ପ୍ରିକ୍ୱାର୍ଟରରେ ରୁଷିଆ

0

ସେଣ୍ଟ ପିଟର୍ସବର୍ଗ :  ଚଳିତ ଫିଫା ବିଶ୍ୱକପ୍‍ରେ ପ୍ରଥମ ଦଳ ଭାବେ ପ୍ରିକ୍ୱାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଆୟୋଜକ ରୁଷିଆ। ଗ୍ରୁପ୍‍ ‘ଏ’ରେ କ୍ରମାଗତ ୨ଟି ମ୍ୟାଚ୍‍ ଜିତି ରୁଷିଆ ଏହି କୃତିତ୍ୱ ହାସଲ କରିଛି। ମଙ୍ଗଳବାର ଇଜିପ୍‍ଟକୁ ୩-୧ ଗୋଲ୍‍ରେ ରୁଷିଆ ପରାସ୍ତକରି ଶେଷ ୧୬ଟି ଦଳଙ୍କ ମଧ୍ୟରେ ସ୍ଥାନପାଇଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଇଜିପ୍‍ଟର ଅହମ୍ମଦ ଫାଥି ଆତ୍ମଘାତୀ ଗୋଲ୍‍ ଦେଇଥିବା ବେଳେ ଡେନିସ୍‍ ଚେରିସେଭ୍‍ ଓ ଆର୍ତେମ୍‍ ଜ୍ୟୁବା ରୁଷିଆ ପାଇଁ ୨ଟି ଦର୍ଶନୀୟ ଗୋଲ୍‍ ଦେଇଥିଲେ। ଇଜିପ୍‍ଟ ପାଇଁ ମହମ୍ମଦ ସାଲ୍ଲା ଏକମାତ୍ର ଗୋଲ୍‍ ଦେଇଥିଲେ। ପ୍ରଥମ ମ୍ୟାଚ୍‍ରେ ସାଉଦି ଆରବକୁ ୫-୦ ଗୋଲ୍‍ରେ ହରାଇଥିବା ରୁଷିଆ କ୍ରମାଗତ ସହଜ ବିଜୟ ସହ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ ଖେଳିବା ନିଶ୍ଚିତ କରିଛି।
ଘରୋଇ ଦର୍ଶକଙ୍କ ପ୍ରବଳ ସମର୍ଥନରେ ଖେଳିଥିବା ରୁଷିଆ ଆରମ୍ଭରୁ ଆକ୍ରମଣ କରିଥିଲା। ୫ ମିନିଟରେ କର୍ଣ୍ଣର କିକ୍‍ରୁ ସର୍ଜେଇ ଇଗ୍ନାସେଭିଚ୍‍ଙ୍କ ହେଡର ସିଧା ଇଜିପ୍‍ଟ ଗୋଲ୍‍ରକ୍ଷକ ମହମ୍ମଦ ଏଲ୍‍-ସେନାୱିଙ୍କ ପାଖକୁ ଯାଇଥିଲା। ୧୬ ମିନିଟରେ ଇଜିପ୍‍ଟ ପ୍ରଥମ ଗୋଲ୍‍ ଅଭିମୁଖୀ ଆକ୍ରମଣ କରିଥିଲା। ଟ୍ରେଜେଗ୍ୱେଙ୍କ ସଟ୍‍ ଗୋଲ୍‍ପୋଷ୍ଟ ପାଖ ଦେଇ ଚାଲି ଯାଇଥିଲା। ୧୯ ମିନିଟରେ କିଛି ଦୂରରୁ ଡେନିସ୍‍ ଚେରିସେଭ୍‍ ଜୋରଦାର ସଟ୍‍ ମାରିଥିଲେ ହେଁ ବଲ୍‍ କ୍ରସ୍‍ବାର ଉପରେ ଚାଲି ଯାଇଥିଲା। ୨୬ ମିନିଟ୍‍ରେ ବଲ୍‍ କ୍ଲିଅର କରିବା ପ୍ରୟାସରେ ଇଜିପ୍‍ଟ ଡିଫେଣ୍ଡର ବଲ୍‍କୁ ନିଜ ଗୋଲ୍‍ରକ୍ଷକଙ୍କ ଆଡ଼କୁ ମାରିଥିଲେ। ସୌଭାଗ୍ୟବଶତଃ ବଲ୍‍କୁ ଗୋଲ୍‍ରକ୍ଷକ ମହମ୍ମଦ ଏଲ୍‍-ସେନାୱି ଧରି ନେଇଥିଲେ। ଏହି ମ୍ୟାଚ୍‍ରେ ଇଜିପ୍‍ଟର ତାରକା ଷ୍ଟ୍ରାଇକର ମହମ୍ମଦ ସାଲ୍ଲା ଖେଳିଥିଲେ ହେଁ ତାଙ୍କୁ ରୁଷିଆ ଡିଫେଣ୍ଡର କୌଣସି ସୁଯୋଗ ଦେଇନଥିଲେ। ୪୨ ମିନିଟରେ ସାଲ୍ଲାଙ୍କୁ ପ୍ରଥମ ସୁଯୋଗ ମିଳିଥିଲା। ଡିଫେଣ୍ଡରଙ୍କୁ ଚକ୍‍ମାଦେଇ ସାଲ୍ଲା ବାମପାଦରେ ସଟ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ଏଥିରେ ରୁଷିଆ ଅଧିକ ସୁଯୋଗ ପାଇଥିଲା।
