ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ବର: ଓଡ଼ିଆ ଓ ତେଲୁଗୁ ଚିତ୍ର ‘ପାଟଣାଗଡ଼: ୨୩ ଫେବୃଆରୀ ୨୦୧୮ ଓଡ଼ିଶା’ ଦୁଇ ଦୁଇଟି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି। ରେଞ୍ଜ ରୟାଲ ସିନେ ଲାବ୍‌ ନିବେଦିତ, ଶ୍ରୀଧର ମାର୍ଥା ପ୍ରଯୋଜିତ ଏ ଚିତ୍ରର ନିର୍ଦେଶନା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ଦେଶକ ରାଜେଶ ଟଚରିଭର। ଚଳିତ ବର୍ଷ ଶେଷ ପର୍ଯ୍ୟାୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଏହି ଚିତ୍ରର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ।
କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଓ ଲିଫ୍ଟ ଇଣ୍ଡିଆ ଫିଲ୍ମୋତ୍ସବ-ୱାର୍ଲଡ ସିନେ ଫେଷ୍ଟ, ଲୋନାଭିଆ-୨୦୧୯ରେ ଏହି ଚିତ୍ର ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି। ଏହି ଚିତ୍ରର ସହ ପ୍ରଯୋଜନାରେ ସୁନୀତା କ୍ରିଷ୍ଣନ ଥିବାବେଳେ ବିଭିନ୍ନ ଭୂମିକାରେ ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜକ ଶ୍ରୀ ମାର୍ଥା କହିଛନ୍ତି ଦୁଇଟି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’ ପ୍ରଦର୍ଶନ ହେବା ପାଇଁ ମନୋନୀତ ହେବା ନିଶ୍ଚିତଭାବେ ଓଡ଼ିଶା ପାଇଁ ଗୌରବର ବିଷୟ। ଜଣେ ଓଡ଼ିଆ ଭାବେ ସେ ଗର୍ବିତ ବୋଲି ମତବ୍ୟକ୍ତ କରିଛନ୍ତି।

Comments are closed.