ଦୁର୍ନୀତି ବିରୋଧରେ ଲଢ଼ିବା ଏକ ସାମୁହିକ ଦାୟିତ୍ୱ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଶାସନ ପଦ୍ଧତି ସର୍ବଦା ସ୍ୱଚ୍ଛ, ଦାୟିତ୍ୱଶୀଳ ଓ ଉତ୍ତରଦାୟୀ ହେବା ଉଚିତ୍‍। ଲୋକମାନଙ୍କର ବିକାଶ ପାଇଁ ଶାସନ ପଦ୍ଧତିର ଏଗୁଡ଼ିକ ଅବିଚ୍ଛେଦ୍ୟ ଅଙ୍ଗ। ତିନିଦିନ ବ୍ୟାପି ସତର୍କତା ଓ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରି ମୋଦୀ କହିଛନ୍ତି, ଏଇ କିଛି ବର୍ଷ ଭିତରେ ଭାରତ ନିଜକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ଅଗ୍ରସର ହେଉଛି। ସେ କହିଛନ୍ତି, ଦୁର୍ନୀତି ହେଉ, ଅର୍ଥନୈତିକ ଅପରାଧ ହେଉ, ନିଶାଦ୍ରବ୍ୟ କାରବାର ହେଉ, କଳାଧନ କାରବାର ହେଉ କିମ୍ବା ଆତଙ୍କବାଦ ହେଉ ଅଥବା ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ହେଉ, ଏଗୁଡ଼ିକ ସବୁ ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

ସେ କହିଛନ୍ତି, ଆମକୁ ଦୁର୍ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ହେବ ଓ ଏଥିପାଇଁ ଆମକୁ ବିଭିନ୍ନ ଉପାୟ, ଫଳପ୍ରଦ ଯାଞ୍ଚ୍‍ ଓ ଦକ୍ଷତା ବୃଦ୍ଧି ତଥା ତାଲିମ୍‍ ଭଳି ପଦକ୍ଷେପମାନ ନେବାକୁ ପଡ଼ିବ। ସେ କହିଛନ୍ତି, ଦୁର୍ନୀତି ବିରୁଦ୍ଧରେ ଲଢ଼ିବା କାର୍ଯ୍ୟ କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ ଏହା ଏକ ସାମୂହିକ ଦାୟିତ୍ୱ। ଶ୍ରୀ ମୋଦୀ କହିଛନ୍ତି, ଏଥିପାଇଁ ସବୁ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ସହଯୋଗର ଭାବନା ସହ କାର୍ଯ୍ୟ କରିବାକୁ ହେବ। ଶ୍ରୀ ମୋଦୀ କହିଛନ୍ତି, ଦେଶରେ ଆଜି ଦୁର୍ନୀତି ଲୋପ ହୋଇଯାଇଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି।

ସେ କହିଛନ୍ତି, ଦେଶର ଗରିବ ଲୋକମାନଙ୍କ ପାଖରେ ଶତକଡ଼ା ୧୦୦ ଭାଗ ସହାୟତା ସିଧାଯାଇ ପହଞ୍ଚିପାରୁଛି। ଶ୍ରୀ ମୋଦୀ କହିଛନ୍ତି, ଏହି ସୁବିଧା ଯୋଗୁଁ ୧ଲକ୍ଷ ୭୦ହଜାର କୋଟି ଟଙ୍କା ବାଟମାରଣା ହେବାରୁ ରକ୍ଷା କରାଯାଇ ପାରିଛି। ଶ୍ରୀ ମୋଦୀ କହିଛନ୍ତି, ଆଜି ଦେଶର ନାଗରିକମାନଙ୍କର ସରକାରଙ୍କ ଉପରେ ଆସ୍ଥା ଅନେକ ମାତ୍ରାରେ ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ପୁରୁଣା ଆଇନ୍‍ର ଲୋପ କରାଯାଇ ସରକାରଙ୍କ ଉପରୁ ଅଯଥା ଚାପ ହ୍ରାସ କରାଯିବା ସହିତ ନାଗରିକମାନଙ୍କର ଜୀବନକୁ ଅଧିକ ସହଜ କରିବା ଲାଗି ଉଦ୍ୟମ କରାଯାଉଛି। ସେ କହିଛନ୍ତି, ଗତ କିଛି ଦଶନ୍ଧି ଧରି କିଛି ଲୋକ ଦୁର୍ନୀତି କରି ଦଣ୍ଡ ପାଉନଥିଲେ ତ ଆଉ କିଛି ଲୋକ ଅଧିକ କ୍ଷମତା ସହ ଦୁର୍ନୀତି କରୁଥିଲେ। ଏହା ଯୋଗୁଁ ରାଜ୍ୟଗୁଡ଼ିକରେ ଦୁର୍ନୀତିର ଏକ ପରମ୍ପରା ସୃଷ୍ଟି ହୋଇଯାଇଥିଲା। ଏଭଳି ଦୁର୍ନୀତି ଲାଗି ରହିବା ଯୋଗୁଁ ଦେଶ ଦରିଦ୍ର ହୋଇପଡ଼ିଥିଲା। ଦୁର୍ନୀତି ବିରୁଦ୍ଧରେ ଭାରତର ସଂଗ୍ରାମରେ ସହଯୋଗ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

Comments are closed.