ସେମିଫାଇନାଲରେ ଇଂଲଣ୍ଡ

0

ସମାରା : ଚଳିତ ଫିଫା ବିଶ୍ୱକପ୍‍ରେ ୩ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଶନିବାର ୩ୟ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ସ୍ୱିଡେନ୍‍କୁ ୨-୦ ଗୋଲ୍‍ରେ ହରାଇ ଦୀର୍ଘ ୨୮ ବର୍ଷ ପରେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିଛି। ମ୍ୟାଚ୍‍ର ଉଭୟ ହାଫ୍‌ରେ ହ୍ୟାରି ମାଗ୍ୱାର ଓ ଡେଲ୍‍ ଅଲୀ ଇଂଲଣ୍ଡ ପାଇଁ ଏହି ୨ଟି ଗୋଲ୍‍ ଦେଇଥିଲେ। ଏହି ପରାଜୟ ସହ ୪ଥର ସେମିଫାଇନାଲ ଖେଳିଥିବା ସ୍ୱିଡେନ୍‍ ବିଦାୟ ନେଇଛି। ଅନ୍ୟପକ୍ଷରେ ୧୯୬୬ର ଚମ୍ପିଆନ୍‍ ଇଂଲଣ୍ଡ ୨ୟ ଥର ବିଶ୍ୱକପ୍‍ର ସେମିଫାଇନାଲରେ ପହଞ୍ଚିଛି।
ମ୍ୟାଚ୍‍ ଆରମ୍ଭରୁ ସେପରି ଉଚ୍ଚକୋଟୀର ଖେଳ ଦେଖିବାକୁ ମିଳିନଥିଲା। ୧୧ ମିିନିଟରେ ଡେଲ୍‍ ଅଲୀଙ୍କ ଦୁର୍ବଳ ସଟ୍‍କୁ ପୁଣିଥରେ ରବିନ୍‍ ଓଲ୍‍ସେନ୍‍ ଧରି ନେଇଥିଲେ। ୧୨ ମିନିଟରେ ସ୍ୱିଡେନ୍‍ର ଭିକ୍ଟର କ୍ଲାଏସନ୍‍ ଦୂରରୁ କିକ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୧୪ ମିନିଟରେ କିରାନ୍‍ ଟ୍ରିପିଅରଙ୍କ କ୍ରସ୍‍କୁ ସ୍ୱିଡେନ୍‍ ଖେଳାଳି କ୍ଲିଅର କରି ଦେଇଥିଲେ। ୧୯ ମିନିଟରେ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‍ ଗୋଲ୍‍ ଉପରକୁ ସଟ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨୩ ମିନିଟରେ ଟ୍ରିପିଅରଙ୍କ କ୍ରସ୍‍କୁ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଧରି ନେଇଥିଲେ। ୩୦ ମିନିଟରେ ଇଂଲଣ୍ଡ ପ୍ରଥମ ଗୋଲ୍‍ ଦେଇଥିଲା। ଇଂଲଣ୍ଡକୁ ପ୍ରଥମ କର୍ଣ୍ଣର ମିଳିଥିଲା; ଯାହା ଫଳପ୍ରସୂ ହୋଇଥିଲା। ଆସ୍‍ଲେ ୟଙ୍ଗ୍‍ଙ୍କ କର୍ଣ୍ଣର କିକ୍‍କୁ ଉଚ୍ଚକୁ କୁଦାମାରି ହେଡ୍‍କରି ଗୋଲ୍‍ ଦେଇଥିଲେ ଇଂଲଣ୍ଡ ଡିଫେଣ୍ଡର ହ୍ୟାରି ମାଗ୍ୱାର। ଏହି ଗୋଲ୍‍ ବରଣ କରିବା ପରେ ସ୍ୱିଡେନ୍‍ ଆକ୍ରମଣ କରିଥିଲେ ହେଁ ଏହାର ଫରୱାର୍ଡଙ୍କ ତ୍ରୁଟି ଯୋଗୁଁ ଇଂଲଣ୍ଡର ରକ୍ଷଣଭାଗ ଭେଦ କରି ପାରିନଥିଲା। ୪୧ ମିନିଟରେ ସ୍ୱିଡେନ୍‍ ଗୋଲ୍‍ପୋଷ୍ଟ ସମ୍ମୁଖରେ ବଲ୍‍ ପାଇ ଜେସି ଲିନ୍‍ଗାର୍ଡ ବ୍ୟାକ୍‍ ହିଲ୍‍ ମାରିଥିଲେ ହେଁ ସ୍ୱିଡେନ୍‍ ଖେଳାଳି ଏହାକୁ କ୍ଲିଅର କରି ଦେଇଥିଲେ। ୪୫ ମିନିଟରେ ଇଂଲଣ୍ଡର ରହିମ୍‍ ଷ୍ଟର୍ଲିଂ ଏକ ନିଶ୍ଚିତ ଗୋଲ୍‍ଦେବାରୁ ବଞ୍ଚିତ ହୋଇଥିଲେ। ସ୍ୱିଡେନ୍‍ ରକ୍ଷାପନ୍ଥୀକୁ ପରାସ୍ତକରି ଷ୍ଟର୍ଲିଂ ବଲ୍‍ ପାଇଥିବା ବେଳେ ତାଙ୍କୁ କେବଳ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଓଲ୍‍ସେନ୍‍ଙ୍କୁ ପରାସ୍ତ କରିବାର ଥିଲା। ତେବେ ଷ୍ଟର୍ଲିଂ ଗୋଲ୍‍ପୋଷ୍ଟ ବାହାରକୁ ମାରିଥିଲେ। ଏହିପରି ପ୍ରଥମାର୍ଦ୍ଧରେ ଇଂଲଣ୍ଡ ୧-୦ ଗୋଲ୍‍ରେ ଆଗୁଆ ଥିଲା।
୪୭ ମିନିଟରେ ସ୍ୱିଡେନ୍‍ର ମାର୍କସ ବର୍ଗଙ୍କ ହେଡରକୁ ଇଂଲଣ୍ଡ ଗୋଲ୍‍ରକ୍ଷକ ଜୋର୍ଡାନ୍‍ ପିକ୍‍ଫୋର୍ଡ ଡାଇଭ୍‍ମାରି ବାହାର କରି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ଅତ୍ୟଧିକ ଆକ୍ରମଣ କରିଥିଲା। ଏହାର ସୁଫଳ ୫୯ ମିନିଟରେ ମିଳିଥିଲା ଏବଂ ଇଂଲଣ୍ଡ ୨-୦ରେ ଆଗୁଆ ହୋଇ ଯାଇଥିଲା। ଜେସି ଲିନ୍‍ଗାର୍ଡଙ୍କ ଉଚ୍ଚା କ୍ରସ୍‍ରୁ ହେଡ୍‍କରି ଇଂଲଣ୍ଡର ଡେଲ୍‍ ଅଲୀ ଏହି ଗୋଲ୍‍ଟି ଦେଇଥିଲେ। ୬୨ ମିନିଟରେ ଇଂଲଣ୍ଡ ଗୋଲ୍‍ରକ୍ଷକ ପିକ୍‍ଫୋର୍ଡ ପୁଣିଥରେ ଗୋଲ୍‍ ବଞ୍ଚାଇଥିଲେ। ଡାଇଭ୍‍ ମାରି ଭିକ୍ଟର କ୍ଲାଏସେନ୍‍ଙ୍କ ସଟ୍‍କୁ ରୋକି ଦେଇଥିଲେ ପିକ୍‍ଫୋର୍ଡ। ତଥାପି ମ୍ୟାଚ୍‍ରେ ଇଂଲଣ୍ଡର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୭୨ ମିନିଟରେ ଏକ ପ୍ରତ୍ୟାକ୍ରମଣରୁ ସ୍ୱିଡେନ ଗୋଲ୍‍ଦେବାର ସୁଯୋଗ ପାଇଥିଲା। ତେବେ ଇଂଲଣ୍ଡ ଗୋଲ୍‍ରକ୍ଷକ ଜୋର୍ଡାନ୍‍ ପିକ୍‍ଫୋର୍ଡ ପୁଣିଥରେ ଚମତ୍କାର ଢଙ୍ଗରେ ଗୋଲ୍‍ ବଞ୍ଚାଇ ଦେଇଥିଲେ। ୭୮ ମିନିଟରେ ଇଂଲଣ୍ଡର ଏକ ଆକ୍ରମଣକୁ ପଣ୍ଡ କରି ଦେଇଥିଲେ ସ୍ୱିଡେନ୍‍ର ଏମିଲ କ୍ରାଫ୍‍ଥ। ୯୦ ମିନିଟରେ ଇଂଲଣ୍ଡ ପେନାଲ୍‍ଟି ବକ୍ସ ପାଖରେ ସ୍ୱିଡେନ୍‍ ଫ୍ରିକିକ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟର ବହୁ ଉପରେ ଚାଲି ଯାଇଥିଲା।

Leave A Reply