ଅଲିମ୍ପିକ୍‍ ଯୋଗ୍ୟତା ପର୍ଯ୍ୟାୟରେ ଭାରତ : ସେମିରେ ଜାପାନ ୭-୨ରେ ହାରିଲା

ଭୁବନେଶ୍ୱର  : ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍‍ ଯୋଗ୍ୟତା ପର୍ଯ୍ୟାୟ ହକି ପ୍ରତିଯୋଗିତାରେ ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି। ଭାରତକୁ ଅଲିମ୍ପିକ୍‍ ଯୋଗ୍ୟତା ପର୍ଯ୍ୟାୟ ଯୋଗ୍ୟତା ଲାଗି ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲ୍‍ସର ଫାଇନାଲକୁ ଉନ୍ନୀତ ହେବା ଏକାନ୍ତ ଆବଶ୍ୟକତା ଥିଲା। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲ୍‍ସର ଶୁକ୍ରବାର ସନ୍ଧ୍ୟାରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ୭-୨ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହେବା ସହିତ ଅଲିମ୍ପିକ୍‍ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ହାସଲ କରିଛି। ଶନିବାର ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲ୍‍ସର ଫାଇନାଲ ମ୍ୟାଚ ଖେଳାଯିବ। ମ୍ୟାଚରେ ଭାରତ କୌଣସି ମତେ ଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇଥିବାବେଳେ ଜାପାନ ବିନା ଚାପରେ ଖେଳିିଥିବା ଜାପାନ କଡା ଟକ୍କର ଦେଇଥିଲା। ଖେଳ ପ୍ରାରମ୍ଭରୁ ଭାରତର ରକ୍ଷଣପନ୍ଥୀ ଦୁର୍ବଳ ପ୍ରଦର୍ଶନ କରିଥିଲେ। ୨ୟ ମିନିଟ୍‍ରେ ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇ ଜାପାନ ଗୋଲ ଦେବାରେ ସକ୍ଷମ ହୋଇଥିଲା। କାଞ୍ଜି କିଟାଜାଟୋ ଗୋଲ ଦେଇ ଜାପାନକୁ ଆଗୁଆ କରିଥିଲେ। ୭ ମିନିଟ୍‍ରେ ଭାରତକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ପ୍ରଥମଟି ବେକାର ହୋଇଥିବା ବେଳେ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣରକୁ ହରମାନ୍‍ପ୍ରିତ୍‍ ସିଂହ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ୧୪ ମିନିଟ୍‍ରେ ଭାରତକୁ ଲଗାତାର ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ପ୍ରଥମ ଦୁଇ ପେନାଲ୍ଟି କର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ତୃତୀୟ ପେନାଲ୍ଟି କର୍ଣ୍ଣରକୁ ବରୁଣ କୁମାର ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ୨୦ ମିନିଟ୍‍ରେ ଜାପାନ ପକ୍ଷରୁ କ୍ୱାଟା ୱାଟାନ୍‍ବେ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ତେବେ ୨୩ ମିନିଟ୍‍ରେ ରଣମଦୀପ୍‍ ସିଂହ ଗୋଲ ଦେଇ ଭାରତକୁ ୩-୨ ଗୋଲରେ ଆଗୁଆ କରିଥିଲେ। ୨୫ ମିନିଟ୍‍ରେ ଭାରତ ପକ୍ଷରୁ ହାର୍ଦ୍ଧିକ ସିଂହ ଚତୁର୍ଥ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୪-୨ ଗୋଲରେ ଆଗୁଆ ରହିଥିଲା। ୩୭ ମିନିଟ୍‍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ରମଣଦୀପ୍‍ ସିଂହ ଗୋଲରେ ପରିଣତ କରି ଦଳକୁ ୫-୨ରେ ଆଗୁଆ କରିଥିଲେ। ୪୩ ମିନିଟ୍‍ରେ ଭାରତ ଆଉ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମନପ୍ରୀତ୍‍ ସିଂହଙ୍କ ସୁନ୍ଦର ପାସ୍‍କୁ ଗୁର୍‍ସାହିବ୍‍ଜିତ୍‍ ସିଂହ ଗୋଲରେ ପରିଣତ କରି ଦଳକୁ ୬-୨ରେ ଆଗୁଆ କରିଥିଲେ। ୪୭ ମିନିଟ୍‍ରେ ଭାରତ ପକ୍ଷରୁ ବିବେକ ପ୍ରସାଦ ସପ୍ତମ ଗୋଲ ସ୍କୋର କରିଥିଲେ। ଶେଷରେ ଭାରତ ମ୍ୟାଚକୁ ୭-୨ ଗୋଲରେ ଜିତିବାରେ ସକ୍ଷମ ହୋଇଛି। ମ୍ୟାଚରେ ଭାରତ ପକ୍ଷରୁ ହରମାନ୍‍ପ୍ରୀତ ସିଂହ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଅତିଥି ଭାବେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ ଯୋଗଦେଇ ଦୁଇଟି ଗୋଲ ସ୍କୋର କରିଥିବା ରମଣଦୀପ୍‍ ସିଂହଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

Comments are closed.