ସାକିରିଙ୍କ ଗୋଲ୍‍ରେ ଜିତିଲା ସ୍ୱିଜରଲ୍ୟାଣ୍ଡ

0

କଲିନ୍‍ଗାର୍ଡ : ଫିଫା ବିଶ୍ୱକପ୍‍ରେ ଗ୍ରୁପ୍‍ ଇ’ର ଏକ ମ୍ୟାଚ୍‍ରେ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡର ମୁକାବିଲା ସର୍ବିୟା ସହ ହୋଇଥିଲା। ଏହି ମ୍ୟାଚ୍‍ରେ ସ୍ୱିଜରଲ୍ୟାଣ୍ଡ ୨-୧ ଗୋଲ୍‍ରେ ବିଜୟୀ ହୋଇଥିଲା। ଖେଳର ଅନ୍ତିମ ମୁହୂର୍ତ୍ତରେ ସ୍ୱିଜରଲ୍ୟାଣ୍ଡ ତରଫରୁ ସାକିରି ଗୋଲ୍‍ ସ୍କୋର କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ ଫଳରେ ସ୍ୱିଜରଲ୍ୟାଣ୍ଡ ୪ ପଏଣ୍ଟ ମିଳିଥିବା ବେଳେ ସର୍ବିୟା ପୂର୍ବପରି ୩ ପଏଣ୍ଟରେ ରହିଛି।
ମ୍ୟାଚ୍‍ ଆରମ୍ଭ ହେବା ମାତ୍ରେ ସର୍ବିୟା ଦଳ ସ୍ୱିଜରଲ୍ୟାଣ୍ଡ ଗୋଲପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା। ୨ ମିନିଟ୍‍ରେ ସର୍ବିୟା ଦଳ ଗୋଲ ସ୍କୋର କରିବାର ନିକଟବର୍ତ୍ତୀ ହୋଇଥିଲା। ତେବେ ସ୍ୱିଜରଲ୍ୟାଣ୍ଡ ରକ୍ଷଣଭାଗ ଖେଳାଳିମାନେ ସର୍ବିୟାକୁ ଗୋଲ୍‍ ସ୍କୋର କରିବାରୁ ବଞ୍ଚିତ କରାଇଥିଲେ। ଏହାର କିଛିସମୟ ପରେ ସର୍ବିୟା ଦଳ ତରଫରୁ ଆଲେକ୍‍ଜେଣ୍ଡାର ମିଟ୍ରୋଭିକ୍‍ଙ୍କ ଏକ ହେଡ୍‍ରକୁ ସ୍ୱିଜରଲ୍ୟାଣ୍ଡ ଗୋଲରକ୍ଷକ ୟାନ୍‍ ସୋମେର ଅଟକାଇ ଦେଇଥିଲେ। ୫ ମିନିଟ୍‍ରେ ମିଟ୍ରୋଭିକ୍‍ଙ୍କୁ ପୁନର୍ବାର ଗୋଲ୍‍ ସ୍କୋର କରିବାର ସୁଯୋଗ ମିଳିଥିଲା। ମିଟ୍ରୋଭିକ୍‍ ଏହି ସୁଯୋଗକୁ ହାତଛଡ଼ା ନ କରି ଶକ୍ତିଶାଳୀ ହେଡ୍‍ର ଦ୍ୱାରା ଗୋଲ୍‍ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ସହଳ ଗୋଲ୍‍ ବରଣ କରିବା ପରେ ଏହାକୁ ପରିଶୋଧ କରିବାକୁ ସ୍ୱିଜରଲ୍ୟାଣ୍ଡର ଖେଳାଳିମାନେ ପ୍ରୟାସ କରିଥିଲେ। ଖେଳାଳିମାନେ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଖେଳିବା ସହ ସର୍ବିୟା ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ୧୦ ମିନିଟ୍‍ରେ ସ୍ୱିଜରଲ୍ୟାଣ୍ଡ ଖେଳାଳି ବ୍ଲେରିମ୍‍ ଜେମାଇଲ୍‍ଙ୍କ ଏକ ସଟ୍‍ ସର୍ବିଆ ଗୋଲପୋଷ୍ଟ କଡ଼ ଦେଇ ଚାଲି ଯାଇଥିଲା। ସର୍ବିୟା ଖେଳାଳିମାନେ ମଧ୍ୟ ଆକ୍ରମଣ ଜାରି ରଖିଥିଲେ। ୧୪ ମିନିଟ୍‍ରେ ସର୍ବିୟା ଖେଳାଳି ମିଟ୍ରୋଭିକ୍‍ଙ୍କ ଅନ୍ୟ ଏକ ହେଡର ସ୍ୱିଜରଲ୍ୟାଣ୍ଡ ଗୋଲପୋଷ୍ଟ ଉପର ଦେଇ ଚାଲି ଯାଇଥିଲା। ୧୬ ମିନିଟ୍‍ରେ ସର୍ବିୟାର ସାଭିକ୍‍ଙ୍କ ସଟ୍‍ ଗୋଲପୋଷ୍ଟ ବାହାର ଦେଇ ଚାଲି ଯାଇଥିଲା। ୨୬ ମିନିଟ୍‍ରେ ସ୍ୱିଜରଲ୍ୟାଣ୍ଡକୁ ପ୍ରଥମ କର୍ଣ୍ଣର ମିଳିଥିଲେ ମଧ୍ୟ ଦଳର ଖେଳାଳିମାନେ ଏହାକୁ ଗୋଲ୍‍ରେ ପରିଣତ କରିବାରେ ବିଫଳ ହୋଇଥିଲେ। ୩୦ ମିନିଟ୍‍ରେ ଗୋଲ୍‍ କରିବାକୁ ସ୍ୱିଜରଲ୍ୟାଣ୍ଡ ଖେଳାଳିଙ୍କ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଜେମାଇଲ୍‍ଙ୍କ ସଟ୍‍କୁ ସର୍ବିଆର ଗୋଲରକ୍ଷକ ଭ୍ଲାଦିମିର ଷ୍ଟୋଚକୋଭିକ୍‍ ଅଟକାଇ ଦେଇଥିଲେ। ୩୩ ମିନିଟ୍‍ରେ ଫାଉଲ୍‍ ମାରିଥିବା କାରଣରୁ ସର୍ବିୟାର ସାଭିକ୍‍ଙ୍କୁ ରେଫରି ହଳଦିଆ କାର୍ଡ ଦେଇଥିଲେ। ୩୭ ମିନିଟ୍‍ରେ ସର୍ବିୟାକୁ ଏକ ଫ୍ରିକିକ୍‍ ମିଳିଥିଲା। ଦୁସାନ୍‍ ତାଡ଼ିକ୍‍ଙ୍କ ସଟ୍‍କୁ ସ୍ୱିଜରଲ୍ୟାଣ୍ଡ ଗୋଲରକ୍ଷକ ଅଟକାଇ ଦେଇଥିଲେ। ସେହିପରି ୪୩ ମିନିଟ୍‍ରେ ସର୍ବିୟାକୁ ଏକ କର୍ଣ୍ଣର ମିଳିଥିଲା। ତାଡ଼ିକ୍‍ଙ୍କ ସଟ୍‍ରେ ଟୋସିକ୍‍ ହେଡ୍‍ ମାରି ଗୋଲ୍‍ କରିବାରେ ବିଫଳ ହୋଇଥିଲେ। ପ୍ରଥମାର୍ଦ୍ଧରେ ଅତିରିକ୍ତ ୨ ମିିନିଟ୍‍ ଖେଳାଯାଇଥିଲା। ୪୬ ମିନିଟ୍‍ରେ ତାଡ଼ିକ୍‍ ଏକ ସଟ୍‍ ମାରିଥିଲେ ମଧ୍ୟ ଏହା ସ୍ୱିଜରଲ୍ୟାଣ୍ଡ ଗୋଲପୋଷ୍ଟ ଉପର ଦେଇ ଚାଲି ଯାଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସର୍ବିୟା ୧-୦ ଗୋଲ୍‍ରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବା