ମହାମାରୀ ସହ ମହାସଂଗ୍ରାମ

ମଣିଷର ଧୀଶକ୍ତିକୁ ପରୀକ୍ଷା କରିଚାଲିଛି ପ୍ରକୃତି କାହିଁ କେଉଁ ଆଦିମ କାଳରୁ। କଷଟି ପଥରରେ ମାଜିହୋଇ ସୁନା ଝଟକିଲା ପରି ପ୍ରକୃତିର ଅଣଆୟତ୍ତ ପ୍ରାଦୁର୍ଭାବକୁ ହାତମୁଠାକୁ ଆଣି ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି ମଣିଷ।
କରୋନା ଭାଇରସ-କୋଭିଡ-୧୯ ମଣିଷକୁ ମାଧ୍ୟମ କରି ନିଜର ଜୀବନଚକ୍ର ଗଢ଼ୁଥିବା କ୍ଷୁଦ୍ରାତିକ୍ଷୁଦ୍ର ଏକ ନୂତନ ଭୂତାଣୁ (ଭାଇରସ) ଏବେ ଖେଳାଇ ଚାଲିଛି ମୃତ୍ୟୁର ବିଭିଷିକା ସାରା ବିଶ୍ବରେ।
ବିଶ୍ବ ଆଜି ମହାମାରୀ କବଳିତ। ମହାମାରୀ ଶବ୍ଦଟିର ଭୟାନକତା ମଣିଷ ପାଖରେ ସ୍ପଷ୍ଟ। ଜୀବନ ପାଇଁ ସଂଘର୍ଷ କରୁଥିବା ମଣିଷ ମହାମାରୀର ଆତଙ୍କ ଭିତରେ ବି ଅଣ୍ଟାଭିଡ଼ି ଠିଆହୁଏ ମୃତ୍ୟୁସହ ଲଢ଼ିବା ପାଇଁ। ସଂଘର୍ଷ, ମହାସଂଗ୍ରାମରେ ପରିଣତ ହୁଏ।
ଭୂତାଣୁଜନିତ ମହାମାରୀର ସମ୍ମୁଖୀନ ହୋଇଛି ମଣିଷ ବିଭିନ୍ନ ସମୟରେ। ହଜିଯାଇଛି ଅନେକ ଜୀବନ ମହାମାରୀର ପ୍ରକୋପରେ। ଉଦାହରଣ ସ୍ବରୂପ ୧୯୧୮ ମସିହାରେ ହୋଇଥିବା ଫ୍ଲୁ ମହାମାରୀ। ଇନ୍‌ଫ୍ଲୁଏନ୍‌ଜା-ଏ ଭୂତାଣୁ ଦ୍ବାରା ହୋଇଥିବା ଏହି ରୋଗରେ ମୃତ୍ୟୁ ସଂଖ୍ୟା ଥିଲା ୨୦ରୁ ୫୦ ମିଲିୟନ। ୧୯୫୬ରୁ ୧୯୫୮ ମସିହାରେ ହୋଇଥିବା ଏସିଆନ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୨ ମିଲିୟନକୁ ଛୁଇଁଥିଲା। ସେହିପରି ଇନଫ୍ଲୁଏନଞ୍ଜା ଭୂତାଣୁ ଦ୍ବାରା ୧୮୮୯ରୁ ୧୮୯୦ ଭିତରେ ହୋଇଥିବା ଏସିଆଟିକ୍‌ ଫ୍ଲୁ ବା ରୁଷିଆନ ଫ୍ଲୁରେ ଏକ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁର ହାର ସମ୍ପର୍କରେ ନିର୍ଦିଷ୍ଟ ତଥ୍ୟ ନଥିଲେ ବି ଭୂତାଣୁଜନିତ ‘ବସନ୍ତ ରୋଗ’ (ସ୍ମଲ-ପକ୍ସ)ର ଭୟାବହତା ମନେ ପଡ଼ିଲେ ଆଜି ବି ଥରି ଉଠନ୍ତି ବିଶ୍ବବାସୀ। ତେବେ ଭାରିଓଲା ଭୂତାଣୁ ଦ୍ବାରା ହେଉଥିବା ସ୍ମଲପକ୍ସ (ବସନ୍ତ) ଭଳି ଭୟଙ୍କର ସଂକ୍ରାମକ ରୋଗର ଇତିହାସ ବହୁ ପୁରାତନ। ଏପରିକି ତିନିହଜାର ବର୍ଷ ତଳର ଏକ ‘ମମ୍ମି’ରେ ବସନ୍ତ ରୋଗରେ ହେଉଥିବା ଫୋଟକାର ଚିହ୍ନ ମିଳିଛି। ଏହି ରୋଗର ଭୟାବହତା ମୋଡ଼ି ହୋଇ ରହିଥିଲା ଅନ୍ଧବିଶ୍ବାସ ସହ। ରୋଗରେ ପୀଡ଼ିତ ବ୍ୟକ୍ତି ପାଇଁ ମୃତ୍ୟୁ ଥିଲା ଅନିବାର୍ଯ୍ୟ। ଯଦି କେହି ମୃତ୍ୟୁ କବଳରୁ ବାହାରି ଆସୁଥିଲେ, ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ବସନ୍ତର ଭୟାନକ ରୂପ ରହିଯାଇଥିଲା ସାରା ଜୀବନ ପାଇଁ।
ଅଠରଶହ ଶତାବ୍ଦୀର କଥା। ୟୁରୋପ ମହାଦେଶରେ ଯେତେବେଳେ ସ୍ମଲପକ୍ସ (ବସନ୍ତ) ବ୍ୟାପିଥିଲା ସେତେବେଳେ ଲୋକମାନେ ଲକ୍ଷ୍ୟ କରିଥିଲେ ଯେ ଗୋଶାଳାରେ କାମ କରୁଥିବା ଲୋକଙ୍କୁ ଏହି ରୋଗ ସଂକ୍ରମିତ ହେଉନାହିଁ।
ପ୍ରକୃତିର ଏହି ଅଦ୍ଭୁତ ତାରତମ୍ୟକୁ ଲକ୍ଷ୍ୟକରି ଗବେଷଣାରତ ହେଲେ ଇଂଲଣ୍ଡର ଡାକ୍ତର ଏଡ଼ୱାର୍ଡ ଜେନର। ଜେନର ଲକ୍ଷ୍ୟ କଲେ ଯେ କାଓପକ୍ସ ନାମକ ଏକ ରୋଗ ଗାଈମାନଙ୍କଠାରେ ଦେଖାଯାଆନ୍ତି ଯାହାକି ସ୍ମଲପକ୍ସ ସଦୃଶ ହୋଇଥିଲେ ମଧ୍ୟ ସ୍ମଲପକ୍ସ ଭଳି ମରଣାନ୍ତକ ନୁହେଁ। ସେ ଆହୁରି ଅନୁଧ୍ୟାନ କରି ଜାଣିଲେ ଯେ ଗୋଶାଳାରେ କାମ କରୁଥିବା ଯେଉଁ ବ୍ୟକ୍ତିମାନେ କାଓପକ୍ସ ରୋଗର ସଂସ୍ପର୍ଶରେ ଆସୁଛନ୍ତି ବା ଯେଉଁମାନଙ୍କୁ କାଓପକ୍ସ ରୋଗ ହେଉଛି ସେମାନେ ଭବିଷ୍ୟତରେ ସ୍ମଲପକ୍ସ ବା ବସନ୍ତ ରୋଗରେ ପୀଡ଼ିତ ହେଉନାହାନ୍ତି। ଏହା ତାଙ୍କୁ ଚକିତ କରିଥିଲା ଏବଂ ବସନ୍ତ ରୋଗର ନିରାକରଣ କରିବା ପାଇଁ ତାଙ୍କ ମନରେ ଆଶାର ସଞ୍ଚାର ହୋଇଥିଲା।
ଜେନର ପରୀକ୍ଷା ଆରମ୍ଭ କରିଥିଲେ। ଜେନରଙ୍କ ବଗିଚାର ମାଳିର ନଅବର୍ଷ ବୟସ୍କ ପୁଅ ଜେମସ୍‌ ଫିପସ୍‌ଙ୍କ ଦେହରେ ପ୍ରଥମେ କାଓପକ୍ସର ଭୂତାଣୁ ପ୍ରବେଶ କରାଯାଇଥିଲା। ପିଲାଟି ଦେହରେ ସାମାନ୍ୟ ପ୍ରତିକ୍ରିୟା ଦେଖାଯାଉଥିଲେ ମଧ୍ୟ ମାତ୍ର କିଛିଦିନ ଭିତରେ ସେ ସଂପୂର୍ଣ୍ଣ ସୁସ୍ଥ ଅବସ୍ଥାକୁ ଫେରି ଆସିଥିଲା। ଗୋଟିଏ ମାସ ଅପେକ୍ଷା କରିବାପରେ ଜେନର ପିଲାଟି ଦେହରେ ସ୍ମଲପକ୍ସ ବା ବସନ୍ତ ରୋଗର ଭୂତାଣୁ ପ୍ରୟୋଗ କରିଥିଲେ। ଜେନରଙ୍କ ଅନୁମାନ ସତ୍ୟ ଥିଲା ପିଲାଟି ବସନ୍ତ ବା ସ୍ମଲପକ୍ସ ରୋଗର ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇନଥିଲା।
ଜେନର ଦୁଇତିନିଥର ଏହି ପରୀକ୍ଷା ଜାରୀ ରଖିଥିଲେ। ହେଲେ ପିଲାଟିକୁ ବସନ୍ତ ରୋଗ ଛୁଇଁ ପାରି ନଥିଲା। ଏହା ପରେ ଆହୁରି କିଛି ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ସମାନ ପରୀକ୍ଷା କରାଯାଇଥିଲା ସଫଳତାର ସହ। ଏହିପରି ଭାବରେ ବସନ୍ତ ରୋଗର କବଳରୁ ରକ୍ଷା କରିବାର ପ୍ରତିଷେଧକ ପ୍ରସ୍ତୁତ କରିଥିଲେ ଏଡ଼ୱର୍ଡ ଜେନର।
ଗବେଷଣା ଜାରି ରହିଥିଲା ବର୍ଷବର୍ଷ ଧରି। ସାରା ବିଶ୍ବକୁ ବସନ୍ତ ଭଳି ଭୟାନକ ସଂକ୍ରମକ ଭୂତାଣୁଜନିତ ରୋଗରୁ ମୁକୁଳାଇ ଆଣିବାରେ ସଫଳ ହୋଇଥିଲା ମଣିଷ।
୧୯୮୦ ମସିହା ମେ ମାସ ଆଠ ତାରିଖ ଦିନ ବିଶ୍ବକୁ ‘ବସନ୍ତ ମୁକ୍ତ’ ଭାବେ ଘୋଷଣା କରିଥିଲା ୱାର୍ଲଡ ହେଲଥ୍‌ ଅର୍ଗାନାଇଜେସନ (WHO)
କହିବା ବାହୁଲ୍ୟ କରୋନା ଭାଇରସ କୋଭିଡ଼-୧୯ର ବିଶ୍ବବ୍ୟାପି ଆତଙ୍କରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଶୈଳୀ ଏବଂ ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତି। ଭୂତାଣୁର ସଂକ୍ରମଣ ବଢ଼ିଚାଲିଛି। ଅନିଶ୍ଚିତତା ଭିତରେ ଗଡ଼ିଚାଲିଛି ଗୋଟିଏ ପରେ ଗୋଟିଏ ଦିନ।
କ’ଣ ଏହି କରୋନା ଭାଇରସ- କୋଭିଡ-୧୯? ସରଳ ଭାବରେ କହିଲେ ଆମ ବାୟୁମଣ୍ଡଳରେ ବିଭିନ୍ନ ପ୍ରକାରର ଭୂତାଣୁ ଆମକୁ ଘେରି ରହିଥାନ୍ତି। ଆମ ଶରୀରର ପ୍ରତିରୋଧକ ଶକ୍ତି ଏମାନଙ୍କ ସହ ଲଢ଼େଇ କରିଚାଲିଥାଏ ଆମ ଅଜାଣତରେ। ତେବେ ଯେତେବେଳେ ଏକ ସଂପୂର୍ଣ୍ଣ ନୂଆ ଭୂତାଣୁକୁ ଆମ ଶରୀରର ପ୍ରତିରୋଧକ ଶକ୍ତି ଚିହ୍ନଟ କରିପାରେ ନାହିଁ ଏବଂ ସେହି ଭୂତାଣୁ ଆମ କୋଷ ଭିତରେ ପ୍ରବେଶ କରି ସେମାନଙ୍କର ବଂଶବୃଦ୍ଧି କରନ୍ତି ସେତେବେଳେ ଆମେ ଭୂତାଣୁ କବଳିତ ହେଉ। ଏହିଭଳି ଏକ ଭୂତାଣୁ କୋଭିଡ଼-୧୯।
