ଦେଶରେ କରୋନା ଖାଇଛି କେତେ ଚାକିରି? ଶ୍ରମ ମନ୍ତ୍ରଣାଳୟଠାରୁ ରିପୋର୍ଟ ଲୋଡ଼ିଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ସାରା ଦେଶ ଲଢେଇ କରୁଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିଛି। ଫଳରେ ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଏହାଦ୍ବାରା ବହୁ କର୍ମଚାରୀ ସେମାନଙ୍କ ଚାକିରି ହରାଇଥିବା ଜଣାପଡ଼ିଛି। ପ୍ରତିଦିନ ଚାକିରି ହରାଇଥିବା ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଭାରତରେ କରୋନା ମହାମାରୀ ପାଇଁ କେତେ କର୍ମଚାରୀ ଚାକିରି ହରାଇଛନ୍ତି ସେମାନଙ୍କର ଏକ ତଥ୍ୟ ପ୍ରସ୍ତୁତ କରିବାକୁ ଶ୍ରମ ମନ୍ତ୍ରଣାଳୟକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖିଛି ।

କରୋନା ସଂକଟ ଯୋଗୁ ସାରା ଦେଶରେ କେତେ କର୍ମଚାରୀ ଚାକିରି ହରାଇ ବେକାର ବସିଛନ୍ତି ସେମାନଙ୍କ ଏକ ତଥ୍ୟ ସଂଗ୍ରହ କରାଯିବା ଦରକାର। ଏଥିନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଚାକିରି ହରାଇ ଥିବା କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ନିର୍ଦେଶ ଜାରି କରିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶରେ ଉଲ୍ଲେଖ ରହିଛି ଯେ କରୋନା ମହାମାରୀ କଟକଣା ଯୋଗୁ କର୍ମଚାରୀଙ୍କୁ ଦରମା କାଟ କରାଯାଇଛି ଓ ବହୁ କର୍ମଚାରୀ ଚାକିରି ହରାଇଛନ୍ତି। ତେଣୁ ଚାକିରି ହରାଇଥିବା କର୍ମଚାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବା ଜରୁରୀ।

ସେହିପରି ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପରିଲକ୍ଷିତ ହେଉଛି। ଏହି ସମସ୍ୟା ସମାଧାନ ପାଇଁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। କରୋନା ସଂକଟ ସମୟରେ କ୍ଷୟକ୍ଷତିକୁ ଭରଣା କରିବା ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆତ୍ମନିର୍ଭରଶୀଳ ହେବା କିମ୍ବା ନିଜ ପ୍ରତିଷ୍ଠାନକୁ ଠିକ୍‌ ଭାବେ ପରିଚାଳନା ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଛି। ତେଣୁ ବ୍ୟାଙ୍କ ଗୁଡ଼ିକ ଋଣ ପ୍ରଦାନ କରି ସରକାରଙ୍କୁ ସହଯୋଗ କରିବା ଉଚିତ। ବର୍ତ୍ତମାନ ଭାରତରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ଜାରି କରାଯାଇଛି। ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜୁନ୍‌ ପହିଲାରୁ ଆରମ୍ଭ ହୋଇପାରେ। ତେବେ କରୋନା ସଂକଟରୁ ରକ୍ଷା ପାଇବା ପାଇଁ ସହଯୋଗ ଓ ସହାୟତା ପ୍ରଦାନ ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

Comments are closed.