ଦ୍ୱିତୀୟାର୍ଦ୍ଧରେ ରୁଷିଆ ଆଗୁଆ ହୋଇ ଯାଇଥିଲା। ୪୭ ମିନିଟରେ ଇଜିପ୍‍ଟ ଦଳର ଏକ ଆତ୍ମଘାତୀ ଗୋଲ୍‍ ଘରୋଇ ରୁଷିଆକୁ ଆଗୁଆ କରିଥିଲା। ଆଲେକ୍‍ଜାଣ୍ଡର ଗୋଲୋଭିନ୍‍ ବଲ୍‍କୁ କ୍ରସ୍‍ କରିଥିଲେ। ଏହାକୁ ଇଜିପ୍‍ଟ ଗୋଲ୍‍ରକ୍ଷକ ମହମ୍ମଦ ଏଲ୍‍-ସେନାୱି ରୋକି ଦେଇଥିଲେ। ବଲ୍‍ ପହଞ୍ଚିଥିଲା ରୋମାନ୍‍ ଜୋବ୍‍ନିନ୍‍ଙ୍କ ପାଖରେ। ତାଙ୍କର ଶକ୍ତିଶାଳୀ ସଟ୍‍କୁ ଇଜିପ୍‍ଟ ଡିଫେଣ୍ଡର ଅହମ୍ମଦ ଫାଥି ରୋକିବାକୁ ପ୍ରୟାସ କରିଥିଲେ ହେଁ ତାଙ୍କ ଆଣ୍ଠୁରେ ବଲ୍‍ ବାଜି ଗୋଲ୍‍ପୋଷ୍ଟ ମଧ୍ୟକୁ ପଶି ଯାଇଥିଲା। ସୂଚନାଯୋଗ୍ୟ; ଚଳିତ ବିଶ୍ୱକପ୍‍ରେ ଏହା ୫ମ ଆତ୍ମଘାତୀ ଗୋଲ୍‍। ୨୦୧୪ ବିଶ୍ୱକପ୍‍ରେ ମୋଟ ୫ଟି ଆତ୍ମଘାତୀ ଗୋଲ୍‍ ହୋଇଥିଲା। ୧୯୯୮ ବିଶ୍ୱକପ୍‍ରେ ରେକର୍ଡ ୬ଟି ଆତ୍ମଘାତୀ ଗୋଲ୍‍ ହୋଇଥିଲା। ବୋଧହୁଏ ଏହି ବିଶ୍ୱକପ୍‍ରେ ଏହି ସଂଖ୍ୟା ସର୍ବାଧିକ ହୋଇଯିବ। ୫୯ ମିିନିଟରେ ରୁଷିଆ ୨ୟ ଗୋଲ୍‍ ଦେଇଥିଲା। ମାରିଓ ଫର୍ଣ୍ଣାଣ୍ଡେଜ୍‍ଙ୍କ ପାସ୍‍ରୁ ଡେନିସ୍‍ ଚେରିସେଭ୍‍ ଏହି ଗୋଲ୍‍ ଦେଇଥିଲେ। ୩ ମିନିଟ ପରେ ରୁଷିଆ ୩ୟ ଗୋଲ୍‍ ଦେଇଥିଲା। ଆର୍ତେମ୍‍ ଜ୍ୟୁବା ଏହି ଦର୍ଶନୀୟ ଗୋଲ୍‍ଟି ସ୍କୋର୍‍ କରିଥିଲେ। ବଲ୍‍କୁ ଛାତିରେ ରୋକି ବୁଲିକରି ଜୋର୍‍ଦାର ସଟ୍‍ମାରି ଜ୍ୟୁବା ଏହି ଗୋଲ୍‍ ସ୍କୋର୍‍ କରିଥିଲେ। ୭୨ ମିନିଟରେ ଇଜିପ୍‍ଟ ଷ୍ଟ୍ରାଇକର ମହମ୍ମଦ ସାଲ୍ଲାଙ୍କୁ ପେନାଲ୍‍ଟି ବକ୍ସ ମଧ୍ୟରେ ଫାଉଲ୍‍ ହୋଇଥିଲା। ରେଫେରି ଭିଏଆର୍‍ ଦେଖି ଇଜିପ୍‍ଟକୁ ପେନାଲ୍‍ଟି ଦେଇଥିଲେ। ଏଥିରୁ ସାଲ୍ଲା ଗୋଲ୍‍ ସ୍କୋର୍‍ କରିଥିଲେ। ଏହି ଗୋଲ୍‍ରେ ଉତ୍ସାହିତ ହୋଇ ଇଜିପ୍‍ଟ ଆକ୍ରମଣ କରିଥିଲେ ହେଁ ରୁଷିଆ ଡିଫେଣ୍ଡର ଏହାକୁ କୌଣସି ସୁଯୋଗ ଦେଇନଥିଲେ।

Leave A Reply