ଯୁବକଙ୍କୁ ନିର୍ମମ ହତ୍ୟା, ନ୍ୟାୟ ଦାବିରେ ଲୋକଙ୍କ ରାସ୍ତାରୋକ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତୃତାରୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ମୃତକଙ୍କ ପରିବାର ଓ ସ୍ଥାନୀୟର ଶତାଧିକ ଲୋକ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ କରି ନ୍ୟାୟ ସହିତ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ପୁଲିସର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା।

ଖବର ମୁତାବକ ଜେମାଦେଇପୁର ଗ୍ରାମର ବେଣୁଧର ବାରିକଙ୍କ ଏକମାତ୍ର ପୁଅ ବିଶ୍ଵନାଥ ବାରିକ ଓରଫ୍ ମଣ୍ଟୁ (୨୫) ବର୍ଷଙ୍କୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ହାଣି ଏଵଂ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ବୁଧବାର ପୂର୍ବାହ୍ନ ସମୟରେ ବିଶ୍ଵନାଥ କାମ କରୁଥିବା କ୍ରସରକୁ ଯାଇଥିଲେ। ଯିବା ବାଟରେ ତାଙ୍କୁ ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ଡାକ ବଙ୍ଗଳା ନିକଟରେ ସଂଯୁକ୍ତ ଜଙ୍ଗଲି ରାସ୍ତାରେ କେତକ ଦୂର୍ବୁତ୍ତ ଅଟକାଇବା ସହ ନିକଟସ୍ଥ ରେଙ୍ଗାଲି କେନାଲ ନିକଟକୁ ଘୋଷାଡି ନେଇ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।

ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ହୋଲି ଦିନ ବିଶ୍ଵନାଥ ଏବଂ ତାଙ୍କର କେତକ ସହଯୋଗୀଙ୍କ ସହିତ ଅନ୍ୟ ଏକ ଗୋଷ୍ଠୀର ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ସେହି ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ୧୦୮ ଆମ୍ବୁଲାନ୍ସ ଯୋଗେ ତିଗିରିଆ ଡ଼ାକ୍ତରଖାନାକୁ ଆଣୁଥିବା ବେଳେ ଜେମାଦେଇପୁର ପଞ୍ଚାୟତ ଛକଠାରେ ମୃତକଙ୍କ ପରିବାର ଓ ଶତାଧିକ ସ୍ଥାନୀୟ ଲୋକ ବିଶ୍ଵନାଥଙ୍କ ମୃତ ଦେହକୁ ଅଟକାଇ ରଖିବା ସହ ରାସ୍ତାରୋକ କରିଥିଲେ।ରାସ୍ତାରୋକ ସମ୍ପର୍କରେ ଖବର ପାଇ ତିଗିରିଆ, ଆଠଗଡ଼ ଏବଂ ମାଣିଆବନ୍ଧ ଥାନା ପୁଲିସ ସହିତ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଦୋଷୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକେ ଏବଂ ମୃତକଙ୍କ ପରିବାର ଲୋକେ ଆନ୍ଦୋଳନରୁ ଓହରି ଥିଲେ।

ପୁଲିସ ମୃତ ଯୁବକଙ୍କ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିଲା। ମୃତକଙ୍କ ମା ମଞ୍ଜୁଳା ବାରିକଙ୍କ ଲିଖିତ ଏତଲାକୁ ଆଧାର କରି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡରେ ୨୩ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିବା ଥାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

Comments are closed.