ଡେନ୍‍ମାର୍କ-ଅଷ୍ଟ୍ରେଲିଆ ମ୍ୟାଚ୍‍ ୧-୧ ଡ୍ର

0

ସାମାରା : ଫିଫା ବିଶ୍ୱକପ୍‍ରେ ଗୁରୁବାର ଗ୍ରୁପ୍‍ ‘ସି’ର  ଏକ ମ୍ୟାଚ୍‍ ଅମୀମାଂସିତ ଭାବେ ଶେଷ ହୋଇଛି। ଅଷ୍ଟ୍ରେଲିଆ ଓ ଡେନ୍‍ମାର୍କ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‍ ୧-୧ ଗୋଲ୍‍ରେ ଶେଷହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଡେନ୍‍ମାର୍କର କ୍ରିଷ୍ଟିଆନ୍‍ ଏରିକ୍‍ସେନ୍‍ ଗୋଲ୍‍ଦେଇ ଦଳକୁ ଆଗୁଆ କରିଥିବା ବେଳେ ପେନାଲ୍‍ଟିରୁ ଅଷ୍ଟ୍ରେଲିଆ ଅଧିନାୟକ ମିଲେ ଜେଡିନାକ୍‍ ଗୋଲ୍‍ ସୁଝାଇ ଦେଇଥିଲେ। ଉଭୟ ଗୋଲ୍‍ ପ୍ରଥମାର୍ଦ୍ଧରେ ହୋଇଥିଲା। ପ୍ରଥମ ମ୍ୟାଚ୍‍ରେ ପେରୁକୁ ପରାସ୍ତ କରିଥିବା ଡେନ୍‍ମାର୍କ ଏହି ୧ ପଏଣ୍ଟ ସହ ୪ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚ୍‍ରେ ଫ୍ରାନ୍‍ସଠାରୁ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆ ୧ ପଏଣ୍ଟ ସହ ଖାତା ଖୋଲିପାରିଛି।
ମ୍ୟାଚ୍‍ ଆରମ୍ଭରୁ ଉଭୟ ଡେନ୍‍ମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ୫ମ ମିନିଟରେ କର୍ଣ୍ଣର କିକ୍‍ରୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ହେଡର୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୭ମ ମିନିଟରେ ଡେନ୍‍ମାର୍କ ଆଗୁଆ ହୋଇ ଯାଇଥିଲା। ନିକୋଲାଇ ଜର୍ଜେନ୍‍ସେନ୍‍ଙ୍କ ପାସ୍‍ରୁ କ୍ରିଷ୍ଟିଆନ୍‍ ଏରିକ୍‍ସେନ୍‍ ଗୋଲ୍‍ଦେଇ ଡେନ୍‍ମାର୍କ ସପକ୍ଷରେ ସ୍କୋର୍‍ ୧-୦ କରିଥିଲେ। ସୂଚନାଯୋଗ୍ୟ; ଏହା ପୂର୍ବରୁ ଯେଉଁ ମ୍ୟାଚ୍‍ରେ ଏରିକ୍‍ସେନ୍‍ ଗୋଲ୍‍ ସ୍କୋର୍‍ କରିଛନ୍ତି; ସେହି ମ୍ୟାଚ୍‍ରେ ଡେନ୍‍ମାର୍କ ପରାସ୍ତ ହୋଇନାହିଁ। ଆରମ୍ଭରୁ ଗୋଲ୍‍ ବରଣ କରିବା ପରେ ଅଷ୍ଟ୍ରେଲିଆ ଖେଳାଳି ଘନଘନ ଆକ୍ରମଣ କରିଥିବା ବେଳେ ଫିନିସିଂ କରି ପାରିନଥିଲେ। ମ୍ୟାଚ୍‍ର ପ୍ରଥମ ଅଧଘଣ୍ଟାରେ ଡେନ୍‍ମାର୍କ ଅଧିକ ଆକ୍ରମଣ କରିବା ଦେଖା ଯାଇଥିଲା। କଙ୍ଗାରୁ ଦଳର ଟମ୍‍ ରେଜିକ୍‍ ଓ ମାଥ୍ୟୁ ଲେକି ମିଡ୍‍ଫିଲ୍‍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକାଧିକ ଗୋଲ୍‍ଦେବାର ସୁଯୋଗ ସୃଷ୍ଟି କରିଥିଲେ। ୩୮ ମିନିଟରେ ଅଷ୍ଟ୍ରେଲିଆ ଗୋଲ୍‍ ସୁଝାଇ ଦେଇଥିଲା। ଏକ କର୍ଣ୍ଣର କିକ୍‍ରୁ ବଲ୍‍ ପହଞ୍ଚିଥିଲା ଡେନ୍‍ମାର୍କ ଗୋଲ୍‍ରକ୍ଷକ ସ୍କିମାଇକେଲଙ୍କ ପାଖରେ। ସ୍କିମାଇକେଲ ବଲ୍‍କୁ କ୍ଲିଅର କରିବାର ପ୍ରୟାସ କରିଥିବା ବେଳେ ଡେନ୍‍ମାର୍କର ୟୁସୁଫ୍‍ ୟୁରାରି ପୌଲସେନ୍‍ଙ୍କ ହାତ ବଲ୍‍ରେ ବାଜିଥିଲା। ଭିଏଆର୍‍ ଦେଖିବା ପରେ ରେଫେରୀ ଅଷ୍ଟ୍ରେଲିଆକୁ ପେନାଲ୍‍ଟି ଦେଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମିଲେ ଜେଡିନାକ୍‍ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ସୂଚନାଯୋଗ୍ୟ; ଫ୍ରାନ୍‍ସ ବିପକ୍ଷ ପ୍ରଥମ ମ୍ୟାଚ୍‍ରେ ମଧ୍ୟ ଅଷ୍ଟ୍ରେଲିଆ ଭିଏଆର୍‍ ଦ୍ୱାରା ପେନାଲ୍‍ଟି ପାଇଥିଲା ଏବଂ ଏଥିରୁ ମିଲେ ଜେଡିନାକ୍‍ ଗୋଲ୍‍ ସ୍କୋର୍‍ କରିଥିଲେ। ସୂଚନାଯୋଗ୍ୟ; ଚଳିତ ବିଶ୍ୱକପ୍‍ରେ ଏହା ଜେଡିନାକ୍‍ଙ୍କ ୨ୟ ଏବଂ ମୋଟ ଉପରେ ବିଶ୍ୱକପ୍‍ରେ ୩ୟ ପେନାଲ୍‍ଟି ଗୋଲ। ୩ କିମ୍ବା ଅଧିକ ପେନାଲ୍‍ଟି ଗୋଲ୍‍ କରିବାରେ ଜେଡିନାକ୍‍ ବିଶ୍ୱର ୭ମ ଖେଳାଳି। ପରେ ମଧ୍ୟାନ୍ତର ହ୍ୱିସ୍‍ଲ ପର୍ଯ୍ୟନ୍ତ ଆଉ ଗୋଲ୍‍ ହୋଇନଥିଲା। ଦ୍ୱିତୀୟାର୍ଦ୍ଧରେ ଖେଳର ଗତି ବଢ଼ିଥିଲା। ୬୭ ମିନିଟରେ ଡେନ୍‍ମାର୍କ ଅଳ୍ପକେ ଗୋଲ୍‍ ବରଣରୁ ବର୍ତ୍ତି ଯାଇଥିଲା। ଅଷ୍ଟ୍ରେଲିଆ ଆକ୍ରମଣରୁ ଡେନ୍‍ମାର୍କ ଗୋଲ୍‍ରକ୍ଷକ କାସ୍ପର ସ୍କିମାଇକେଲ ଆଗକୁ ଆସି ବଲ୍‍କୁ ବାହାର କରି ଦେଇଥିଲେ। ୮୧ ମିନିଟରେ ମଧ୍ୟ ଅଷ୍ଟ୍ରେଲିଆ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲା।

Leave A Reply