ପର୍ତ୍ତୁଗାଲ ପ୍ରିକ୍ୱାର୍ଟରରେ

0

ସାରାନ୍‍ସ୍କ : ଚଳିତ ଫିଫା ବିଶ୍ୱକପ୍‍ର ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପର୍ତ୍ତୁଗାଲ୍‍। ସୋମବାର ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ଇରାନ୍‍ ଓ ପର୍ତ୍ତୁଗାଲ ମଧ୍ୟରେ ମ୍ୟାଚ୍‍ ୧-୧ ଗୋଲ୍‍ରେ ଅମୀମାଂସିତ ରହିଛି। ପର୍ତ୍ତୁଗାଲ ପାଇଁ ରିକାର୍ଡୋ କ୍ୱାରେଜ୍‍ମା ପ୍ରଥମାର୍ଦ୍ଧରେ ଗୋଲ୍‍ ଦେଇଥିଲେ ହେଁ ପେନାଲ୍‍ଟିରୁ ଇରାନ୍‍ର କରିମ୍‍ ଆନ୍‍ସାରିଫାର୍ଦ ଗୋଲ୍‍ ସୁଝାଇ ଦେଇଥିଲେ। ଫଳରେ ମୋଟ ୫ ପଏଣ୍ଟ ପାଇ ପର୍ତ୍ତୁଗାଲ୍‍ ଗ୍ରୁପ୍‍ର ୨ୟ ସ୍ଥାନରେ ରହି ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଇରାନ୍‍ ୪ ପଏଣ୍ଟ ସହ ୩ୟ ସ୍ଥାନରେ ରହି ବିଦାୟ ନେଇଛି। ଏହି ମ୍ୟାଚ୍‍ ପୂର୍ବରୁ ପର୍ତ୍ତୁଗାଲ୍‍ ଗୋଟିଏ ଲେଖାଏଁ ଡ୍ର ଓ ବିଜୟ ସହ ୪ ପଏଣ୍ଟ ପାଇଥିଲା।
୩ୟ ମିନିଟରେ ପର୍ତ୍ତୁଗାଲ୍‍ ପ୍ରଥମ ଆକ୍ରମଣ କରିଥିଲା। କ୍ରିଷ୍ଟିଆନୋ ରେନାଲ୍‍ଡୋ ମାରିଥିବା କିକ୍‍କୁ ଇରାନ୍‍ ଗୋଲ୍‍ରକ୍ଷକ ଅଲୀ ବିରାନ୍‍ୱାଣ୍ଡ୍‍ ଧରି ନେଇଥିଲେ। ୭ମ ମିନିଟ୍‍ରେ ଇରାନ୍‍ ପ୍ରଥମ ଆକ୍ରମଣ କରିଥିଲା। ମେହ୍‍ଦି ତାରେମିଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୯ମ ମିନିଟ୍‍ରେ ବାମପଟୁ ପର୍ତ୍ତୁଗାଲ୍‍ର ରୋନାଲ୍‍ଡୋ ଚମତ୍କାର କ୍ରସ୍‍ ମାରିଥିଲେ ହେଁ ପର୍ତ୍ତୁଗାଲ୍‍ର ଫରୱାର୍ଡ ଏହାର ଫାଇଦା ଉଠାଇ ପାରିନଥିଲେ। ୧୬ ମିନିଟରେ ୟୁରୋପିଆନ୍‍ ଚମ୍ପିଆନ ପର୍ତ୍ତୁଗାଲ୍‍କୁ ଏକ ଫ୍ରିକିକ୍‍ ମିଳିଥିଲା। ରୋନାଲ୍‍ଡୋ ମାରିଥିବା ଫ୍ରିକିକ୍‍ ସଟ୍‍ ଡିଫେଣ୍ଡରଙ୍କ ମୁଣ୍ଡରେ ବାଜି ବାହାରକୁ ଚାଲି ଯାଇଥିଲା। ୨୧ ମିନିଟରେ ଇରାନ୍‍ର