ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର – ଗୋଟିଏ ମଲକୁ ୫୦ ହଜାର ଫାଇନ, ଅନ୍ୟ ଜଣକ ନାମରେ ମାମଲା ରୁଜ୍ଜୁ

ସମ୍ବଲପୁର (ବିରାଜ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲା ପ୍ରଶାସନ ସୋମବାର ପୂର୍ବାହ୍ନରେ ସମସ୍ତ ମଲଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଜାରି ପରେ ତୁରନ୍ତ ଅଧିକାରୀମାନେ ସହରରେ ଥିବା ସମସ୍ତ ମଲଗୁଡିକୁ ଯାଇ ବନ୍ଦ କରିବା ପାଇଁ ନୋଟିସ ଦେବା ସହିତ ମଲଗୁଡିକ ବନ୍ଦ କରିବା ସୁନିଶ୍ଚିତ କରିଥିଲେ। କିନ୍ତୁ କିଛି ମଲ ମାଲିକମାନେ ପୂର୍ବାହ୍ନରେ ମଲଗୁଡିକୁ ବନ୍ଦ ରଖିଥିବା ବେଳେ ସନ୍ଧ୍ୟା ସମୟରୁ ସରକାରୀ ନିର୍ଦ୍ଦେଶର ଅବମାନନା କରି ପୁଣି ଖୋଲା ରଖିଥିଲେ। ଏଣୁ ଏ ନେଇ ଜିଲା ପ୍ରଶାସନକୁ ଖବର ମିଳିବା ପରେ ମହାନଗର ନିଗମ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ତରଫରୁ ବୁଢ଼ାରଜାରୁ ଅଇଁଠାପାଲୀ ରାସ୍ତାରେ ଥିବା ‘ଆନନ୍ଦ ସୁପର ବଜାର’ ଓ ‘ମମି ଆଣ୍ଡ ଡାଡି’ ମଲରେ ଚଢ଼ାଉ କରାଯାଇଥିଲା। ମଲ ଖୋଲା ଥିବାରୁ ‘ଆନନ୍ଦ ସୁପର ବଜାର’ ଉପରେ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ସେହିଭଳି ଅନ୍ୟ ଏକ ମଲ ‘ମମ୍ମି ଡାଡି’ ଉପରେ ଚଢ଼ାଉ କରାଯିବା ସମୟରେ ତାହା ମଧ୍ୟ ଖୋଲା ରହିଥିବାର ସ୍କ୍ୱାର୍ଡ ପାଇଥିଲା ବୋଲି ମହାନଗର ନିଗମ ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି। ଏଣୁ ମଲ ମାଲିକ ସଞ୍ଜୟ ରାୟଙ୍କ ନାମରେ ମହାନଗର ନିଗମ ପକ୍ଷରୁ ସରକାରୀ ନିର୍ଦ୍ଦେଶର ଅବମାନନା ଯୋଗୁଁ ଅଇଁଠାପାଲୀ ଥାନାରେ ଏଫଆଇଆର ଦିଆଯାଇଛି ବୋଲି ଅଧିକାରୀ ମହାନ୍ତି କହିଛନ୍ତି।

ତେବେ ସୋମବାର ରାତି ୧୨ଟା ସୁଦ୍ଧା ଲେଖାଯିବା ପର୍ଯ୍ୟନ୍ତ ମଲ ‘ମମ୍ମି ଡାଡି’ ”ର ମାଲିକ ‘ଙ୍କୁ ପୁଲିସ ଅଟକ ରଖିଥିବା ବେଳେ କୌଣସି ମାମଲା ରୁଜୁ ହୋଇ ନ ଥିବା’ ଅଇଁଠାପାଲୀ ଥାନାଧିକାରୀ କହିଛନ୍ତି। ସମ୍ବଲପୁରରେ ପ୍ରଶାସନ ନିର୍ଦ୍ଦେଶ ଜାରି ପରେ ଏଭଳି ଫାଇନ ଓ ମଲ ମାଲିକଙ୍କୁ ଅଟକ ରଖିଥିବା ଘଟଣା ପ୍ରଥମ ବୋଲି ଜଣାପଡିଛି। ତେବେ ଆହୁରି କିଛି ମଲ ସନ୍ଧ୍ୟା ସମୟରେ ଖୋଲା ରଖିଥିବା ବେଳେ ଚଢ଼ଉ ହେବା ଖବର ପରେ ତୁରନ୍ତ ମଲଗୁଡିକୁ ବନ୍ଦ କରି ଦିଆଯାଇଛି।

Comments are closed.