କୁକୁଡ଼ା ପାଇଁ ଜୋରିମାନା!

ଏଇ ଘଟଣାଟି ହେଉଛି ଇଟାଲୀର କାଷ୍ଟ୍ରିରାଗା ଭିଦ୍ରାଦୋ ଅଞ୍ଚଳର। ୮୩ ବର୍ଷୀୟ ଅବସରପ୍ରାପ୍ତ ଆଞ୍ଜେଲୋ ବୋଲ୍‌ଟି ସ୍ଥାନୀୟ ଅଞ୍ଚଳରେ ଅନେକ ବର୍ଷ ହେଲା ରହିଆସୁଛନ୍ତି। ବାର୍ଦ୍ଧକ୍ୟ ସମୟରେ ଏକାକୀ ରହୁଥିବା ବୋଲ୍‌ଟି ସମୟ କାଟିବା ପାଇଁ ପଶୁପକ୍ଷୀ ମଧ୍ୟ ପାଳିଛନ୍ତି। ତେବେ ଏଇ ପଶୁପକ୍ଷୀଙ୍କ ଆଦର କାରଣରୁ ଯେ ସେ ମୋଟା ଅଙ୍କର ପାଉଣା ଜୋରିମାନା ଭରିବେ, ଏହା ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। କାର୍ଲିନୋ ନାମରେ ସେ ଏକ କୁକୁଡ଼ା ପାଳିଛନ୍ତି। ପାଖଆଖର ପଡ଼ିଶା ତାଙ୍କର ଏଇ କୁକୁଡ଼ା ନାମରେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ପ୍ରଥମେ କିଛିଦିନ ଆସି କାର୍ଲିନୋ କୁକୁଡ଼ାର ଗତିବିଧିକୁ ଲକ୍ଷ୍ୟ କରିଥିଲା ଓ ପରେ ବୋଲ୍‌ଟିଙ୍କୁ ଥାନାକୁ ଡକାଇ ଜୋରିମାନା ଶୀଘ୍ର ଭରିଦେବାକୁ କୁହାଯାଇଥିଲା। ବୋଲ୍‌ଟି ଏହା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବା ସହ ବିରକ୍ତି ମଧ୍ୟ ପ୍ରକାଶ କରିଛନ୍ତି। କାରଣ ପଡ଼ିଶା ଲୋକଙ୍କ ଅଭିଯୋଗ ଥିଲା, ଦୈନିକ ଭୋର୍‌ ୪.୩୦ରେ କୁକୁଡ଼ା କାର୍ଲିନୋ ରାବୁଥିଲା। ଯାହା ପାଇଁ ସେମାନଙ୍କ ନିଦ ଭାଙ୍ଗୁଥିଲା। କୁକୁଡ଼ାକୁ ଯେହେତୁ ବୋଲ୍‌ଟି ପାଳିଛନ୍ତି, ଏଣୁ ସମସ୍ତ ଦୋଷ ତାଙ୍କର। ଜୋରିମାନା ସ୍ବରୂପ ତାଙ୍କୁ ୧୪ ହଜାର ୯୭୦ ଟଙ୍କା ଦେବା ପାଇଁ ନିର୍ଦେଶ ଦିଆଯାଇଛି। ବିଚରା ବୋଲ୍‌ଟି କହିଛନ୍ତି, ସ୍ଥାନୀୟ ପ୍ରଶାସନର ଏଭଳି କୌଣସି ନିୟମ ସେ ପୂର୍ବରୁ ଜାଣିନଥିଲେ। ତେବେ ସ୍ଥାନୀୟ ମେୟର ଯୁକ୍ତି ବାଢ଼ିଛନ୍ତି ଯେ ପଡ଼ିଶା ଘରଠାରୁ ଅତିକମ୍‌ରେ ୧୦ ମିଟର ଦୂରତାରେ ହିଁ ଜଣେ ବ୍ୟକ୍ତି ପୋଷା ପକ୍ଷୀପଶୁଙ୍କୁ ରଖିପାରିବ। ବିଦେଶୀ ରାଇଜରେ ଏଭଳି ବିଚିତ୍ର ନିୟମମାନ ବେଶ୍ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାର ଦେଖାଯାଇଛି।

Comments are closed.