ନିଅଣ୍ଟ ସମ୍ଭାଳିବାକୁ ଋଣ ଭରସା

ସଙ୍କଟରେ ଓଡ଼ିଶା ଅର୍ଥନୀତି : ୨% ଖସିବ ଅଭିବୃଦ୍ଧି, କମିବ ୨୫% ରାଜସ୍ବ

ଭୁବନେଶ୍ବର : କୋଭିଡ଼ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଓଡ଼ିଶାର ଅର୍ଥନୀତି ଯେଉଁ ଗତିରେ ଆଗକୁ ବଢ଼ୁଥିଲା ସେଥିରେ ଅଙ୍କୁଶ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିକାଶର ଯେଉଁ ଯୋଜନା ତିଆରି କରିଥିଲେ ତାହା ନିଷ୍ଫଳ ହୋଇଛି। ଏପରିକି ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୬.୧୩ ପ୍ରତିଶତରେ ପହଞ୍ଚିବ ବୋଲି ସରକାରଙ୍କ ଆଗୁଆ ଆକଳନ ଅକାମୀ ହୋଇଯାଇଛି। ଅର୍ଥ ବିଭାଗର ନୂଆ ଆକଳନ ହେଲା ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୨୦୨୦-୨୧ରେ ପ୍ରାୟ ୨ପ୍ରତିଶତ ପର୍ଯ୍ୟନ୍ତ ଖସିଯିବ। କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜସ୍ବ ସଂଗ୍ରହ ୨୫ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଗୁଆ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଅର୍ଥନୀତିକୁ ସଜାଡ଼ିବା ଓ ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବ ସେଥିନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।
୨୦୨୦ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟିର ବଜେଟ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ କୋଭିଡ଼ ମାଡ଼ିଆସିଲା। ଇତିମଧ୍ୟରେ ଆର୍ଥିକ ବର୍ଷର ୭ମାସ ବିତିଲାଣି। ହେଲେ ରାଜ୍ୟ ରାଜସ୍ବ ସଂଗ୍ରହ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ ଟିକସ ସଂଗ୍ରହ ପୂରଣ ହୋଇନି। ଜିଏସଟି ଲାଗୁ ହେବା ପରେ ରାଜ୍ୟ ଏ ବାବଦରେ ଯେତିକି କ୍ଷତିପୂରଣ ପାଇବାକୁ ହକଦାର ସେଥିରେ ମଧ୍ୟ କୋଭିଡ଼ ବାଧକ ସାଜିଛି। ତେଣୁ ଜିଏସଟି ବାବଦ ଭରଣା କମି କମି ଯାଉଛି। ସେପଟେ କେନ୍ଦ୍ରୀୟ ଅନୁଦାନ ଓ ସହାୟତାରେ ମଧ୍ୟ କାଣ୍ଟଛାଣ୍ଟ ହେଲାଣି। ଏଭଳି ସ୍ଥିତିରେ ଅର୍ଥନୀତିକୁ ବିକାଶ ବାଟରେ ଆଗେଇ ନବା ଏବେ ମୁସ୍କିଲ ହେଲାଣି।
