ନାଟୋ ସଦସ୍ୟ ହେବେ ଫିନଲାଣ୍ଡ ଓ ସ୍ୱିଡେନ

ଷ୍ଟକହୋମ/କିଭ୍‍: ନାଟୋ ଗୋଷ୍ଠୀର ସଦସ୍ୟ ହେବାକୁ ଫିନଲାଣ୍ଡ ଏବଂ ସ୍ୱିଡେନ ବିଧିବଦ୍ଧ ଭାବରେ ଆବେଦନ କରିଛନ୍ତି। ଦୁଇ ରାଷ୍ଟ୍ରର ସଂସଦରେ ଏ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହେବାପରେ ବିଶ୍ୱର ସର୍ବବୃହତ ସାମରିକ ମେଣ୍ଟରେ ସାମିଲ ହେବାକୁ ଦୁଇ ରାଷ୍ଟ୍ର ପକ୍ଷରୁ ଆବେଦନ କରାଯାଇଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରିପ୍ରେକ୍ଷୀରେ ସୁରକ୍ଷାଗତ କାରଣ ପାଇଁ ଏହି ଦୁଇରାଷ୍ଟ୍ର ନାଟୋରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାରିଉପୋଲର ଆଜଭୋସ୍ତଲ ଇସ୍ପାତ କାରଖାନାରେ ଦୀର୍ଘଦିନ ରହିବା ପରେ ପ୍ରାୟ ୧ହଜାର ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ସୈନ୍ୟଙ୍କର କଲ୍ୟାଣ ଓ ନିରାପତ୍ତାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ସୈନ୍ୟଙ୍କୁ ପ୍ରତ୍ୟର୍ପଣ କରାଯିବା ସମ୍ପର୍କରେ ରୁଷ ସଂସଦରେ ଏକ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି। ତେବେ ୟୁକ୍ରେନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରୁଥିବା ରୁଷର ଜଣେ ସାଂସଦ ୟୁକ୍ରେନର ଏହି ସୈନ୍ୟଙ୍କୁ ଫାଶୀ ଦେବା ସମ୍ପର୍କରେ ବିଚାର କରାଯିବା ଉଚିତ ବୋଲି କହିବା ପରେ ତାହାକୁ ନେଇ ୟୁକ୍ରେନ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ମାରିଉପୋଲର ଏହି ସୈନ୍ୟଙ୍କ ଆତ୍ମସମର୍ପଣ ସହିତ ମାରିଉପୋଲରେ ରୁଷ ପକ୍ଷରୁ ଚାଲିଥିବା ଘନ ଘନ ଆକ୍ରମଣରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିସହିତ ୟୁକ୍ରେନର ଏକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଦଖଲ କରିବାର ସୁଯୋଗ ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କୁ ମିଳିଛି। ଅନ୍ୟପକ୍ଷରେ ଏହି ୟୁରୋପୀୟ ରାଷ୍ଟ୍ରସଂଘର ସାମରିକ ବାହିନୀଗୁଡିକୁ ସହାୟତା କରିବା ସକାଶେ ଇୟୁ ପକ୍ଷରୁ ଜରୁରୀ ପାଣ୍ଠି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ବୁଧବାର ଇୟୁର କାର୍ଯ୍ୟନିବାହୀ ଏହି ଉଦ୍ଦେଶ୍ୟରେ ୫୦୦ ନିୟୁତ ୟୁରୋ (୫୨୫.୭୦ ନିୟୁତ ଡଲାର)ର ଏକ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯଦ୍ଦ୍ୱାରା ୟୁରୋପୀୟ ରାଷ୍ଟ୍ରଗୁଡିକ ଅଧିକ ଅସ୍ତ୍ରଶସ୍ତ୍ର ବିକାଶ ଓ ଖରିଦ କରିପାରିବେ।