ମାତ୍ରେ ଉଭୟ ଦଳ ପ୍ରତିପକ୍ଷ ଦଳର ଗୋଲପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ୫୨ ମିନିଟ୍‍ରେ ସ୍ୱିଜରଲ୍ୟାଣ୍ଡ ଖେଳାଳି ହେର୍ଡାନ୍‍ ସାକିରିଙ୍କ ଏକ ସଟ୍‍କୁ ସର୍ବିଆ ରକ୍ଷଣଭାଗ ଖେଳାଳି ଅଟକାଇଥିଲେ। ତେବେ ବଲ୍‍ଟି ସ୍ୱିଜରଲ୍ୟାଣ୍ଡର ଅନ୍ୟତମ ଖେଳାଳି ଗ୍ରେନିଟ୍‍ ଝାକାଙ୍କ ନିକଟକୁ ଚାଲି ଯାଇଥିଲା। ଝାକା ଏହାକୁ ଗୋଲ୍‍ରେ ପରିଣତ କରି ଖେଳକୁ ୧-୧ ସ୍ତରକୁ ଆଣିବାକୁ ସକ୍ଷମ ହୋଇଥିଲେ। ୫୮ ମିନିଟ୍‍ରେ ଅଗ୍ରଣୀ ହେବାକୁ ସ୍ୱିଜରଲ୍ୟାଣ୍‍ଡ଼କୁ ଏକ ସୁଯୋଗ ମିଳିଥିଲା। ସକିରିଙ୍କ ଏକ ଶକ୍ତିଶାଳୀ ସଟ୍‍ ସର୍ବିୟା ଗୋଲପୋଷ୍ଟର ଡାହାଣ ପଟରେ ମାଡ଼ ହୋଇ ବାହାରକୁ ଚାଲି ଯାଇଥିଲା। ୬୪ ମିନଟ୍‍ରେ ସର୍ବିୟା ତରଫରୁ କୋଷ୍ଟିକ୍‍ଙ୍କ ସ୍ଥାନରେ ଏଲ୍‍ଜାଜିକ୍‍ଙ୍କୁ ପଡ଼ିଆକୁ ପଠାଯାଇଥିଲା। ୬୮ ମିନିଟ୍‍ରେ ସର୍ବିୟାର ଅଧିନାୟକ ଆଲେକ୍‍ଜେଣ୍ଡାର କୋଲୋରଭ୍‍ଙ୍କ ଏକ କ୍ରସ୍‍ ସ୍ୱିଜରଲ୍ୟାଣ୍ଡ ଗୋଲପୋଷ୍ଟ ସମ୍ମୁଖରେ ଦେଇ ଚାଲି ଯାଇଥିଲେ ମଧ୍ୟ ଏହାକୁ ଗୋଲ୍‍ରେ ପରିଣତ କରିବାକୁ ସର୍ବିଆର କୌଣସି ଖେଳାଳି ଉପସ୍ଥିତ ନ ଥିଲେ। ୭୩ ମିନିଟ୍‍ରେ ସୁଇଜରଲ୍ୟାଣ୍ଡ ତରଫରୁ ଜେମାଇଲ୍‍ଙ୍କ ସ୍ଥାନରେ ଏମ୍‍ବୋଲୋଙ୍କୁ ପଡ଼ିଆକୁ ପଠାଯାଇଥିଲା। ଖେଳର ୯୦ ମିନିଟ୍‍ରେ ସ୍ୱିଜରଲ୍ୟାଣ୍ଡର ସାକିରି ପଡ଼ିଆର ମଧ୍ୟଭାଗରୁ ଏକ ପାସ୍‍ ପାଇ ଏକାକୀ ବଲ୍‍କୁ ନେଇ ଆଗକୁ ବଢ଼ିବା ସହ ସର୍ବିୟା ଗୋଲରକ୍ଷକଙ୍କୁ ପରାସ୍ତ କରି ଗୋଲ୍‍ ସ୍କୋର କରି ଦଳକୁ ୨-୧ରେ ଅଗୁଆ କରାଇଥିଲେ। ସର୍ବିୟା ଦଳ ଅତିରିକ୍ତ ସମୟରେ ଗୋଲ୍‍ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଫଳରେ ସ୍ୱିଜରଲ୍ୟାଣ୍ଡ ୨-୧ ଗୋଲ୍‍ରେ ମ୍ୟାଚ୍‍କୁ ଜିତି ନେଇଥିଲା।

Leave A Reply