମାଲିକ ସେଠାରେ ପହଞ୍ଚିଲା ପରେ ମନ୍ଧନା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ଦେବାର ପ୍ରାୟ ଦେଢ ଘଣ୍ଟା ପରେ ଶିବରାଜପୁରର ଏକ ଛୋଟ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ସକାଳ ପ୍ରାୟ ୭ଟା ବେଳେ ଅଗ୍ନିଶମ ବିଭାଗର ଗୋଟିଏ ବଡ ଗାଡି ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ନିଆଁ ଭୟଙ୍କର ରୂପ ଧାରଣ କରି ୬ଟି ଦୋକାନକୁ ଜାଳି ସାରିଥିଲା। ପରେ ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ସାଢେ ୯ଟା ବେଳେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ବିଳମ୍ବରେ ଦମକଳ ବାହିନୀ ପହଞ୍ଚିବାରୁ କ୍ଷୟକ୍ଷତି ଅଧିକ ମାତ୍ରାରେ ହୋଇଛି ବୋଲି ଦୋକନ ମାଲିକ ଅଭିଯୋଗ କରିଛନ୍ତି ।

Comments are closed.