ସେମିଫାଇନାଲ ଆୟୋଜନ ଲକ୍ଷ୍ୟରେ ଭୁବନେଶ୍ବର

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ : କଳିଙ୍ଗରେ ୬ ଲିଗ୍‌ ମ୍ୟାଚ୍‌

ଭୁବନେଶ୍ବର : ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜକ ତାଲିକାରେ ଭୁବନେଶ୍ବର ସ୍ଥାନପାଇଛି। ପ୍ରତିଯୋଗିତା ଭାରତର ୪ଟି ସହରରେ ଖେଳାଯିବ। ସେଥିମଧ୍ୟରୁ କଳିଙ୍ଗ ଷ୍ଟାଡ଼ିୟମ ଅନ୍ୟତମ। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଖେଳିବେ। ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଗ୍ରୁପ୍‌ର ୬ଟି ଲିଗ୍‌ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବା ନେଇ ଏକପ୍ରକାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଜଣାପଡ଼ିଛି। ଏହାଛଡ଼ା କଳିଙ୍ଗରେ ୨ଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯିବା ନେଇ ମଧ୍ୟ ଲକ୍ଷ୍ୟ ରହିଛି। ୨ଟି ସେମିଫାଇନାଲ ମ୍ୟାଚ ଆୟୋଜନ ନେଇ ଏଆଇଏଫଏଫ ପକ୍ଷରୁ ଫିଫା ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିବା ବେଳେ ଚୂଡାନ୍ତ କାଯ୍ୟସୂଚୀ ଘୋଷଣା ହୋଇନାହିଁ। ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ବକପ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ। ଘରୋଇ ଦଳ ଭାବେ ଭାରତ ଅଂଶଗ୍ରହଣ କରିବ। ସେହିପରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ଦଳ ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡ଼ିୟମକୁ ଘରୋଇ ଭେନ୍ୟୁ ଭାବେ ଗ୍ରହଣ କରିଛି। ଓଡ଼ିଶା ଏଫ୍‌ସି ଏବେ ସେମିଫାଇନାଲ ଦୌଡ଼ରେ ରହିଛି । ଯଦି ଓଡ଼ିଶା ଏଫ୍‌ସି ସେମିଫାଇନାଲକୁ ଉନ୍ନୀତ ହୁଏ; ତେବେ କଳିଙ୍ଗ ଷ୍ଟାଡ଼ିୟମରେ ଉକ୍ତ ମ୍ୟାଚ ଖେଳିବ। ଚଳିତବର୍ଷ ମାର୍ଚ୍ଚ ୨୬ରେ ଭାରତ ଓ କାତାର ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ୨ୟ ରାଉଣ୍ଡ ମ୍ୟାଚ କଳିଙ୍ଗରେ ଖେଳାଯିବାର ଥିବାରୁ ସୁପର କପ୍‌ ଫୁଟ୍‌ବଲ ମ୍ୟାଚ୍‌ ଆୟୋଜନ ସମ୍ଭାବନା ନାହିଁ ବୋଲି ସୂଚନା ମିିଳିଛି।

Comments are closed.