ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ଥାନାରେ ମାମଲା

ସମ୍ବଲପୁର: ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଆଜି ଏନେଇ ସମ୍ବଲପୁର ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ ତରଫରୁ ଧନୁପାଲି ଥାନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଏକ ଏତଲା ଦାୟର କରାଯାଇଛି। ଏହି ଏତଲା ଦାୟର ସମୟରେ ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିସ୍ତ୍ରୀ, ସଂପାଦକଙ୍କ ସମେତ ବରିଷ୍ଠ ଓକିଲମାନେ ଉପସ୍ଥିତ ରହିଥିଲେ।

ଧନୁପାଲି ଥାନାରେ ଦିଆଯାଇଥିବା ଏତାଲାରେ ଦର୍ଶାଯାଇଛି ଯେ, ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାବିଦ୍ୟାଳୟ ଉନ୍ନତିକରଣ ପାଇଁ ଗଚ୍ଛିତ ଥିବା ୬୨ ଲକ୍ଷ ୭୦ ହଜାର ଟଙ୍କାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ସବୁ ନିୟମକୁ ଜଳାଞ୍ଜଳି ଦେଇ ଚଞ୍ଚକତା କରି ଆଇନ ମହାବିଦ୍ୟାଳୟର ଆକାଉଣ୍ଟରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆକାଉଣ୍ଟରେ ଜମା କରିଛନ୍ତି । ଏଣୁ ଏହି ଘଟଣାରେ ଦୋଷୀ କୁଳପତିଙ୍କ ସମେତ ତାଙ୍କର ଏହି ବେନିୟମ କାମରେ ସହଯୋଗ କରିଥିବା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ତେବେ ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.