ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ପିପିଲି ବ୍ଲକ ଘେରାଓ, ବିକ୍ଷୋଭ ସ୍ଥଳରେ ପରିବା ଫୋପାଡିବା ସହ କୁଶ ପୁତ୍ତଳିକା ଦାହ କଲେ ଆନ୍ଦୋଳନକାରୀ

ପିପିଲି:ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ସହ ଫଣି’ କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ସମେତ ୭ଦଫା ଦାବି ନେଇ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଶୁକ୍ରବାର ପିପିଲିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ କାର୍ଯ୍ୟାଳୟକୁ ଦେଢ ଘଣ୍ଟା କାଳ ଘେରାଓ କରାଯାଇଥିଲା। ଏହି ଆନ୍ଦୋଳନ ସମୟରେ ଚାଷୀମାନେ ପନିପରିବାକୁ ରାସ୍ତା ଉପରେ ଫୋପାଡି ପ୍ରତିବାଦ କରିଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।
ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ତଥା ଯୁବନେତା ରାଧାମୋହନ ଓ ମଞ୍ଚର ମୁଖ୍ୟ ସଂଯୋଜକ ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟାରେ ସ୍ଥାନୀୟ ସଙ୍କଟମୋଚନ ହନୁମାନଙ୍କ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧି ସ୍ଲୋଗାନ ଦେଇ ଚାନ୍ଦୁଆବଜାର, ଥାନାଛକ, ହାଟଛକ, ମେଡିକାଲଛକ ଦେଇ ବ୍ଳକଛକ ଠାରେ ପହଞ୍ôଚଥିଲେ। ବ୍ଲକ କାର୍ଯ୍ୟାଳୟକୁ ସେମାନେ ଘେରାଓ କରିଥିଲେ। ଯୁବନେତା ଦେବାଶିଷ ଦୀକ୍ଷିତଙ୍କ ସଭାପତିତ୍ୱରେ ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଧାମୋହନ ଓ ଜନ୍ମେଜୟ ଯୋଗଦେଇ ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍‍ ପଡିଥିବା ଅଭିଯୋଗ କରିଥିଲେ। ପିପିଲିରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ସେମାନଙ୍କ ପନିପରିବାକୁ ସାଇତି ରଖି ପାରୁନାହାନ୍ତି।

ଫଳରେ ପନିପରିବା ନଷ୍ଟ ହେବା କାରଣରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଭିନ୍ନ ପଞ୍ଚାୟତରେ ରହିଥିବା ଗୋଚର ଜମି ଏବେ ନେତା ଓ କର୍ମୀମାନେ ଦଖଲ କରିଥିବା ବେଳେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଚାନ୍ଦୁଆଗ୍ରାମ ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ପାଇଁ ହିତାଧିକାରୀଙ୍କ ଠାରୁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ସଂପର୍କରେ ରାଧାମୋହନ ଗୁରୁତର ଅଭିଯୋଗ କରିବା ସହ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଚାଷୀଙ୍କ ପାଇଁ ନିର୍ବାଚନମଣ୍ଡଳୀରେ କୌଣସି ଶୀତଳ ଭଣ୍ଡାର ନଥିବା ବେଳେ ପାଣି ପଞ୍ଚାୟତରେ ବ୍ୟାପକ ଦୁର୍ନିତୀ ଯୋଗୁଁ ଚାଷୀର ବିଲମୁଣ୍ଡରେ ପାଣି ପହଞ୍ôଚ ପାରୁନଥିବା ନେଇ ମଞ୍ଚର ମୁଖ୍ୟ ସଂଯୋଜକ ଜନ୍ମେଜୟ ଅଭିଯୋଗ କରିଥିଲେ। ଭୂମିହୀନ ଗରୀବ ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବାକୁ ସେ ଦାବି କରିଥିଲେ। ଗରୀବ ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର ପାଇବାରୁ ବଞ୍ôଚତ କରାଗଲେ ନିଷ୍ପେସିତ ଜନତାର ଶାଣିତ ସ୍ୱର ଭାବେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଏକ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଜନ୍ମେଜୟ ଚେତାବନୀ ଦେଇଥିଲେ। ପନିପରିବା ସଂରକ୍ଷଣ ପାଇଁ ପିପିଲି ଓ ଡେଲାଙ୍ଗ ବ୍ଲକରେ କୌଣସି ଶୀତଳ ଭଣ୍ଡାର ନଥିବାରୁ ଆନ୍ଦୋଳନକାରୀମାନେ ନିଜ ସାଥିରେ ଆଣିଥିବା ପନିପରିବାକୁ ସେଠାରେ ରାସ୍ତା ଉପରେ ଫୋପାଡି ପ୍ରତିବାଦ ଜଣାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପରେ ଏ ସଂପର୍କିତ ୭ଦଫା ଦାବିପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବିଡିଓ ଶୈଳବାଳା ତ୍ରିପାଠୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମଞ୍ଚର ଯୁବନେତା ଚଣ୍ଡେଶ୍ୱର ପ୍ରସାଦ ଦାସ, ସଦାଶିବ ପରିଡା, ସୁରେଶ ମହାରଣା, ଭବାନୀ ସାହୁ, ନରେନ୍ଦ୍ର ବିଶ୍ୱାଳ, ସୁକାନ୍ତ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ସାହିଦ ରାଜା, ସରୋଜ ପ୍ରଧାନ, ପ୍ରଦୀପ ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Comments are closed.