ନିଆଁ ଜାଳିଲାଣି ହେକ୍ଟର-ହେକ୍ଟର ଜଙ୍ଗଲ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଥିବା ଘନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ନିଆଁ ଲିଭାଇବା ପାଇଁ ସାଟେଲାଇଟ ସୂଚନା ଦେଉଛି। ନିଆଁକୁ ବହୁ କଷ୍ଟରେ ବନ ବିଭାଗ ଆୟତ କରୁଥିବା ବନ ଅଧିକାରୀ କହିଛନ୍ତି। କିନ୍ତୁ ଜଙ୍ଗଲରେ କେମିତ ନିଆଁ ଲାଗୁଛି, କିଏ ନିଆଁ ଲାଗାଉଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମାତ୍ର ନିଆଁ ଲଗାଇବାର କାରଣ ସାଂଘାତିକ ବୋଲି ଅଭିଯୋଗ ହୋଇଛି। ଅନ୍ୟ କେହି ନୁହେଁ ବନ ବିଭାଗ ଅଧିନରେ ଥିବା କେନ୍ଦୁପତ୍ର ତୋଳାଳି ଏହି ନିଆଁ ଲଗାଉଥିବା ଜଣାପଡ଼ିଛି। କେନ୍ଦୁପତ୍ର ତୋଳିବା ପାଇଁ ପ୍ରାୟତଃ ବଲାଙ୍ଗୀର ଜିଲାରେ ନିଆଁ ଲଗାଇଦିଆଯାଉଥିବା ବେଳେ ଏଥିରେ ବହୁ ପରିମାଣର ଜଙ୍ଗଲ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। କେବଳ ଚଳିତ ବର୍ଷ ନୁହେଁ ଏହିଭଳି ପ୍ରତିବର୍ଷ ପ୍ରାୟ ୧୦୦ ହେକ୍ଟର ଜଙ୍ଗଲ ନିଆଁ ଝାସରେ ଆସି ନଷ୍ଟ ହେଉଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ସବୁଜ ଘନଞ୍ଚଅରଣ୍ୟରେ ପରିପୂର୍ଣ୍ଣ ରହିଥିଲା। ଜିଲାରେ ଗନ୍ଧମାର୍ଦ୍ଦନ, ମହଖଣ୍ଡ, ଛତରଦାଣ୍ଡି, ବେନ୍ଦେର, ବର୍ଣ୍ଣେଇ, ତିଖାରୀ, ମଠଖାଇ, ଗାଇଖାଇ, ବାରପାହାଡ, ରମାଇ, ପଥରଗଡ ଏହିଭଳି ଅନେକ ଜଙ୍ଗଲକୁ ନେଇ ବଲାଙ୍ଗୀର ଜିଲା ଅନ୍ୟତମ ସବୁଜ ଜିଲା ଭାବେ ପରିଚୟ ସୃଷ୍ଟି କରିଥିଲା। ଦୁଇ ଦଶନ୍ଧି ପୂର୍ବରୁ ବଲାଙ୍ଗୀର ଜିଲାର ଜଙ୍ଗଲ ପରିମାଣ ପ୍ରାୟ ୨୨ ପ୍ରତିଶତ ରହିଥିବା ବେଳେ ବିଗତ କିଛି ବର୍ଷ ହେଲା ଏହା ପ୍ରତିବର୍ଷ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ବଲାଙ୍ଗୀର ଜିଲାର ଜଙ୍ଗଲ ପରିମାଣ ପ୍ରାୟ ୧୫ ରୁ ୧୭ ପ୍ରତିଶତ ଭିତରେ ରହିଥିବା ସୂଚନା ମିଳିଛି। ପ୍ରତିବର୍ଷ ଖରା ସମୟରେ ଜଙ୍ଗଲ ମାନଙ୍କରେ ନିଆଁ ଲାଗି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଜଙ୍ଗଲ ପରିମାଣ କମିବାର ଏହା ଏକ ପ୍ରମୁଖ କାରଣ ବୋଲି ମଧ୍ୟ ପରିବେଶବିତ ମାନେ ସୂଚନା ଦେଇଛନ୍ତି। ତେବେ ପରିବେଶବିତଙ୍କ ମତରେ ଜଙ୍ଗଲରେ ନିଆଁ ଉଭୟ ପ୍ରାକୃତିକ ଓ କୁତ୍ରିମ ଭାବେ ଲାଗିଥାଏ। ବଲାଙ୍ଗୀର ଜିଲା ଜଙ୍ଗଲ ମାନଙ୍କରେ ଥିବା ଗଛ ଉପରେ ନଜର ପକାଇଲେ ଏଠାରେ ଲାଗୁଥିବା ନିଆଁ ପ୍ରାକୃତିକ ନୁହେଁ ଏହା ମଣିଷକୃତ ବୋଲି ସ୍ପଷ୍ଟ ହୋଇଥାଏ। ଗ୍ରାଉଣ୍ଡସ୍ତରରେ କାମ କରୁଥିବା କର୍ମଚାରୀ ବା ଅଧିକାରୀ ମାନଙ୍କ ଅବହେଳା ଯୋଗୁ ଜଙ୍ଗଳ ମାନଙ୍କରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ଫେଲ ମାରୁଥିବା ଅଭିଯୋଗ ହୋଇଛି। ତେବେ ବନ ବିଭାଗ ଅଧିନରେ ଥିବା କେନ୍ଦୁପତ୍ର ବିଭାଗ ଦ୍ୱାରା ହିଁ ମଣିଷକୃତ ନିଆଁ ଜଙ୍ଗଲକୁ ନଷ୍ଟ କରିଦେଉଥିବା ଅଭିଯୋଗ ହୋଇଛି। ବନ ବିଭାଗ ନିଆଁ ଲିଭାଇବା ସହିତ ନିଆଁ ଲାଗିବାର କାରଣ ଖୋଜିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Comments are closed.