ରୁଷିଆକୁ ହରାଇ ଗ୍ରୁପ୍‍ ଶୀର୍ଷରେ ଉରୁଗୁଏ

0

ସାମାରା : ସୋମବାର ଏଠାରେ ଖେଳାଯାଇଥିବା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍ ‘ଏ’ ମ୍ୟାଚରେ ଉରୁଗୁଏ ୩-୦ ଗୋଲରେ ଆୟୋଜକ ରୁଷିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଉରୁଗୁଏ ତିନିଟି ମ୍ୟାଚରୁ ୯ ପଏଣ୍ଟ ପାଇ ଗ୍ରୁପ୍‍ରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଅପରପକ୍ଷରେ ପରାଜୟ ସତ୍ତ୍ବେ ରୁଷିଆ ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ହୋଇ ପ୍ରିକ୍ୱାର୍ଟରରେ ସ୍ଥାନ ପକ୍କା କରିସାରିଛି।
ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ପ୍ରିକ୍ୱାର୍ଟରରେ ପ୍ରବେଶ କରିସାରିଥିବାରୁ ସୋମବାରର ଏହି ମୁକାବିଲା ଏତେ ଗୁରୁତ୍ୱପୂର୍ଣ୍ଣ ନ ଥିଲା। ତଥାପି ଶେଷ ଲିଗ୍‍ ମ୍ୟାଚରେ ବିଜୟୀ ହୋଇ ଗ୍ରୁପ୍‍ରେ ଶୀର୍ଷ ସ୍ଥାନ ଅଧିକାର କରିବା ଲକ୍ଷ୍ୟରେ ଉଭୟ ଉରୁଗୁଏ ଓ ରୁଷିଆ ଦଳ ପଡିଆକୁ ଓହ୍ଲାଇଥିଲେ। ରୁଷିଆ ପଛରେ ଘରୋଇ ସମର୍ଥନ ରହିଥିଲେ ସୁଦ୍ଧା ଉରୁଗୁଏ ପ୍ରାରମ୍ଭରୁ ୂଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା। ପ୍ରଥମାର୍ଦ୍ଧର ୧ ମିନିଟରେ ମାତିଆସ୍‍ ଭେସିନୋ ରୁଷ ଗୋଲପୋଷ୍ଟକୁ ଲକ୍ଷ୍ୟ କରି ସଟ୍‍ ମାରିଥିଲେ ସୁଦ୍ଧା ରୁଷିଆ ଗୋଲରକ୍ଷକ ଇଗୋର ଆକିନ୍‍ଫିଭ୍‍ ଏହାକୁ ଧରିବାରେ କୌଣସି ତ୍ରୁଟି ଦର୍ଶାଇନଥିଲେ। ୩ ମିନିଟରେ ରୁଷିଆ ଗୋଲ ଏରିଆ ନିକଟରେ ଉରୁଗୁଏର ତାରକା ଫରୱାର୍ଡ ଏଡିନସନ କାଭାନିଙ୍କୁ ଫାଉଲ ମରାଯାଇଥିଲା। ଉରୁଗୁଏ ଦଳ ପେନାଲଟି ପାଇଁ ରେଫେରୀଙ୍କ ସହ ଯୁକ୍ତିତର୍କ କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ। ୯ ମିନିଟରେ ନିଜ ଗୋଲ ଏରିଆରେ ଫାଉଲ ଖେଳ ଯୋଗୁଁ ରେଫେରୀ ରୁଷିଆର ଲୁରି ଗାଜିନ୍‍ସ୍କିଙ୍କୁ ହଳଦିଆ କାର୍ଡ ପ୍ରଦର୍ଶନ କରିବା ସହ ଉରୁଗୁଏକୁ ଫ୍ରିକିକ୍‍ ନିର୍ଦେଶ ଦେଇଥିଲେ। ତେବେ ରୁଷିଆ ଡିଫେଣ୍ଡରଙ୍କୁ ପରାସ୍ତ କରି ଲୁଇ ସ୍ୱାରେଜଙ୍କ ଚମତ୍କାର ସଟ୍‍ ପ୍ରତିପକ୍ଷ ଗୋଲପୋଷ୍ଟ ମଧ୍ୟକୁ ପ୍ରବେଶ କରିବା ଫଳରେ ଉରୁଗୁଏ ୧-୦ରେ ଆଗୁଆ ରହିଥିଲା। ଗୋଟିଏ ଗୋଲ ପଛୁଆ ଥାଇ ରୁଷ ଦଳ ପ୍ରତିଆକ୍ରମଣ ଜାରି ରଖିଥିଲା। ତେବେ ଡେନିସ ଚେରିସୋଭ୍‍ଙ୍କ ସଟ୍‍କୁ ଉରୁଗୁଏ ଗୋଲରକ୍ଷକ ଫର୍ଣ୍ଣାଣ୍ଡୋ ମୁସ୍‍ରେଲା ମୁଥ ମାରି ବାହାର କରିଦେଇଥିଲେ। କର୍ଣ୍ଣର କିକ୍‍ରୁ ମଧ୍ୟ ରୁଷିଆକୁ ସଫଳତା ମିଳିନଥିଲା। ୧୭ ମିନିଟରେ ରୁଷିଆକୁ ଆଉ ଏକ କର୍ଣ୍ଣର ମିଳିଥିଲା। ତେବେ ଅର୍ଟେମ ଡିଜ୍ୟୁବାଙ୍କ ସଟ୍‍ ଉରୁଗୁଏ ଗୋଲପୋଷ୍ଟ୍‍ର କ୍ରସବାର ଉପରେ ଚାଲିଯାଇଥିଲା। ୨୨ ମିନିଟରେ ରୁଷିଆ ଗୋଲ ଏରିଆ ନିକଟରେ ଉରୁଗୁଏକୁ ଫ୍ରିକିକ୍‍ ମିଳିଥିଲା। ଲୁକାସ ଟୋରେରାଙ୍କ ସଟ୍‍କୁ ରୁଷିଆ ଖେଳାଳି ହେଡ୍‍ କରି ବାହାର କରିବାକୁ ଉଦ୍ୟମ କରିଥିବାବେଳେ ବଲଟି ଡିଏଗୋ ଲାକ୍‍ସାଲ୍ଟଙ୍କ ନିକଟରେ ପହଞ୍ଚିଥିଲା। ଲାକ୍‍ସାଲ୍ଟ ସଟ୍‍ଟି ଚେରିସୋଭ୍‍ଙ୍କ ଗୋଡରେ ବାଜି ରୁଷିଆ ଗୋଲପୋଷ୍ଟ ମଧ୍ୟକୁ ପ୍ରବେଶ କରିଥିଲା। ଫଳରେ ଏହି ଆତ୍ମଘାତୀ ଗୋଲ ଯୋଗୁଁ ଉରୁଗୁଏ ୨-୦ରେ ଆଗୁଆ ରହିଥିଲା। ୩୬ ମିନିଟରେ ଇଗୋର ସ୍ମୋଲନିକୋଭ୍‍ଙ୍କୁ ରେଫେରୀ ଲାଲକାର୍ଡ ପ୍ରଦର୍ଶନ କରିବା ଫଳରେ ରୁଷିଆ ଦଳ ୧୦ ଜଣ ଖେଳାଳିରେ ସୀମିତ ରହିଥିଲା। ୩୭ ମିନିଟରେ ଟୋରେରାଙ୍କ ଶକ୍ତିଶାଳୀ ସଟ୍‍ ଅଳ୍ପକେ ରୁଷିଆ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଉରୁଗୁଏ ସପକ୍ଷରେ ୨-୦ ରହିଥିଲା।
ମଧ୍ୟାନ୍ତର ପରେ ରୁଷିଆ ଦଳ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲା। ତେବେ ଉରୁଗୁଏ ଫରୱାର୍ଡ ବାହିନୀ ପ୍ରତିଆକ୍ରମଣ ଜରିଆରେ ରୁଷ ରକ୍ଷଣଭାଗ ଉପରେ ଚାପ ସୃଷ୍ଟି କରିଥିଲା। ୪୭ ମିନିଟରେ କାଭାନିଙ୍କ ଶକ୍ତିଶାଳୀ ଫ୍ରିକିକ୍‍ ରୁଷିଆ ରକ୍ଷଣଭାଗ ଖେଳାଳିଙ୍କ ଶରୀରରେ ବାଜି ଫେରିଆସିଥିଲା। ୫୫ ମିନିଟରେ ରୁଷିଆ ଡାହାଣପଟରୁ ଆକ୍ରମଣ କରି ଗୋଲଦେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲା। ୬୨ ମିନିଟରେ ଉରୁଗୁଏର ରୋଡ୍ରିଗୋ ବେଣ୍ଟାନ୍‍କରଙ୍କୁ ହଳଦିଆ କାର୍ଡ ମିଳିବା ପରେ ତାଙ୍କୁ ତୁରନ୍ତ ପ୍ରତ୍ୟାହାର କରାଯାଇ ଗିଓର୍ଜିଆନ ଆରାସ୍କେଟାଙ୍କୁ ସୁଯୋଗ ଦିଆଯାଇଥିଲା। ୭୦ ମିନିଟରେ ଉରୁଗୁଏ ଗୋଲ ଏରିଆରେ ଅର୍ଟେମ ଡିଜ୍ୟୁବାଙ୍କୁ ଫାଉଲ ହେବାରୁ ରୁଷିଆ ଦଳ ପେନାଲଟି ପାଇଁ ଦାବି କରିଥିଲେ। ତେବେ ଭିଡିଓ ରିପ୍ଲେକୁ ଅନୁଧ୍ୟାନ କରାଯିବାପରେ ରେଫେରୀ ଏହି ଆବେଦନକୁ ଖାରଜ କରିଦେଇଥିଲେ। ୭୪ ମିନିଟରେ ଡିଜ୍ୟୁବାଙ୍କ ସଟ୍‍ ଉରୁଗୁଏ ଗୋଲପୋଷ୍ଟର କ୍ରସବାର ଉପରେ ଚାଲିଯିବାରୁ ରୁଷିଆ ଗୋଲ ପରିଶୋଧ ସୁଯୋଗରୁ ବଞ୍ଚିତ ହୋଇଥିଲା। ୮୦ ମିନିଟରେ ସ୍ୱାରେଜ-କାଭାନି ଯୋଡି ବଲ ନେଇ ରୁଷିଆ ଗୋଲ ଏରିଆରେ ପ୍ରବେଶ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସ୍ୱାରେଜଙ୍କ ପାସ୍‍କୁ କାଭାନି ଗୋଡ ସଂଯୋଗ କରିବାରେ ବିଫଳ ହୋଇଥିଲେ। ୯୦ ମିନିଟରେ କାଭାନି ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିବା ଫଳରେ ଉରୁଗୁଏ ୩-୦ରେ ବିଜୟୀ ହୋଇଥିଲା।

Leave A Reply