ଋୁଷ ସରକାର ଇତିମଧ୍ୟରେ ଇଟାଲିର ୨୪ ଜଣ ଏବଂ ଫ୍ରାନ୍ସର ୩୪ ଜଣ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଛନ୍ତି। ଇଟାଲି ସରକାର ତାଙ୍କ ଦେଶରେ ନିଯୁକ୍ତ ରୁଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ତାହାର ପାଲଟା ଜବାବରେ ରୁଷ ୨୪ ଜଣ ଇଟାଲି କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ଖବର ସରବରାହ ସଂସ୍ଥା ରିଆ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି କହିଛନ୍ତି, ରୁଷ ପ୍ରତିହିଂସା ପରାୟଣ ହୋଇ ଏଭଳି ପଦକ୍ଷେପ ନେଇଛି। ମସ୍କୋ ସହିତ କୂଟନୈତିକ ସମ୍ପର୍କ ଯେଭଳି ବ୍ୟାଘାତ ନହୁଏ ସେଥିପ୍ରତି ସଜାଗ ରହିବାକୁ ସେ ରୁଷକୁ ସତର୍କ କରାଇ ଦେଇଛନ୍ତି। ରୁଷ ସରକାର ମସ୍କୋସ୍ଥିତ ଫ୍ରାନ୍ସ ଦୂତାବାସରୁ ୩୪ ଜଣ କୂଟନୀତିଜ୍ଞ ଏବଂ ଦୂତାବାସ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। ଫ୍ରାନ୍ସ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ପୂର୍ବରୁ ଫ୍ରାନ୍ସ ସରକାର ତାଙ୍କ ଦେଶରୁ ୩୫ ଜଣ ରୁଷ କୂଟନୀତିଜ୍ଞ ଓ ଦୂତାବାସ କର୍ମଚାରୀଙ୍କୁ ବହିଷ୍କାର କରିଥିଲେ। ୟୁରୋପୀୟ ରାଷ୍ଟ୍ରସମୂହର ରାଜଧାନୀରୁ ଇତିମଧ୍ୟରେ ପ୍ରାୟ ୩୦୦ ରୁଷ କୂଟନୀତିଜ୍ଞ ଓ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଦିଆଯାଇଛି। ଏଥିସହିତ ରୁଷ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୟ୍ରୁକ୍ରେନରେ ନିଜ ଦଖଲକୁ ନେଇଥିବା ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଅର୍ଥ ଯୋଗାଇଦେବ। ସେଠାରେ ରୁଷ ସହିତ ସଡ଼କ ସଂଯୋଗ ବ୍ୟବସ୍ଥାର ମରାମତି କରାଯିବ। ଅନ୍ୟପକ୍ଷରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ସାମରିକ ବ୍ୟୟ ୪୦% ବୃଦ୍ଧିପାଇଥିବା ଜଣାଯାଇଛି। ରୁଷ ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ପ୍ରାଥମିକ ତଥ୍ୟ ଅନୁଯାୟୀ ଯୁଦ୍ଧକୁ ପ୍ରାୟ ତିନିମାସ ହୋଇଥିବାବେଳେ ରୁଷ ସରକାର ଜାନୁଆରୀରୁ ଏପ୍ରିଲ ମଧ୍ୟରେ ପ୍ରତିରକ୍ଷା ବାବଦରେ ପ୍ରାୟ ୧.୭ ଟ୍ରଲିଅନ ରୁବଲ (୨୬.୪ ବିଲିଅନ ଡଲାର) ଖର୍ଚ୍ଚ କରିସାରିଲେଣି, ଯାହା ରୁଷ ଜିଡିପିର ପ୍ରାୟ ୨.୬% ଏବଂ ୨୦୨୨ ବର୍ଷ ନିମନ୍ତେ ରୁଷ ପକ୍ଷରୁ କରାଯାଇଥିôବା ପ୍ରତିରକ୍ଷା ବ୍ୟୟ ଅଟକଳ ୩.୫ ଟ୍ରିଲିଅନ ରୁବଲ୍‍ର ପ୍ରାୟ ଅର୍ଦ୍ଧେକ।

Comments are closed.