ସେମିରେ ଫ୍ରାନ୍ସ ଓ ବେଲ୍‌ଜିୟମ

0

ନିଝ୍‍ନି ନବ୍‍ଗରୋଡ୍‍ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ଆଉ ଏକ ବିପର୍ଯ୍ୟୟ ଘଟିଛି। ବେଲ୍‌ଜିୟମ ଦ୍ବିତୀୟ କ୍ବାର୍ଟରଫାଇନାଲ ମ୍ୟାଚରେ ୫ଥର ବିଜେତା ବ୍ରାଜିଲକୁ ୨-୧ ଗୋଲରେ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। ବେଲ୍‌ଜିୟମ ପ୍ରଥମାର୍ଦ୍ଧରେ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ବେଲ୍‌ଜିୟମ ବିଶ୍ବକପ ଇତିହାସରେ ଦ୍ବିତୀୟ ଥର ପାଇଁ ସେମିଫାଇନାଲକୁ ଉନ୍ନୀତ ହୋଇଛି।
ପୂର୍ବରୁ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଫ୍ରାନ୍ସ ୨-୦ ଗୋଲ୍‍ରେ ଉରୁଗୁଏକୁ ପରାସ୍ତ କରିଛି। ୪୦ ମିନିଟରେ ଗୋଲ୍‍ଦେଇ ରାଫେଲ ଭାରାନେ ଫ୍ରାନ୍ସକୁ ଆଗୁଆ କରିଥିବା ବେଳେ ୬୧ ମିନିଟରେ ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ ଫ୍ରାନ୍‍ସ ପାଇଁ ଦ୍ବିତୀୟ ଗୋଲ୍‍ଟି ଦେଇଥିଲେ। ୧୯୯୮ର ଚମ୍ପିଆନ୍‍ ଫ୍ରାନ୍ସ ୬ଷ୍ଠ ଥର ପାଇଁ ବିଶ୍ୱକପ୍‍ର ସେମିଫାଇନାଲରେ ପ୍ରବେଶ କରିଛି। ଏହି ପରାଜୟ ସହ ୨ ଥର ଚମ୍ପିଆନ୍‍ ଉରୁଗୁଏ ବିଦାୟ ନେଇଛି। ପ୍ରିକ୍ୱାର୍ଟରଫାଇନାଲରେ ଉରୁଗୁଏ ପାଇଁ ଉଭୟ ଗୋଲ୍‍ ଦେଇଥିବା ଏଡିନ୍‍ସନ କାଭାନି ଏହି ମ୍ୟାଚ୍‍ରେ ଖେଳିନଥିଲେ। ତଥାପି ମ୍ୟାଚ୍‍ ଆରମ୍ଭରୁ ଉରୁଗୁଏ ଅଧିକ ଆକ୍ରମଣ କରିଥିଲା। ୪ର୍ଥ ମିନିଟରେ ଉରୁଗୁଏର ସଂଗଠିତ ଆକ୍ରମଣରୁ ସାଥୀ ଷ୍ଟ୍ରାଇକର କ୍ରିଷ୍ଟିଆନ୍‍ ଷ୍ଟୁଆନିଙ୍କୁ ବଲ୍‍ ଦେଇଥିଲେ ତାରକା ଖେଳାଳି ଲୁଇ ସ୍ୱାରେଜ୍‍। ତେବେ ଷ୍ଟୁଆନି ଏକ ଦୁର୍ବଳ ସଟ୍‍ ମାରିଥିଲେ। ୮ ମିନିଟରେ ଫ୍ରାନ୍ସର ଲ୍ୟୁକାସ୍‍ ହର୍ଣ୍ଣାଣ୍ଡେଜ୍‍ଙ୍କ ସଟ୍‍ ସାଥୀ ଖେଳାଳି ଅଲିଭର ଜିରୋଡ୍‍ଙ୍କ ଶରୀରରେ ବାଜିଥିଲା। ୧୦ମ ମିନିଟରେ ଫ୍ରିକିକ୍‍ରୁ ଫ୍ରାନ୍ସ ଖେଳାଳି ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୧୩ ମିନିଟରେ ଉରୁଗୁଏକୁ ପ୍ରଥମ କର୍ଣ୍ଣର ମିଳିଥିଲା। ତେବେ ବଲ୍‍କୁ ଫ୍ରାନ୍ସ ଗୋଲ୍‍ରକ୍ଷକ ହ୍ୟୁଗୋ ଲରିସ୍‍ ବାହାର କରି ଦେଇଥିଲେ। ୧୫ ମିନିଟରେ ଫ୍ରାନ୍ସକୁ ଚମତ୍କାର ସୁଯୋଗ ମିଳିଥିଲା। ଅତି ପାଖରୁ କିଲିୟାନ୍‍ ଏମ୍‍ବାପେ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୧୮ ମିନିଟରେ ଫ୍ରାନ୍‍ସର ପଲ୍‍ ପୋଗ୍‍ବାଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୩୦ ମିନିଟରେ ଏମ୍‍ବାପେ ଉରୁଗୁଏ ଗୋଲ୍‍ପୋଷ୍ଟ ସମ୍ମୁଖରେ କ୍ରସ୍‍ ମାରିଥିଲେ ହେଁ ବଲ୍‍ ପାଖରେ ଫ୍ରାନ୍‍ସର କୌଣସି ଖେଳାଳି ପହଞ୍ଚି ପାରିନଥିଲେ। ୫ ମିନିଟ ପରେ ମଧ୍ୟ ଏମ୍‍ବାପେଙ୍କ କ୍ରସ୍‍ ବେକାର ହୋଇଥିଲା। ୪୦ ମିନିଟରେ ଫ୍ରାନ୍ସ ଗୋଲ୍‍ ଦେଇଥିଲା। ଫ୍ରିକିକ୍‍ରୁ ଫ୍ରାନ୍ସର ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ ମାରିଥିବା ସଟ୍‍କୁ ଚମତ୍କାର ଢଙ୍ଗରେ ହେଡ୍‍କରି ରାଫେଲ ଭାରାନେ ଫ୍ରାନ୍ସକୁ ୧-୦ରେ ଆଗୁଆ କରିଥିଲେ। ଏହି ଗୋଲ୍‍ ପରେ ଉରୁଗୁଏ ଅଧିକ ଆକ୍ରମଣ କରିଥିଲା। ୪୪ ମିନିଟରେ ଫ୍ରାନ୍ସ ଗୋଲ୍‍ରକ୍ଷକ ଲରିସ୍‍ ଏକ ନିଶ୍ଚିତ ଗୋଲ୍‍ ବଞ୍ଚାଇଥିଲେ। ଉରୁଗୁଏର ମାର୍ଟିନ୍‍ କାସେରେସ୍‍ ମାରିଥିବା ହେଡରକୁ ଡାଇଭ୍‍ମାରି ଲରିସ୍‍ ବାହାର କରି ଦେଇଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଫ୍ରାନ୍ସର ଆଧିପତ୍ୟ ଦେଖିବାକୁ ମିଳିଥିଲା। ୬୧ ମିନିଟରେ ଫ୍ରାନ୍ସ ୨ୟ ଗୋଲ୍‍ ଦେଇଥିଲା। ତାରକା ଷ୍ଟ୍ରାଇକର ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ ଏହି ଗୋଲ୍‍ଦେଇ ଫ୍ରାନ୍ସକୁ ୨-୦ ଗୋଲ୍‍ରେ ଆଗୁଆ କରିଥିଲେ।

Leave A Reply