ପରିସ୍ଥିତି ସମ୍ଭାଳିବା ପାଇଁ ରାଜ୍ୟ ସରକାରଙ୍କ ଏକମାତ୍ର ଭରସା ହେଉଛି ଖଣିଜ ରାଜସ୍ବ ଏବଂ ବ୍ୟାଙ୍କରେ ଖର୍ଚ୍ଚ ହୋଇ ନପାରି ପଡ଼ିରହିଥିବା ବଳକା ଅର୍ଥ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଆକଳନ କରିଛି ଯେ କେନ୍ଦ୍ରୀୟ ସହାୟତା ଓ ନିଜସ୍ବ ରାଜସ୍ବ ଆଦି ଯଦି ବିଚାରକୁ ନିଆଯାଏ ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜସ୍ବ ସଂଗ୍ରହ ୨୫ପ୍ରତିଶତରୁ ଅଧିକ ଖସିଯାଇପାରେ। କୋଭିଡ଼ ଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ସଙ୍କଟ ଟାଳିବା ପାଇଁ ଖର୍ଚ୍ଚ​ରେ ବୁଝାମଣା କରାଯାଇ ପାରିବନି। ତେଣୁ ପରିସ୍ଥିତି ସମ୍ଭାଳିବା ପାଇଁ ଋଣ ହିଁ ଏକମାତ୍ର ବିକଳ୍ପ। ବିତ୍ତୀୟ ଦାୟିତ୍ବ ଓ ବଜେଟ ପରିଚାଳନା (ଏଫଆରବିଏମ) ଆଇନ ବଳରେ ଜାରି ରହିଥିବା ସର୍ତ୍ତ ଅନୁସାରେ ଆର୍ଥିକ ଶୃଙ୍ଖଳା ରଖିବାକୁ ହେଲେ ରାଜ୍ୟ ସରକାରଙ୍କୁ ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦର ୩ପ୍ରତିଶତ ଭିତରେ ସୀମିତ ରଖିବାକୁ ପଡ଼ିବ।
କୋଭିଡ଼ ପରିଚାଳନା ଏବଂ ଜନସାଧାରଣଙ୍କୁ ଜରୁରୀ ଓ ସର୍ବନିମ୍ନ ସେବା ପ୍ରଦାନ ପ୍ରକ୍ରିୟାକୁ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ପରିସ୍ଥିତି ସମ୍ଭାଳିବା ନିମନ୍ତେ ରାଜ୍ୟ ବିତ୍ତୀୟ ନିଅଣ୍ଟ ପରିମାଣ ମୋଟ ଘରୋଇ ଉତ୍ପାଦର ଅତିରିକ୍ତ ୨ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇପାରି​ବେ ବୋଲି ଅନୁମତି ଦେଇଛନ୍ତି। ଫଳସ୍ବରୂପ ରାଜ୍ୟ ସରକାର ଋଣ ପରିମାଣ ୩ପ୍ରତିଶତରୁ ୫ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ପାରିବେ। ସରକାର ଅଧିକ ଋଣ କରି ଅର୍ଥନୀତିକୁ ଚାପଗ୍ରସ୍ତ କରିବା ଅବସ୍ଥାରେ ନଥିଲେ ବି ସମାନୁପାତରେ ସରକାରଙ୍କୁ ଆର୍ଥିକ ବିକାଶ ସହିତ ସମ୍ବଳ ସଂଗ୍ରହର ଉତ୍ସ ତିଆରି କରିବାକୁ ପଡ଼ିବ।
ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ଗତ ଜୁଲାଇ ୭ରୁ ମିତବ୍ୟୟିତା ତଥା ଆର୍ଥିକ କଟକଣା ବ୍ୟବସ୍ଥା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷର ​‌େ​‌ଶଷ ପର୍ଯ୍ୟନ୍ତ ଜାରି ରହିବ। ଏହି ଦେଢ଼ବର୍ଷ ସମୟ ଭିତରେ ନୂଆ ନିର୍ମାଣ, ନିଯୁକ୍ତି ଏବଂ ଅଦରକାରୀ ଖର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ନିର୍ଦେଶ ରହିଛି। ବର୍ତ୍ତମାନ ସବୁଠୁ ସମସ୍ୟା ହେଉଛି ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା ଏବଂ ତା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା ନୂଆ ବଜେଟ ନିମନ୍ତେ ବ୍ୟୟବରାଦ ପ୍ରସ୍ତାବ ଦେବା। କାରଣ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯେଉଁସବୁ ବ୍ୟୟବରାଦ ଲାଗି ଚିଠି ଦେଇଥିଲେ ସେସବୁରେ ସିଂହଭାଗ ଅର୍ଥ କାଟି ନୂଆ ନିୟମାବଳୀ ଆଧାରରେ ବଜେଟ ପ୍ରସ୍ତୁତ କରିବାକୁ ହେବ। ତେବେ ଇତିମଧ୍ୟରେ ଅର୍ଥ ବିଭାଗ ଯୋଜନା ଓ ସଂଯୋଜନା ବିଭାଗ ସହିତ ପରାମର୍ଶ କରି ଚଳିତ ମାସରେ ଫିସକାଲ ଷ୍ଟ୍ରାଟେଜି ପେପର ଆଣିବାକୁ ଯାଉଛନ୍ତି। ଏଥିରେ କେତେ ପରିମାଣରେ କେଉଁ ସୂତ୍ରରୁ ରାଜସ୍ବ ଅାସିବ ଓ କିଭଳି ବାଟରେ ଖର୍ଚ୍ଚ ହେବ ସେସମସ୍ତ ବିଷୟରେ ତର୍ଜମା କରାଯିବା ସହିତ ରାଜ୍ୟ ଅର୍ଥନୀତି ଓ ବିତ୍ତୀୟ ବ୍ୟବସ୍ଥାରେ କିପରି ସୁଧାର ଆସିବ ସେ ବିଷୟରେ ପ୍ରସ୍ତାବ ରହିବ।
ଆର୍ଥିକ ସଙ୍କଟ ଟାଳିବା ଲାଗି ପ୍ରତିକୂଳ ପରିସ୍ଥିତିରେ ସରକାରଙ୍କ ଆଗରେ ସବୁଠୁ ବଡ଼ ଆହ୍ବାନ। ଏବେ ସର୍ବନିମ୍ନ ଖର୍ଚ୍ଚ ତୁଲାଇବା ପାଇଁ ଅର୍ଥ ବିଭାଗ ନୂଆ ନକ୍ସା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏବେ କେତେ ସଂଖ୍ୟାରେ ପଦ ଖାଲିପଡ଼ିଛି, ସର୍ବନିମ୍ନ କେତେ କର୍ମଚାରୀଙ୍କ ‌ଆବଶ୍ୟକତା ରହିଛି ସେସବୁର ତାଲିକା ପ୍ରସ୍ତୁତ ହେଉଛି। ମାନବ ସମ୍ବଳ, ବେତନ ପ୍ରଦାନ ପାଇଁ ଅର୍ଥରାଶି ଓ ଅନୁଦାନର ଆବଶ୍ୟକତା ସହିତ ସରକାରୀ ଯାନବାହନ ଉପରେ କେତେ ପର୍ଯ୍ୟନ୍ତ କଟକଣା ଜାରି କରାଯାଇପାରିବ ସେ ବିଷୟରେ ତର୍ଜମା ଚାଲିଛି।
ଆଗାମୀ ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଗତ କରିବେ। ପରବର୍ତ୍ତୀ ବିଧାନସଭା ଅଧିବେଶନ କାଳରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ ହେବ। ଇତିମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କେ. ମୀନା ସବୁ ବିଭାଗଠାରୁ ଚିଠା ପ୍ରସ୍ତାବ ମାଗିବା ପରେ ଏଥିନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଅତୀତରେ ଲକ୍ଷ୍ୟ କରାଯାଇଛି, ଅଧିକାଂଶ ବିଭାଗ ପାଇଁ ହେଉଥିବା ବ୍ୟୟବରାଦରୁ ପ୍ରଚୁର ଅର୍ଥ ବିନିଯୋଗ ନହୋଇ ପଡ଼ିରହୁଛି। ଏବେ ରାଜସ୍ବ କମିବା କାରଣରୁ ଖର୍ଚ୍ଚରେ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତିରେ ଅତିରିକ୍ତ ବଜେଟ ଓ ଆଗାମୀ ସାଧାରଣ ବଜେଟ ପାଇଁ ବ୍ୟୟବରାଦ ପ୍ରସ୍ତୁତ କରିବା ନେଇ ବିଭିନ୍ନ ବିଭାଗଗୁଡ଼ିକ ଅସୁବିଧାରେ ପଡ଼ିଯାଇଛନ୍ତି।

Comments are closed.