ଆପାତତଃ କରୋନା ଭାଇରସମାନେ ପଶୁମାନଙ୍କୁ ଆକ୍ରାନ୍ତ କରିଥାନ୍ତି। ଦୁଇଟି ବ୍ୟତିକ୍ରମ ସାର୍ସ-କୋଭ ଏବଂ ମର୍ସ-କୋଭ ଯାହାକି ପଶୁଠାରୁ ମଣିଷକୁ ସଂକ୍ରମିତ ହୋଇଥିଲା। ୨୦୦୩ ମସିହାରେ ଚାଇନାରେ ସାର୍ସଏବଂ ୨୦୧୨ ମସିହାରେ ସାଉଦି ଆରବରେ ମର୍ସର ସଂକ୍ରମଣ ଆରମ୍ଭ ହୋଇଥିଲା। ତେବେ ମଣିଷରୁ ମଣିଷକୁ ସଂକ୍ରମଣ ହେବାର ହାର କମ ଥିବାରୁ ଏହି ଭାଇରସ ଦୁଇଟିକୁ ଅକ୍ତିଆର କରାଯାଇ ପାରିଥିଲା, କିନ୍ତୁ କୋଭିଡ଼-୧୯ ଯାହାକି ସାର୍ସ-କୋଭ-୨ ଭାବରେ ପରିଚିତ ତାହା ଅତି ସହଜରେ ମଣିଷରୁ ମଣିଷକୁ ସଂକ୍ରମିତ ହୋଇପାରୁଛି ଯାହାଦ୍ବାରା ସମଗ୍ର ବିଶ୍ବ ଆଜି ଏହି ଭାଇରସର କବଳିତ।
କେବେ ବାହାରିବ କରୋନା ପାଇଁ ପ୍ରତିଷେଧକ ବା ଔଷଧ? କେବେ ମିଳିବ କରୋନାରୁ ମୁକ୍ତି ଏହା ଏକ ସାଧାରଣ ପ୍ରଶ୍ନ ପାଲଟିଛି।
ତେବେ ପ୍ରତିଷେଧକ ଏବଂ ଔଷଧ ଦୁଇଟି ଅଲଗା ଜିନିଷ। ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଭଲ ହେବାପାଇଁ ଔଷଧ ବ୍ୟବହାର ହୁଏ। ସୁସ୍ଥ ବ୍ୟକ୍ତିମାନଙ୍କୁ ରୋଗରେ ଆକ୍ରାନ୍ତ ନହେବା ପାଇଁ ପ୍ରତିଷେଧକ ବା ଭ୍ୟାକସିନ୍‌ ବ୍ୟବହୃତ ହୋଇଥାଏ। କୌଣସି ପ୍ରତିଷେଧକ ତିଆରି କରିବା ପାଇଁ ଉପଯୁକ୍ତ ଗବେଷଣା ସହ ନିର୍ଦିଷ୍ଟ ପଦ୍ଧତି ଅନୁସରଣ କରାଯାଏ। ସାଧାରଣତଃ ପ୍ରତିଷେଧକ ତିଆରି ପାଇଁ ଅତିକମ୍‌ରେ କିଛି ବର୍ଷ ଲାଗିଥାଏ।
ସେହିଭଳି ଔଷଧ ତିଆରି ପାଇଁ ନିର୍ଦିଷ୍ଟ ପଦ୍ଧତି ଅବଲମ୍ବନ କରାଯାଏ। ପଦ୍ଧତି ଅନୁଯାୟୀ ନୂଆ ଔଷଧ ବା ପ୍ରତିଷେଧକଟିଏ ତିଆରି ହେଲେ ପ୍ରଥମେ ତାକୁ ପଶୁ ଓ ପରେ ମଣିଷ ଦେହରେ ତିନିଟି ପର୍ଯ୍ୟାୟରେ ସଫଳ ଭାବରେ ପରୀକ୍ଷା ପରେ ହିଁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅନୁମୋଦିତ ହୁଏ।
