ଖୋଲିଲା ସିନେମା ହଲ୍‌ : ଆହୁରି ୬ ମାସ ସଂଘର୍ଷ

- ଇଂରାଜୀ ଚଳଚ୍ଚିତ୍ର ପାଇଁ ଆଗ୍ରହ ନାହିଁ, - ରବିବାରକୁ ଆଶା, ବଢ଼ିବେ ଦର୍ଶକ

ଭୁବନେଶ୍ୱର : ଦୀର୍ଘ ୯ ମାସ ପରେ ଖୋଲିଲା ରାଜଧାନୀର ସିନେମା ହଲ୍‌। ପ୍ରଥମ ଦିନରେ ଅଧିକାଂଶ ହଲ୍‌ ଫାଙ୍କା ରହିଥିଲା। କୋଭିଡ ଯୋଗୁଁ ଏବେ ୫୦ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗଦର୍ଶିକା ଥିବାବେଳେ ସେତିକି ବି ଦର୍ଶକ ହେଲେନି। ୫୦ ପ୍ରତିଶତରୁ ଅଧା ବି ଆସିଲେନି। ତେବେ ପ୍ରଥମ ଶୋ’ରେ ଅନ୍ୟ ଶୋ’ ଅପେକ୍ଷା ଅଧିକ ଦର୍ଶକ ହୋଇଥିଲେ। ସିନେମା ହଲ୍‌ ପରିଚାଳକଙ୍କ କହିବା ଅନୁସାରେ ଇଂରାଜୀ ଚଳଚ୍ଚିତ୍ର ଯୋଗୁଁ ଦର୍ଶକ ଆସିଲେନି। କରୋନା ଭୟ ବି ରହିଛି। ଏହାବ୍ୟତୀତ ନିକଟରେ ହିନ୍ଦୀ କିମ୍ବା ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ନାହିଁ। ଆସନ୍ତା ରବିବାର ଛୁଟି ଦିନରେ ଦର୍ଶକ ହେବେ ବୋଲି ଆଶା ରହିଛି। ଆମକୁ ଆହୁରି ୬ ମାସ ସଂଘର୍ଷ କରିବାକୁ ପଡ଼ିବ ବୋଲି କେଶରୀ ହଲ୍‌ ମାଲିକ ରବୀନ୍ଦ୍ର ବାବୁ ସୂଚନା ଦେଇଛନ୍ତି।
ମନ ମୋହିଲାନି ଇଂରାଜୀ ଚଳଚ୍ଚିତ୍ର ‘ୱଣ୍ଡର ୱିମେନ’। ଆଜି ରାଜଧାନୀରେ ଦୁଇଟି ସିନେମା ହଲ୍‌ ମହାରାଜା ଏବଂ କେଶରୀରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ବୈଷୟିକ ତ୍ରୁଟି ଯୋଗୁଁ ସ୍ତୁତି ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲା। ଶନିବାରଠାରୁ ଖୋଲିବା ପ୍ରକ୍ରିୟାରେ ଏହି ହଲ୍‌ ସାମିଲ ହେବ। ତେବେ ପ୍ରଥମ ଦିନରେ ସିନେମା ହଲ୍‌ ପକ୍ଷରୁ କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯାଇଥିଲା। ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ପରିଚାଳକ ଲିଙ୍ଗରାଜ ପଣ୍ଡା କହିଛନ୍ତି , ଯେମିତି ହେଲେ ଆମକୁ ହଲ୍‌ ଚଲେଇବାର ଅଛି। ଦର୍ଶକ ହେବେ ଏଥିରେ ଦ୍ୱିମତ ନାହିଁ କିନ୍ତୁ ଟିକେ ବିଳମ୍ବ ହେବ। ଉଭୟ ହଲ୍‌ରେ ପ୍ରଥମ ଦିନରେ ପ୍ରାୟ ୩୦୦ ଦର୍ଶକ ଚଳଚ୍ଚିତ୍ର ଦେଖିଥିବା ଜଣାପଡ଼ିଛି।

Comments are closed.