ପୋଲାଣ୍ଡ ବିପକ୍ଷରେ ସେନିଗାଲ ବିଜୟୀ

0

ମସ୍କୋ : ଚଳିତ ଫିଫା ବିଶ୍ୱକପ୍‍ରେ ମଙ୍ଗଳବାର ଗ୍ରୁପ୍‍ ‘ଏଚ୍‍’ର ଏକ ମ୍ୟାଚ୍‍ରେ ପୋଲାଣ୍ଡକୁ ୨-୧ ଗୋଲ୍‍ରେ ପରାସ୍ତ କରିଛି ସେନିଗାଲ। ପୋଲାଣ୍ଡର ଥିଆଗୋ ସିଓନେକ୍‍ ଆତ୍ମଘାତୀ ଗୋଲ୍‍ ଦେଇଥିବା ବେଳେ ଏମ୍‍ବାୟେ ନିଆଙ୍ଗ୍‍ ସେନିଗାଲ୍‍ ପାଇଁ ୨ୟ ଗୋଲ୍‍ ଦେଇଥିଲେ। ଶେଷଆଡ଼କୁ ଗ୍ରେଗୋର୍ଜ କ୍ରାଇଚୋୱାକ୍‍ ପୋଲାଣ୍ଡ ପାଇଁ ଏକ ଗୋଲ୍‍ ସୁଝାଇ ଦେଇଥିଲେ। ସୂଚନାଯୋଗ୍ୟ; ପୋଲାଣ୍ଡ ୨ ଥର ବିଶ୍ୱକପ୍‍ରେ ୩ୟ ସ୍ଥାନରେ ରହିଥିବା ବେଳେ ସେନିଗାଲ ୨୦୦୨ରେ କ୍ୱାର୍ଟରଫାଇନାଲ ଖେଳିଥିଲା।
ମ୍ୟାଚ୍‍ର ପ୍ରଥମ ୧୫ ମିନିଟରେ ଖେଳ ମୁଖ୍ୟତଃ ମିଡ୍‍ଫିଲ୍‍ଡରେ ସୀମିତ ରହିଥିଲା। ଅବଶ୍ୟ ସେନିଗାଲ୍‍ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ୭ମ ମିନିଟରେ ସେନିଗାଲ୍‍ର ଏମ୍‍ବାୟେ ନିଆଙ୍ଗ୍‍ ଗୋଲ୍‍ ସମ୍ମୁଖରେ ବଲ୍‍ ପାଇ କିକ୍‍ ମାରିଥିଲେ ହେଁ ପୋଲାଣ୍ଡ ଗୋଲ୍‍ରକ୍ଷକ ୱିଜ୍‍ସିଏଚ୍‍ ସ୍କେଜେସ୍‍ନି ଏହାକୁ ରୋକି ଦେଇଥିଲେ। ୧୧ ମିନିଟରେ ମଧ୍ୟ ସେନିଗାଲ୍‍ର ଗୋଲ୍‍ ଅଭିମୁଖୀ ଆକ୍ରମଣ ବେକାର ହୋଇଥିଲା। ୧୮ ମିନିଟରେ ଏମ୍‍ବାୟେ ନିଆଙ୍ଗ୍‍ ଏକ ସୁନ୍ଦର ପାସ୍‍ ପାଇଥିଲେ ହେଁ ତାଙ୍କ କିକ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨୦ ମିନିଟରେ ପୋଲାଣ୍ଡର ତାରକା ଖେଳାଳି ଆର୍କାଡ୍ୟୁଜ୍‍ ମିଲିକ୍‍ ଡାଇଭ୍‍ମାରି ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨୩ ମିନିଟରେ ପୋଲାଣ୍ଡର ଅଭିଜ୍ଞ ଷ୍ଟ୍ରାଇକର ରବର୍ଟ ଲିୱାଣ୍ଡୋୱସ୍କିଙ୍କ ସଟ୍‍ ମଧ୍ୟ ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହିପରି ମ୍ୟାଚ୍‍ରେ ପୋଲାଣ୍ଡର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୩୮ ମିନିଟରେ ଆତ୍ମଘାତୀ ଗୋଲ୍‍ ବଳରେ ଆଫ୍ରିକୀୟ ଦେଶ ସେନିଗାଲ ଆଗୁଆ ହୋଇ ଯାଇଥିଲା। ସେନିଗାଲ୍‍ର ଇଦ୍ରିସା ଗ୍ୱୁୟେ ପୋଲାଣ୍ଡ ଗୋଲ୍‍ପୋଷ୍ଟକୁ ସଟ୍‍ ମାରିଥିଲେ। ଏହାକୁ କ୍ଲିଅର କରିବା ପ୍ରୟାସରେ ଥିଆଗୋ ସିଓନେକ୍‍ଙ୍କ ପାଦରେ ବାଜି ବଲ୍‍ ପୋଲାଣ୍ଡ ଗୋଲ୍‍ପୋଷ୍ଟ ମଧ୍ୟକୁ ଚାଲି ଯାଇଥିଲା। ଏହି ଗୋଲ୍‍ ପରେ ମଧ୍ୟାନ୍ତର ପର୍ଯ୍ୟନ୍ତ ସେନିଗାଲ୍‍ କିଛି ସଂଘବଦ୍ଧ ଆକ୍ରମଣ କରିଥିଲେ ହେଁ ଗୋଲ୍‍ ହୋଇନଥିଲା। ୫୦ ମିନିଟରେ ଏକ ନିଶ୍ଚିତ ଗୋଲ୍‍ରୁ ଦଳକୁ ବଞ୍ଚାଇ ଦେଇଥିଲେ ସେନିଗାଲ୍‍ ଗୋଲ୍‍ରକ୍ଷକ ଖାଦିମ୍‍ ଏନ୍‍ଡିଆୟେ। ଏକ ଫ୍ରିକିକ୍‍ରୁ ରବର୍ଟ ଲିୱାଣ୍ଡୋୱସ୍କି ଦର୍ଶନୀୟ କିକ୍‍ ମାରିଥିଲେ; ଯାହାକୁ ଏନ୍‍ଡିଆୟେ ଡାଇଭ୍‍ ମାରି ବାହାର କରି ଦେଇଥିଲେ। ୫୬ ମିନିଟରେ ଅତି ପାଖରୁ ପୋଲାଣ୍ଡର ଲ୍ୟୁକାଜ୍‍ ପିଜ୍‍ସେକ୍‍ ବାହାରକୁ ମାରି ଦେଇଥିଲେ। ୬୧ ମିନିଟରେ ସେନିଗାଲ ୨ୟ ଗୋଲ୍‍ ଦେଇଥିଲା। ଗ୍ରେଗୋର୍ଜ କ୍ରାଇଚୋୱାକ୍‍ ମଧ୍ୟରେଖା ପାଖରୁ ଗୋଲ୍‍ରକ୍ଷକଙ୍କୁ ବ୍ୟାକ୍‍ ପାସ୍‍ ଦେଇଥିଲେ। ତେବେ ସେନିଗାଲ୍‍ର ଏମ୍‍ବାୟେ ନିଆଙ୍ଗ୍‍ ବଲ୍‍କୁ ରୋକି ପୋଲାଣ୍ଡ ଗୋଲ୍‍ରକ୍ଷକ ସ୍କେଜେସ୍‍ନିଙ୍କ ମୁଣ୍ଡ ଉପରେ ବଲ୍‍ ମାରି ଗୋଲ୍‍ ସ୍କୋର୍‍ କରିଥିଲେ। ୭୦ ମିନିଟରେ ପୁଣିଥରେ ଆର୍କାଡ୍ୟୁଜ୍‍ ମିଲିକ୍‍ ଗୋଲ୍‍ପୋଷ୍ଟ ବାହାରକୁ ସଟ୍‍ ମାରିଥିଲେ। ୮୬ ମିନିଟରେ ପୋଲାଣ୍ଡ ପ୍ରଥମ ଗୋଲ୍‍ ଦେଇଥିଲା। ଏକ କ୍ରସ୍‍ରୁ ହେଡ୍‍କରି ଗ୍ରେଗୋର୍ଜ କ୍ରାଇଚୋୱାକ୍‍ ପୋଲାଣ୍ଡ ପାଇଁ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ।

Leave A Reply