ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ସିରିଜ୍ : ନିର୍ଣ୍ଣାୟକ ମୁକାବିଲା ଆଜି

ଅହମ୍ମଦାବାଦ୍‌  : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଶନିବାର ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ସିରିଜ୍‌ ୨-୨ରେ ବରାବର ରହିଥିବାରୁ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ନିର୍ଣ୍ଣାୟକ ମୁକାବିଲାରେ ଅବତ୍ତୀର୍ଣ୍ଣ ହେବେ। ଉଭଳ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ ପାଇଁ ପରୀକ୍ଷା ନିରୀକ୍ଷା କରୁଥିବାବେଳେ ସିରିଜ୍ ଉତ୍ଥାନ ଓ ପତନ ଦେଇ ଶେଷରେ ଚୂଡାନ୍ତ ଲଢେଇରେ ପହଞ୍ଚିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ପରେ ଦ୍ବିତୀୟ ମ୍ୟାଚରେ ଭାରତର ପ୍ରତ୍ୟାବର୍ତ୍ତନ ଓ ୩ୟ ମ୍ୟାଚରେ ଇଂଲଣ୍ଡର ବିଜୟ ପରେ ୪ର୍ଥ ମ୍ୟାଚରେ ଭାରତର ପୁନର୍ବାର ପ୍ରତ୍ୟାବର୍ତ୍ତନ ସିରିଜର ରୋମାଞ୍ଚକୁ ଅଧିକ ବଢାଇ ଦେଇଛି। ନିର୍ଣ୍ଣାୟକ ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତି ଓ ରଣନୀତି ଶେଷ କରିଛନ୍ତି।
ଟେଷ୍ଟ ସିରିଜ୍‌ ବିଜୟ ପରେ ଘରୋଇ ଭାରତ ଧଳାବଲ ସିରିଜ୍‌ ପରାଜୟରୁ ଆରମ୍ଭ କରିଥିଲା। ସିରିଜ୍‌ର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ତୃତୀୟ ମ୍ୟାଚରେ ଇଂଲଣ୍ଡ ପୁନର୍ବାର ୮ ୱିକେଟ​ରେ ବିଜୟ ସହ ୨-୧ରେ ଆଗୁଆ ରହିଥିଲା। ଉକ୍ତ ୩ ମ୍ୟାଚର ଫଳାଫଳ ଟସ୍ ଜିତିବା ଦଳ ସପକ୍ଷରେ ଯାଇଥିଲା। ଏଥିରେ ରନ୍‌ ପିଛା କରିଥିବା ଦଳ ହିଁ ବିଜୟୀ ହୋଇଥିବାବେଳେ କୌଣସି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇନଥିଲା। ପ୍ରଥମ ୩ଟି ମ୍ୟାଚ ଏକତରଫା ଭାବେ ଶେଷ ହୋଇଥିଲା। ୪ର୍ଥ ମ୍ୟାଚରେ ଭାରତ ଧାରା ଭାଙ୍ଗିବା ସହିତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଏକ ସମ୍ମାନଜନକ ରନ୍‌ କରିଥିଲେ ମଧ୍ୟ ଇଂଲଣ୍ଡ ଦୃଢତାର ସହିତ ପିଛା କରି ୮ରନରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ଯାଇଥିବାବେଳେ ସଂଘର୍ଷପୂର୍ଣ୍ଣ ମଧ୍ୟ ହୋଇଥିଲା। ସିରିଜ୍‌ ୨-୨ରେ ବରାବର ରହିଥିବାରୁ ଶନିବାର ମ୍ୟାଚ ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ବ ବହନ କରୁଛି। ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତ ଓପନିଂ ଯୋଡ଼ିକୁ ନେଇ ଚିନ୍ତାରେ ପଡ଼ିଛି। ଓପନର ଲୋକେଶ ରାହୁଲ ୪ଟି ମ୍ୟାଚରୁ ୧୫ରନ କରିଥିବାବେଳେ ଅନ୍ୟତମ ଓପନର ରୋହିତ ଶର୍ମା ୨ଟି ମ୍ୟାଚରୁ ୨୭ରନ କରିଛନ୍ତି। ପ୍ରଥମ ୩ଟି ମ୍ୟାଚରେ ରାହୁଲ ମାତ୍ର ୧ରନ କରିଥିଲେ ମଧ୍ୟ ଅଧିନାୟକ ଭରସା କରି ୪ର୍ଥ ମ୍ୟାଚରେ ଖେଳାଇଥିଲେ। ଅନ୍ତିମ ମ୍ୟାଚରେ ଭାରତ ଲୋକେଶ ରାହୁଲଙ୍କ ସ୍ଥାନରେ ଦ୍ବିତୀୟ ମ୍ୟାଚରେ ତଥା ଅନ୍ତର୍ଜାତୀୟ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିଥିବା ଇଷନ କିଷନଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୨ଟି ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର,. ଋଷଭ ପନ୍ତ୍‌ ଖେଳିବା ନିଶ୍ଚିତ। ଅଲ୍‌ରାଉଣ୍ଡର ବିଭାଗରେ ହାର୍ଦିକ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂରେ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି। ଶେଷ ମ୍ୟାଚରେ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ। ପାଣ୍ଡ୍ୟା ଖେଳିବା ନିଶ୍ଚିତ ଥିବାବେଳେ ସ୍ପିନ ବୋଲିଂ ବିଭାଗରେ ଭାରତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ହରିୟାଣା ଅଲ୍‌ରାଉଣ୍ଡର ରାହୁଲ ତିୱାତିଆ ପଦାର୍ପଣ କରିବାର ସମ୍ଭାବନା ରହିଛି। ଅନ୍ୟତମ ସ୍ପିନର ରାହୁଲ ଚହର କିମ୍ବା ଯୁଜବେନ୍ଦ୍ର ଚହଲ କାହାକୁ ଖେଳାଇବ ତାହାକୁ ନେଇ ଦଳ ଚିନ୍ତାରେ ରହିଛି। ୱାଶିଂଟନ ଶେଷ ମ୍ୟାଚରେ ମହଙ୍ଗ​‌ା ସାବ୍ୟସ୍ତ ହେବା ସହିତ ୪ ଓଭରରେ ୫୨ରନ ବ୍ୟୟ କରିଥିଲେ। ସେହିପରି ଫାଷ୍ଟ ବୋଲିଂ ବିଭାଗରେ ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ ଥିବାବେ​ଳେ ସାର୍ଦୁଳ ଠାକୁରଙ୍କ ବଦଳରେ ନବଦୀପ୍‌ ସାଇନି ଖେଳିବାର ସମ୍ଭାବାନ ରହିଛି। ଅନ୍ୟପକ୍ଷରେ ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ ଇଂଲଣ୍ଡ ମଧ୍ୟ ଅନ୍ତିମ ମ୍ୟାଚକୁ ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହକାରେ ଓହ୍ଲାଇବ। ଓପନର ଜୋସ୍‌ ବଟ୍‌ଲର , ଜାସନ ରଏ, ଡେୱିଡ ମାଲାନ , ଜନି ବେୟାରଷ୍ଟ୍ରୋ, ବେନ୍ ଷ୍ଟୋକ୍‌ସ୍‌ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବିଶ୍ବର ଏକ ନମ୍ବର ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ମାଲାନ ୪ଟି ମ୍ୟାଚରୁ ୮୦, ବଟ୍‌ଲର ୧୨୦, ଜାସନ ରୟ ୧୪୪ ଓ ବେୟାରଷ୍ଟ୍ରୋ ୧୧୯ରନ କରିଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର ୧୦ଟି, ମାର୍କ ଉଡ୍‌ ୬ଟି ଓ ଆଦିଲ ରସିଦ୍‌ ୬ଟି ୱିକେଟ ନେଇଛନ୍ତି। ସିରିଜ୍‌ରେ ପ୍ରଥମ ୩ଟି ମ୍ୟାଚରେ ଟସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ୪ର୍ଥ ମ୍ୟାଚରେ ଭାରତ ଉକ୍ତ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା। ପଛେ ବ୍ୟାଟିଂ କରୁଥିବା ଦଳ ସହଜରେ ବିଜୟୀ ହେଉଥିବାରୁ ଫାଇନାଲ ମ୍ୟାଚରେ ମଧ୍ୟ ଟସ୍‌ର ଭୂମିକା ରହିବା ନେଇ ଅନୁମାନ କରାଯାଉଛି।

Comments are closed.