ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ସର୍ବସ୍ବାନ୍ତ; ଶୀତ ଦିନରେ କିପରି କରିବେ ରାତ୍ରି ଯାପନ

ଭଦ୍ରକ: ଭଦ୍ରକ ଜିଲାର ଚରମ୍ଫା ବରାଳପୋଖରୀ ରାଉତ ସାହି ଗାଁରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ତିନି ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁଯାୟୀ, ଚରମ୍ପା ବରାଳ ପୋଖରୀ ସ୍ଥିତ ରାଉତ ସାହି ଭାନୁମତି ବାରିକଙ୍କ ଘରେ ନିଆଁ ଲାଗିଥିଲା। ମଙ୍ଗଳବାର ସକାଳେ ଭାନୁମତି ଘର କାମ କରୁଥିଲେ ଅଚାନକ ଘରେ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିଯିବା ଦେଖି ଭାନୁମତି ଅଚେତ ହୋଇ ଯାଇଥିଲେ। ଚାହୁଁ ଚାହୁଁ ତିନି ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା। ଆସବାବପତ୍ର ସାଙ୍ଗକୁ ଧାନ ଚାଉଳ ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପୂର୍ବଦିନ ବ୍ୟାଙ୍କରୁ ଉଠାଇ ଆଣି ଘରେ ରଖିଥିବା ୯୦ହଜାର ଟଙ୍କା ମଧ୍ୟ ଜଳି ପାଉଁଶ ହୋଇ ଯାଇଛି। ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ଭାନୁମତି ସର୍ବସ୍ବାନ୍ତ ହୋଇସାରିଥିଲେ। ପରେ ଚରମ୍ପାରୁ ଦମକଳ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିବିପନ୍ନ ପରିବାର ଲୋକେ ଅତି ଗରିବ ଓ ଦିନ ମଜୁରିଆ ଶୀତ ଦିନରେ କିପରି ରାତ୍ରି ଯାପନ କରିବେ ତାହାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ରଞ୍ଜନ ଜେନା ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ କିଛି ଆର୍ଥିକ ସହାୟତା ସହ ଲୁଗାପଟା ଓ ଚାଉଳ ଯୋଗାଇ ଦେଇଛନ୍ତି। ତୁରନ୍ତ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.