ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ : ଜାପାନକୁ ହରାଇ ଭାରତ ଚମ୍ପିଆନ

ହିରୋସୀମା (ଜାପାନ) : ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟରେ ‌ଭାରତୀୟ ଦଳ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି । ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୩-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଭାରତୀୟ ଦଳ ଚଳିତବର୍ଷ ହେବାକୁ ଥିବା ଏଫ୍‌ଆଇଏଚ୍‌ ଫାଇନାଲ୍‌ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହାପ​‌େ​‌ର ଭାରତ ଏଠାରେ ଚମ୍ପିଆନ୍ ହୋଇପାରିଛି। ଭୁବନେଶ୍ବରରେ ଆୟୋଜିତ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇ ଭାରତୀୟ ପୁରୁଷ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ପାଇଁ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ହିରୋସୀମାରେ ଆୟୋଜିତ ଏଫ୍‌ଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟ​‌େ​‌ର ଚମ୍ପିଆନ୍ ହୋଇ ଭାରତୀୟ ମହିଳା ଦଳ ସମାନ କୃତିତ୍ବ ହାସଲ କରିଛି।
ରବିବାର ଫାଇନାଲ ମ୍ୟାଚ୍ ପୂର୍ବରୁ ସମସ୍ତ ମ୍ୟାଚ୍‌ ଜିତିଥିବା ଭାରତୀୟ ମହିଳା ହକି ଦଳ ପୂରା ଆତ୍ମବିଶ୍ବାସର ସହ ଏହି ମ୍ୟାଚ୍‌ରେ ଓହ୍ଲାଇଥିଲା। ଆରମ୍ଭରୁ ଆକ୍ରମଣ କରିବାର ସୁଫଳ ଏହାକୁ ୩ୟ ମିନିଟରେ ମିିଳିଥିଲା। ଭାରତୀୟ ଦଳକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣରରୁ ଅଧିନାୟିକା ରାଣୀ ରାମପାଲ ଗୋଲ୍‌ ଦେଇଥିଲେ। ୯ମ ମିନିଟରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଏହା ଫାଉଲ ଘୋଷିତ ହୋଇଥିଲା। ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜାପାନ ଦଳ ଚାପରେ ରହିଥିଲା। ପ୍ରଥମ କ୍ବାର୍ଟରର ଶେଷ ଆଡ଼କୁ ଜାପାନ ଏକ ଗୋଲ୍‌ ସୁଝାଇ ଦେଇଥିଲା। ୟୁରି ନାଗାଇଙ୍କ ପାସ୍‌ରୁ କାନନ୍ ମୋରି ଭାରତୀୟ ଗୋଲ୍‌ପୋଷ୍ଟ ଉପରକୁ ସଟ୍ ମାରିଥିଲେ; ଯାହାକୁ ଭାରତୀୟ ଗୋଲ୍‌ରକ୍ଷକ ରୋକି ପାରିନଥିଲେ। ୨ୟ କ୍ବାର୍ଟରରେ ମଧ୍ୟ ଭାରତୀୟ ଦଳ ପ୍ରଧାନ୍ୟ ବିସ୍ତାର କରିଥିଲା। ୧୮ ମିନିଟରେ ଭାରତୀୟ ଫରୱାର୍ଡ ବନ୍ଦନା କାଟାରିୟାଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଗୋଲ୍‌ ଦେଇ ପାରିନଥିଲେ। ପରେ ବିଶ୍ବ ମାନ୍ୟତାରେ ୯ନଂ ସ୍ଥାନରେ ଥିବା ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ୍ ଓ ସୁଶୀଳା ଚାନୁ ତାଳମେଳ ସହ ଖେଳି ଜାପାନ ଗୋଲ୍‌ପୋଷ୍ଟକୁ ଚାପରେ ପକାଇଥିଲେ। ତଥାପି ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ରହିଥିଲା। ୩ୟ କ୍ବାର୍ଟରର ପ୍ରଥମ ୨ ମିନିଟରେ ଭାରତକୁ ୨ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ବ୍ୟର୍ଥ ହୋଇଥିଲା। ୪୫ ମିନିଟରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରରୁ ଗୁରଜିତ କୌର ଗୋଲ୍‌ ସ୍କୋର୍ କରିଥିଲେ। ୪ର୍ଥ କ୍ବାର୍ଟରରେ ଜାପାନ ଗୋଲ୍‌ ସୁଝାଇବାର ପ୍ରୟାସ କରିଥିଲେ ହେଁ ଭାରତୀୟ ଡିଫେଣ୍ଡର ସେମାନଙ୍କୁ ସୁଯୋଗ ଦେଇନଥିଲେ। ଶେଷ ବା ୬୦ ମିନିଟରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରରୁ ଗୁରଜିତ କୌର ଦଳ ପାଇଁ ୩ୟ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍‌ ସ୍କୋର୍ କରିଥିଲେ। ଗୁରଜିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ହୋଇଥିବା ବେଳେ ଭାରତୀୟ ଅଧିନାୟିକା ରାଣୀ ରାମପାଲ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Comments are closed.