ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ରୋମା ଖାନ୍ନାଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତରେ ୨୦୨୨ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଓ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜିତ ହେବ। ଉକ୍ତ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ଧକ୍କା ଲାଗିଛି। ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ପାଇଁ ଏଆଇଏଫ୍‌ଏଫ୍‌ ପକ୍ଷରୁ ନିଯୁକ୍ତ ହୋଇଥିବା ଫିଫା ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆୟୋଜକ କମିଟି ନିର୍ଦେଶକ ରୋମା ଖାନ୍ନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ନେଇ ରୋମା କହିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଭାରତ ଖାନ୍ନାଙ୍କ ଯୋଜନା ମୁତାବକ ଫିଫା ନିକଟରେ ଦାବିଦାର ଦାଖଲ କରିଥିଲା। ଫଳରେ ଭାରତକୁ ୨୦୧୯ରେ ଉକ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଫିଫା ପକ୍ଷରୁ ଅଧିକାର ମିଳିଥିଲା।

ସେହିପରି ଖାନ୍ନାଙ୍କ ନେତୃତ୍ବରେ ଏଆଇଏଏଫ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌-୨୦୨୨ ନେଇ ଦାବିଦାର ଦାଖଲ କରିବା ସହିତ ଆୟୋଜନ ଅଧିକାର ପାଇଛି। ସ୍ଥାନୀୟ ଆୟୋଜନ କମିଟି ନିର୍ଦେଶକ ଭାବେ ଖାନ୍ନା ଏଆଇଏଫଏଫ ସହିତ ୧୦ ବର୍ଷ ଧରି ଜଡିତ ରହିଛନ୍ତି। ଏଆଇଏଏଫ ଫୁଟବଲ ପରିବାରର ଖାନ୍ନା ଅନ୍ୟତମ ସଦସ୍ୟ ଭାବେ ରହିଛନ୍ତି ବୋଲି ଏଆଇଏଫଏଫ ସମ୍ପାଦକ କୁଶଳ ଦାସ କହିଛନ୍ତି। ଆଇ-ଲିଗ୍‌ରେ କ୍ଳବ ଲାଇସେନ୍‌ସ ବ୍ୟବସ୍ଥା ପ୍ରଚଳନ ବ୍ୟବସ୍ଥାକୁ ସଫଳତାର ସହିତ ପରିଚାଳନାରେ ଖାନ୍ନା ହିଁ ପ୍ରମୁଖ ସୂତ୍ରଧର ଥିଲେ। ବ୍ୟକ୍ତିଗତ କାରଣ ପାଇଁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଓ ଏଏଫସି ମହିଳା ଏସିଆନ କପ୍‌-୨୦୨୨ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ କମିଟି ନିର୍ଦେଶକ ପଦରୁ ଇସ୍ତଫା ଦେବାକୁ ଆମେ ସମ୍ମାନ ଦେଉଛୁ ବୋଲି ଏଆଇଏଫଏଫ ସମ୍ପାଦକ ଶ୍ରୀ ଦାସ କହିଛନ୍ତି।

Comments
Loading...