ଅଗ୍ନିକାଣ୍ଡରେ ୧୦ଟି ପରିବାର ସର୍ବସ୍ୱାନ୍ତ

ଚାନ୍ଦବାଲି: ବାତ୍ୟା ଫନିକୁ ୧୦ ଦିନ ନ ବିତିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଗୋଟିଏ ଗାଁର ପ୍ରାୟ ୧୦ଟି ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଫନିର ତାଣ୍ଡବ ପରେ ଲୋକେ ନିଜର ଉଜୁଡା ଘର ସଜାଡୁ ଥିବା ରବିବାର ପ୍ରାୟ ୧୨ଟା ବେଳେ ଭଦ୍ରକ ଜିଲା ଚାନ୍ଦବାଲି ଅନ୍ତର୍ଗତ ଭୂଇଁବୃତ୍ତି ପଞ୍ଚାୟତର ଧାନଖଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେହି ଗ୍ରାମର ରାମଚନ୍ଦ୍ର ମାଝିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା ପରେ ଚାହୁଁ ଚାହୁଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳେକୁ ୧୦ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଥିଲେ । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନ ଥିବା ବେଳେ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କାରଣ ବାତ୍ୟା ଫନି ପରେ ଗାଁରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଶନିବାର ସେହି ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା । ତେଣୁ ବିଦ୍ୟୁତ୍‌ ସଂଯୋଗରେ କୌଣସି ତ୍ରୁଟି ଥିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Comments are closed.