ମୁମ୍ବଇ କଂଗ୍ରେସ ସଭାପତିଙ୍କ ନାମରେ ମାମଲା ରୁଜୁ

ମୁମ୍ବଇ : ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ରବିବାର ମୁମ୍ବଇ କଂଗ୍ରେସ ସଭାପତି ମିଲିନ୍ଦ ଦେଓରାଙ୍କ ନାମରେ ଲୋକମାନ୍ୟ ତିଲକ ମାର୍ଗ ପୁଲିସ୍‍ ଥାନାରେ ମାମଲା ରୁଜୁ ହୋଇଛି।
ମୁମ୍ବଇ କଂଗ୍ରେସ ସଭାପତି ମିଲିନ୍ଦ ଦେଓରା ଜୈନ ସମ୍ପ୍ରଦାୟ ଲୋକଙ୍କୁ ନେଇ ମିଥ୍ୟା ମନ୍ତବ୍ୟ ଦେଇଥିଲେ। ଏନେଇ ଶିବସେନା ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦେଶ କ୍ରମେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ ଅପ୍ରେଲ ୪ରେ ମିଲିନ୍ଦ ଦେଓରା ମୁମ୍ବଇର ଜାଭେରୀ ବଜାରରେ ଆୟୋଜିତ ଏକ ନିର୍ବାଚନୀ ପ୍ରଚାର ସଭାରେ ଶିବସେନା ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ଜୈନ ସମ୍ପ୍ରଦାୟ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଶିବସେନା ଜୈନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ତେଣୁ ଚଳିତ ଲୋକସଭା ନିର୍ବାଚନରେ ଜୈନ ଧର୍ମୀ ଶିବସେନାକୁ ଭୋଟ ନଦେଇ ଏକ ଶିକ୍ଷା ଦିଅନ୍ତୁ। ଏନେଇ ଶିବସେନା ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

Comments are closed.