ତଥ୍ୟ ଅନୁଯାୟୀ କରୋନା ଭାଇରସ ପାଇଁ କୋଡ଼ିଏରୁ ଊର୍ଦ୍ଧ୍ବ ପ୍ରତିଷେଧକ ପ୍ରସ୍ତୁତି ପଥରେ ଅଛନ୍ତି। ସେଥିମଧ୍ୟରୁ ଗୋଟିଏ ପ୍ରତିଷେଧକ (ଭ୍ୟାକସିନ) ଏମଅରଏନଏ-୧୨୭୩ (ମେସେଞ୍ଜର ଆରଏନଏ-୧୨୭୩)କୁ ସିଧାସଳଖ ମଣିଷ ଦେହରେ ପରୀକ୍ଷା କରାଯିବାର ନିଷ୍ପତ୍ତି ନିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିଆଟେଲ ସହରରେ ଜେନିଫର ହେଲର ନାମ୍ନୀ ଜଣେ ୪୩ ବର୍ଷର ମହିଳା ଏହି ଭ୍ୟାକସିନ ବା ପ୍ରତିଷେଧକକୁ ପ୍ରଥମେ ଗ୍ରହଣ କରିଛନ୍ତି। ପରୀକ୍ଷା ଜାରି ରହିଛି।
ସେହିଭଳି ବିଶ୍ବର ବିଭିନ୍ନ ଦେଶରେ ଔଷଧ ତିଆରି ପାଇଁ ଚାଲିଥିବା ଗବେଷଣା ତ୍ବରାନ୍ବିତ ହୋଇଛି। ଉଦାହରଣ ସ୍ବରୂପ ଗିଲିୟାଡ଼ କମ୍ପାନୀର ରେମଡେସଭିଅର୍‌ ଔଷଧ, ଫେଜ ତିନି ପର୍ଯ୍ୟାୟରେ ପରୀକ୍ଷା ଚାଲିଛି ଯାହାକି କରୋନା ରୋଗର ଚିକିତ୍ସା ପାଇଁ ଖୁବ୍‌ ଶୀଘ୍ର ବ୍ୟବହୃତ ହେବ ବୋଲି ଆଶା କରାଯାଉଛି।
ସେହିଭଳି ଜନସନ ଆଣ୍ଡ ଜନସନ, ଫାଇବର ସାଯେଫି ଇତ୍ୟାଦି ନାମ୍ନୀ କମ୍ପାନୀମାନେ କରୋନା ପାଇଁ ଔଷଧ ଏବଂ ପ୍ରତିଷେଧକ ତିଆରି କରିବା ପ୍ରକ୍ରିୟାରେ ଆଗରେ ଅଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ଼ ଏବଂ ଡ୍ରଗ ଆଡ଼ମିନିଷ୍ଟ୍ରେସନ (ଏଫଡିଏ)କରୋନା ଭାଇରସ କୋଭିଡ଼-୧୯ର ଚିକିତ୍ସା ପାଇଁ କ୍ଲୋ​‌​‌ରୋକୁଇନ ଔଷଧକୁ ବ୍ୟବହାର କରିବା ପାଇଁ ଅନୁମୋଦିତ କରିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାର୍ଚ୍ଚ ୧୯ ତାରିଖରେ ଘୋଷଣା କରିଛନ୍ତି।
କହିବା ବାହୁଲ୍ୟ କରୋନା ଭାଇରସର ଭୟାନକତା କବଳରୁ ମଣିଷ ସମାଜକୁ ରକ୍ଷା କରିବାପାଇଁ ଏକଜୁଟ୍‌ ହୋଇଛନ୍ତି ବିଶ୍ବବାସୀ। ମଣିଷ ଆତଙ୍କିତ ହୋଇଛି, ହେଲେ ଅଟକି ଯାଇନି ଆତଙ୍କର ଆଢ଼ୁଆଳରେ।