ଫ୍ରିକିକ୍‍ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୩୪ ମିନିଟରେ ଇରାନ୍‍ର ଫ୍ରିକିକ୍‍ ସଟ୍‍କୁ ପର୍ତ୍ତୁଗାଲ୍‍ ଗୋଲ୍‍ରକ୍ଷକ ରୁଓ ପାଟ୍ରିସିଓ ଧରି ନେଇଥିଲେ। ୩୭ ମିନିଟରେ ଇରାନ୍‍ର ଆକ୍ରମଣକୁ ବେକାର କରିଥିଲେ ପର୍ତ୍ତୁଗାଲ ଡିଫେଣ୍ଡର। ୪୦ ମିନିଟରେ ରୋନାଲ୍‍ଡୋ ସିଧା ଇରାନ୍‍ ଗୋଲ୍‍ରକ୍ଷକଙ୍କୁ ହାତକୁ ସଟ୍‍ ମାରିଥିଲେ। ୪୫ ମିନିଟରେ ଦର୍ଶନୀୟ ଗୋଲ୍‍ ସ୍କୋର୍‍କରି ରିକାର୍ଡୋ କ୍ୱାରେଜ୍‍ମା ପର୍ତ୍ତୁଗାଲ୍‍କୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ କ୍ୱାରେଜ୍‍ମାଙ୍କ ଗୋଲ୍‍ରେ ପର୍ତ୍ତୁଗାଲ୍‍ ଆଗୁଆ ରହିଥିଲା। ୫୦ ମିନିଟରେ ସ୍କୋର୍‍କୁ ୨-୦ କରିବାର ସୁଯୋଗ ପାଇଥିଲା ପର୍ତ୍ତୁଗାଲ। କ୍ରିଷ୍ଟିଆନୋ ରୋନାଲ୍‍ଡୋକୁ ପେନାଲ୍‍ଟି ଏରିଆ ମଧ୍ୟରେ ଇରାନ୍‍ର ସଇଦ୍‍ ଇଜାତୋଲାହି ଫାଉଲ ମାରିଥିଲେ। ଭିଆଏଆର୍‍ ଦେଖି ପର୍ତ୍ତୁଗାଲ୍‍କୁ ପେନାଲ୍‍ଟି ଦେଇଥିଲେ ରେଫେରୀ। ରୋନାଲ୍‍ଡୋ ମାରିଥିବା ପେନାଲ୍‍ଟି କିକ୍‍କୁ ଇରାନ୍‍ ଗୋଲ୍‍ରକ୍ଷକ ଅଲୀ ବିରାନ୍‍ୱାଣ୍ଡ୍‍ ରୋକି ଦେଇଥିଲେ। ଫଳରେ କ୍ରମାଗତ ୨ୟ ମ୍ୟାଚ୍‍ରେ ଗୋଲ୍‍ଦେବାରୁ ରୋନାଲ୍‍ଡୋ ବଞ୍ଚିତ ହୋଇଥିଲେ। ୬୧ ମିନିଟରେ ପର୍ତ୍ତୁଗାଲ୍‍ର ଗ୍ୱୁରେରୋ ଏକ ଗୋଲ୍‍ଦେବାରୁ ବିଫଳ ହୋଇଥିଲେ। ପରେ ଇରାନ୍‍ ମଧ୍ୟ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ଇଞ୍ଜ୍ୟୁରି ସମୟରେ ପର୍ତ୍ତୁଗାଲ୍‍ ଖେଳାଳି ନିଜ ପେନାଲ୍‍ଟି ଏରିଆ ମଧ୍ୟରେ ହ୍ୟାଣ୍ଡବଲ୍‍ କରିବାକୁ ଇରାନ୍‍କୁ ପେନାଲ୍‍ଟି ମିଳିଥିଲା। ଏଥିରୁ ଇରାନ୍‍ର କରିମ୍‍ ଆନ୍‍ସାରିଫାର୍ଦ ଗୋଲ୍‍ ସ୍କୋର କରିବାରୁ ମ୍ୟାଚ୍‍ ୧-୧ ଗୋଲ୍‍ରେ ସମାପ୍ତ ହୋଇଥିଲା।

Leave A Reply