ନ୍ୟୁୟର୍କ ଆପାର୍ଟମେଣ୍ଟରେ ନିଆଁ

ନ୍ୟୁୟର୍କ: ନ୍ୟୁୟର୍କସ୍ଥିତ ଏକ ଆପାର୍ଟମେଣ୍ଟରେ ରବିବାର ବଡଧରଣର ଅଗ୍ନିକାଣ୍ଡ ଘଟିଛି । ସେଥିରେ ୯ ଶିଶୁଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ବିଦ୍ୟୁତ ହିଟରରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଏଥିରେ ଅନ୍ୟ ୬୩ ଜଣ ପୋଡିଯାଇ ଆହତ ହୋଇଛନ୍ତି । ଏହା ଆମେରିକାର ଆବାସିକ ଆପାର୍ଟମେଣ୍ଟରେ ସବୁଠାରୁ ଦୁଃଖଦ ଘଟଣା ବୋଲି କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ପ୍ରକାଶ ଯେ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବା ପରେ ଭିତରେ ରହିଯାଇଥିବା ଲୋକମାନେ ଆର୍ତ୍ତଚିତ୍କାର କରୁଥିଲେ । ବହୁ ସଂଖ୍ୟକ ପିଲା ସେମାନଙ୍କୁ ସାହାଯ୍ୟ କରିବାକୁ ଚିତ୍କାର କରି ଲୋକଙ୍କୁ ଡାକ ପକାଉଥିଲେ । ନ୍ୟୁୟର୍କ ମେୟର ଏରିକ ଆଡାମ୍ସ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୧୯ ଜଣଙ୍କର ପ୍ରାଣହାନି ଘଟିଛି ଏବଂ ୬୩ ଜଣ ପୋଡିଯାଇ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଜଣାଯାଇଛି । ଅଗ୍ନିକାଣ୍ଡ ଖବର ପାଇବା ପରେ ୨୦୦ରୁ ଅଧିକ ନିଆଁଲିଭା ଗାଡି ସେଠାରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ମେୟରଙ୍କ କହିବା ଅନୁଯାୟୀ ଉକ୍ତ ଆପାର୍ଟମେଣ୍ଟରେ ସଂଖ୍ୟାଧିକ ମୁସଲମାନ ରହୁଥିଲେ । ସେମାନେ ଗାମ୍ବିୟାରୁ ସେଠାକୁ ଆସିଥିଲେ । ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ ନ୍ୟୁୟର୍କ ସିଟିର ବ୍ରୋଙ୍କସ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏକ ତିନିବର୍ଷର ଶିଶୁ ଗ୍ୟାସ ଷ୍ଟୋଭରେ ଖେଳୁଥିବା ସମୟରେ ସେଥିରୁ ନିଆଁ ଲାଗିଯାଇଥିଲା ।

Comments are closed.