ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମାଙ୍କ ନାମରେ ମାମଲା

ଜିଲା ଅଦାଲତଙ୍କ ନିର୍ଦ୍ଦେଶ

ନବରଙ୍ଗପୁର :  ଜିଲା ଦୌରା ଜଜ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନାମରେ ନବରଙ୍ଗପୁର ଥାନାରେ କେସ ନମ୍ବର ୨୩୫/୨୨ ଧାରା ୧୪୩,୧୪୯, ଏସ ଟି/ ଏସ ସି ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ଡ଼ିଏସପି ଯୁଗଳ ମଲ୍ଲିକଙ୍କୁ ଏହିଘଟଣାର ତଦନ୍ତ ଭାର ଦିଆ ଯାଇଛି । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷି ସୂଚନା କେନ୍ଦ୍ର ଉଦ୍ଘାଟନୀ କାର୍ଯ୍ୟରେ ଯୋଗ ଦେବାକୁ ବିଜେଡି କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ । ସେହି ସମୟରେ କୃଷକଙ୍କ ସମସ୍ୟା ଓ ଦାବି ନେଇ ଭାଜପା କର୍ମକର୍ତ୍ତା ଓ କର୍ମୀ ସମେତ କୃଷକ ମାନେ ଧାରଣା ରେ ବସିଥିଲେ । ଏହି ଦୁଇ ନେତା ଅଭିଯୋଗ ଶୁଣିବା ପରିବର୍ତ୍ତେ ବିଜେଡି କର୍ମୀ ମାନଙ୍କ ସହ ଉଦ୍ଘାଟନ ପାଇଁ ଧସେଇ ପଶିଥିଲେ। ସେହିସମୟରେ ଭାଜପା କର୍ମୀ ଓ କର୍ମକର୍ତ୍ତାଙ୍କୁ ଗୋଇଠା ମାରିବା ଓ ମହିଳା ମାନଙ୍କୁ ମଧ୍ୟ ଠେଲା ପେଲା କରିଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ । ଭାଜପାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଅରୁଣ ପୂଜାରୀ, ଶର୍ମିଷ୍ଠା ଦେଓ, ବବିତା ସାହୁ, ରାମଚନ୍ଦ୍ର ଗଦବା ପ୍ରମୁଖ ସାକ୍ଷୀ ଥିବା ଅଭିଯୋଗରେ ଦର୍ଶାଇଥିଲେ। ତେବେ ଜିଲା ଅଦାଲତ ରାୟ ପରେ ଏହାକୁ ନେଇ ପୁଣି ଜିଲାରେ ଚର୍ଚା ଆରମ୍ଭ ହୋଇଛି ।

Comments are closed.