ନାଇଜେରିଆକୁ ହରାଇ ଆର୍ଜେଣ୍ଟିନା ପ୍ରିକ୍ୱାର୍ଟରରେ

0

ସେଣ୍ଟ୍‍ ପିଟର୍ସବର୍ଗ : ଚଳିତ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ର ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ମଙ୍ଗଳବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଗ୍ରୁପ୍‍ ‘ଡି’ର ମ୍ୟାଚ୍‍ରେ ନାଇଜେରିଆକୁ ୨-୧ ଗୋଲ୍‍ରେ ହରାଇ ଆର୍ଜେଣ୍ଟିନା ଗ୍ରୁପ୍‍ର ୨ୟ ଦଳ ଭାବେ ଶେଷ ୧୬ଟି ଦଳଙ୍କ ମଧ୍ୟରେ ସ୍ଥାନପାଇଛି। ନାଇଜେରିଆ ପାଇଁ ଅଧିନାୟକ ଲିଓନେଲ ମେସି ଗୋଲ୍‍ଦେଇ ଦଳକୁ ଆଗୁଆ କରିଥିଲେ। ତେବେ ପେନାଲ୍‍ଟିରୁ ନାଇଜେରିଆର ଭିକ୍ଟର ମୋଜେସ୍‍ ଗୋଲ୍‍ ସୁଝାଇ ଦେଇଥିଲେ। ୮୬ ମିନିଟରେ ମାର୍କୋ ରୋଜୋଙ୍କ ଗୋଲ୍‍ ଆର୍ଜେଣ୍ଟିନାକୁ ଜିତାଇଥିଲା। ଏହି ମ୍ୟାଚ୍‍ ପୂର୍ବରୁ ମାତ୍ର ୧ ପଏଣ୍ଟ ପାଇଥିବା ଆର୍ଜେଣ୍ଟିନା ମୋଟ ୪ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି। ପ୍ରିକ୍ୱାର୍ଟରରେ ଫ୍ରାନ୍‍ସର ମୁକାବିଲା କରିବ ଆର୍ଜେଣ୍ଟିନା।
୨ ଥର ଚମ୍ପିଆନ୍‍ ହୋଇଥିବା ଏବଂ ଗତ ବିଶ୍ୱକପ୍‍ର ରନର୍ସଅପ୍‍ ଆର୍ଜେଣ୍ଟିନା ପାଇଁ ଏହା ‘କର ବା ମର’ ମୁକାବିଲା ଥିଲା। ବଡ଼ ବ୍ୟବଧାନରେ ବିଜୟ ନିଶ୍ଚୟ ଆବଶ୍ୟକ ବୋଲି ଜାଣିଥିବା ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା। ୫ମ ମିନିଟରେ ଆର୍ଜେଣ୍ଟିନା ବଲ୍‍ ନେଇ ଆଗକୁ ବଢ଼ିଥିଲେ ହେଁ ଆଞ୍ଜେଲ୍‍ ଡି ମାରିଆ ଅଫ୍‍ସାଇଡ୍‍ ଘୋଷିତ ହୋଇଥିଲେ। ୮ମ ମିନିଟରେ ଏଭର ବାନେଗାଙ୍କ ଚମତ୍କାର ଥ୍ରୁ ପାସ୍‍ରୁ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରକୁ ମାରିଥିଲେ ଆର୍ଜେଣ୍ଟିନାର ନିକୋଲାସ୍‍ ଟାଗ୍ଲିଆଫିକୋ। ବିଶ୍ୱକପ୍‍ରେ ନାଇଜେରିଆ ପାଇଁ ସର୍ବାଧିକ ୪ଟି ଗୋଲ୍‍ ଦେଇଥିବା ଅହମ୍ମଦ ମୁସା ଆର୍ଜେଣ୍ଟିନା ଗୋଲ୍‍ପୋଷ୍ଟକୁ କିକ୍‍ ମାରିଥିଲେ ହେଁ ଏହା ପୋଷ୍ଟ ଉପରେ ଚାଲି ଯାଇଥିଲା। ତେବେ ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନାର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୧୪ ମିନିଟରେ ଆର୍ଜେଣ୍ଟିନା ପ୍ରଥମ ଗୋଲ୍‍ ସ୍କୋର୍‍ କରିଥିଲା। ଏହି ଗୋଲ୍‍ ଦେଇଥିଲେ ବିଶ୍ୱପ୍ରସିଦ୍ଧ ତାରକା ଲିଓନେଲ ମେସି। ଏଭର ବାନେଗାଙ୍କ ଚମତ୍କାର ପାସ୍‍ରୁ ବଲ୍‍ ପାଇ ମେସି ଏହି ଗୋଲ୍‍ ଦେଇଥିଲେ। ଚଳିତ ବିଶ୍ୱକପ୍‍ରେ ଏହା ମେସିଙ୍କର ପ୍ରଥମ ଗୋଲ୍‍ ଥିଲା। ପୁଣି ଏହି ବିଶ୍ୱକପ୍‍ରେ ଏହା ୧୦୦ତମ ଗୋଲ୍‍ ଥିବା ବେଳେ ଏହାକୁ ସ୍କୋର୍‍ କରିବାର କୃତିତ୍ୱ ମେସିଙ୍କ ନାମରେ ଯାଇଛି। ଏହାସହ ଡିଏଗୋ ମାରାଡୋନା ଓ ଗାବ୍ରିଏଲ୍‍ ବାତିସ୍ତୁତାଙ୍କ ପରି ଆର୍ଜେଣ୍ଟିନାର ୩ୟ ଖେଳାଳି ଭାବେ ମେସି ୩ଟି ଭିନ୍ନ ବିଶ୍ୱକପ୍‍ରେ ଗୋଲ୍‍ ସ୍କୋର୍‍ କରିଛନ୍ତି। ଏହି ଗୋଲ୍‍ ପରେ ଆର୍ଜେଣ୍ଟିନା ଅଧିକ ଉତ୍ସାହିତ ହୋଇ ଖେଳିଥିବା ବେଳେ ନାଇଜେରିଆ ରକ୍ଷଣାତ୍ମକ ଖେଳରେ ମାତିଥିଲା। ୨୭ ମିନିଟରେ ଆର୍ଜେଣ୍ଟିନା ଷ୍ଟ୍ରାଇକର ଗୋଞ୍ଜାଲୋ ହିଗ୍ୱେନ୍‍ ଗୋଲ୍‍ଦେବାର ସୁଯୋଗ ପାଇଥିଲେ ହେଁ ତଳେ ପଡ଼ି ଯାଇଥିବା ନାଇଜେରିଆ ଗୋଲ୍‍ରକ୍ଷକଙ୍କ ଉପରେ ବଲ୍‍କୁ ମାରି ପାରିନଥିଲେ। ମେସିଙ୍କ ଏହି ଡିଫେନ୍‍ସଭେଦୀ ପାସ୍‍ ବେକାର ହୋଇଥିଲା। ୩୪ ମିନିଟରେ ଭାଗ୍ୟ ଲିଓନେଲ ମେସିଙ୍କ ସହ ନଥିଲା। ଫ୍ରିକିକ୍‍ରୁ ମେସି ମାରିଥିବା ସଟ୍‍କୁ ନାଇଜେରିଆ ଗୋଲ୍‍ରକ୍ଷକ ଫ୍ରାନ୍‍ସିସ୍‍ ଓଜୋହୋ ଅଧା ରୋକିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟରେ ବାଜିଥିଲା। ୩୯ ମିନିଟରେ ମେସିଙ୍କ ପାସ୍‍ରୁ ଆଞ୍ଜେଲ ଡି ମାରିଆ ଗୋଲ୍‍ ହାତଛଡ଼ା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ନାଇଜେରିଆର ପେନାଲ୍‍ଟି ଗୋଲ୍‍ ଆର୍ଜେଣ୍ଟିନା ପାଇଁ ବଜ୍ରପାତ ପରି ଥିଲା। ଆର୍ଜେଣ୍ଟିନା ପେନାଲ୍‍ଟି ଏରିଆ ମଧ୍ୟରେ ନାଇଜେରିଆର ଫରୱାର୍ଡଙ୍କୁ ଟାଣି ପକାଇ ଦେଇଥିଲେ ଆର୍ଜେଣ୍ଟିନାର ହାଭିଏର୍‍ ମାଶ୍ଚାରାନୋ। ନାଇଜେରିଆକୁ ପେନାଲ୍‍ଟି ମିଳିଥିଲା ଏବଂ ଏଥିରୁ ଭିକ୍ଟର ମୋଜେସ୍‍ ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲେ। ୫୭ ମିନିଟରେ ଆର୍ଜେଣ୍ଟିନାକୁ ମିଳିଥିବା କର୍ଣ୍ଣରରୁ ଲିଓନେଲ ମେସି କିକ୍‍ ମାରିଥିଲେ ହେଁ ନାଇଜେରିଆ ଡିଫେଣ୍ଡର ବଲ୍‍କୁ ବାହାର କରି ଦେଇଥିଲେ। ଗୋଲ୍‍ ବରାବର କରିବା ପରେ ସୁପର ଇଗଲ୍‍ସ ଭାବେ ପରିଚିତ ନାଇଜେରିଆ ଉତ୍ସାହିତ ହୋଇ ଖେଳିଥିଲା ଏବଂ ଆର୍ଜେଣ୍ଟିନା ଗୋଲ୍‍ଦେବାର ପ୍ରୟାସରେ ଏକାଧିକ ତ୍ରୁଟି କରିଥିଲା। ୭୧ ମିନିଟରେ ନାଇଜେରିଆ ୱିଲ୍‍ଫ୍ରେଡ୍‍ ଏନ୍‍ଡିଡି ଅତି ନିକଟରୁ ବଲ୍‍କୁ ବାହାରକୁ ମାରିଥିଲେ। ୭୫ ମିନିଟରେ ଆର୍ଜେଣ୍ଟିନା ପେନାଲ୍‍ଟି ଏରିଆ ମଧ୍ୟରେ ଏହାର ଡିଫେଣ୍ଡର ମାର୍କସ ରୋଜୋଙ୍କ ହାତରେ ବଲ୍‍ ବାଜିଥିଲା। ନାଇଜେରିଆ ଖେଳାଳି ହ୍ୟାଣ୍ଡବଲ୍‍ ଅପିଲ କରିଥିଲେ ହେଁ ରେଫେରୀ ଭିଏଆର୍‍ ଦେଖି ଗୋଲ୍‍କୁ ନାକଚ କରି ଦେଇଥିଲେ। ୮୬ ମିନିଟରେ ଆର୍ଜେଣ୍ଟିନା ବିଜୟସୂଚକ ୨ୟ ଗୋଲ୍‍ ଦେଇଥିଲା। ଡାହାଣପଟୁ ପାସ୍‍ପାଇ ମାର୍କୋ ରୋଜୋ ଏହି ବିଜୟସୂଚକ ୨ୟ ଗୋଲ୍‍ ଦେଇଥିଲେ।

Leave A Reply