ଦେଶ ଦେଶ ଭିତରର ସୀମାନ୍ତ ବନ୍ଦ ହୋଇଛି। ସହର ଭିତରେ କର୍ଫ୍ୟୁ। ସାମାଜିକ ଦୂରତ୍ବ ରକ୍ଷା କରିବାର କଡା ନିର୍ଦେଶ ସରକାରୀ ସ୍ତରରୁ। ତଥାପି ବି ବଢ଼ି ଚାଲିଛି କରୋନା ସଂକ୍ରମିତମାନଙ୍କର ସଂଖ୍ୟା, ବଢ଼ି ଚାଲିଛି କରୋନା କବଳିତ ମୃତ୍ୟୁର ସଂଖ୍ୟା।
ଚାଇନା ଏବଂ ଇଟାଲିର ବର୍ଦ୍ଧିତ ମୃତ୍ୟୁସଂଖ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଛି ବିଶ୍ବବାସୀଙ୍କ ମନ ଭିତରେ। ନିଜକୁ ପରିବାର ଭିତରେ ସୀମିତ ରଖି କରୋନାଠାରୁ ଦୂରେଇ ରହିବାର ପ୍ରୟାସ କରୁଛନ୍ତି ସଭିଏଁ।
କରୋନାଠାରୁ ଏବଂ କରୋନା ଆକ୍ରାନ୍ତ ରୋଗୀଙ୍କଠାରୁ ଦୂରେଇ ରହିବାର ନିର୍ଦେଶ ସତ୍ତ୍ବେ ସେମାନଙ୍କର ଚକିତ୍ସା ପାଇଁ ଡାକ୍ତରଖାନାରେ ଦିନ ରାତି ଏକ କରିଦେଇଛନ୍ତି ଡାକ୍ତର, ନର୍ସ, କର୍ମଚାରୀ ଏବଂ ସ୍ବେଚ୍ଛାସେବୀମାନେ। ଦରକାରୀ ସାମଗ୍ରୀ, ରେସ୍ତୋଁରା ଇତ୍ୟାଦି ଘରଘର ବୁଲି ଆବଶ୍ୟକ ଜିନିଷ ଯୋଗାଇ ଦେବାପାଇଁ ମଧ୍ୟ ଅନେକ ଆଗଭର ହେଉଛନ୍ତି ସ୍ବେଚ୍ଛାକୃତ ଭାବେ। ମଣିଷ ଭିତରେ ଥିବା ଦେବତ୍ବ ଭାବକୁ ଆତଙ୍କ ଓ ଆଶଙ୍କା ହରାଇ ପାରିନି।
କରୋନା ଭାଇରସ ଉପରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକଙ୍କ ସହ ଏକ ପ୍ରତ୍ୟକ୍ଷ ଅନୁଭୂତି ନିର୍ବାକ କରିଥିଲା ମତେ। ବୈଜ୍ଞାନିକ ଜଣକ ଗବେଷଣା ଉପରେ ଆଲୋଚନା କରୁଥିଲେ। କଥା ଆଳରେ କହିଥିଲେ ଅଶୀବର୍ଷର ବାପା ତାଙ୍କର କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଶଯ୍ୟାଶାୟୀ ଅଛନ୍ତି। ଜାରି ରଖିଥିଲେ ସେ ଗବେଷଣା ସମ୍ବନ୍ଧୀୟ ଆଲୋଚନା।
ମହାମାରୀ ସହ ମହାସଂଗ୍ରାମରେ ଆଜି ଯୁଝି ଚାଲିଛି ମଣିଷ। ଆତଙ୍କ ନୁହେଁ, ଏହା ଏକ ଆହ୍ବାନ। ମୃତ୍ୟୁ ନୁହେଁ, ଏଇ ହେଉଛି ଜୀବନ।
(ନ୍ୟୁଜର୍ସି, ୟୁଏସଏ)
suvasri_das@hotmail.com

Comments are closed.