ମିଳନର ପର୍ବ ରଜ: ବର୍ଷାର ପ୍ରଥମ ଛୁଆଁ ପାଇଁ ଆକୁଳ ହୋଇ ଅପେକ୍ଷା କରିଥାଏ ମାଟି

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାର ଗଣପର୍ବ ରଜ। କୁମାର, କୁମାରୀଙ୍କ ସମେତ ଗୃହିଣୀ, କୃଷକ ଓ ବୟସ୍କ ସମସ୍ତେ ଆତୁରତାର ସହ ଅପେକ୍ଷା କରି ରହି ଥାଆନ୍ତି ଆନନ୍ଦ ଉଲ୍ଲାସର ଏହି ପର୍ବକୁ। ତେବେ କେବଳ ମଣିଷ ଜାତି ନୁହେଁ ପ୍ରକୃତି ମଧ୍ୟ ଏହି ଦିନର ପ୍ରତିକ୍ଷାରେ ଥାଏ। କାରଣ ଏହା ହେଉଛି ମିଳନର ପର୍ବ। ଦୀର୍ଘ ଦିନ ପରେ ଏହି ଦିନ ମାଟି ଓ ମୌସୁମୀର ମିଳନ ହୋଇଥାଏ। ଆଦ୍ୟ ଆଷାଢର ପ୍ରଥମ ବର୍ଷାର ଛୁଆଁ ପାଏ ଧରିତ୍‍୍ରୀ। ଋତୁମତୀ ହୋଇଥାଏ ଧରା। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ ।
ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସବୁଆଡେ ଶୀତଳତାର ବାତାବରଣ। ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏଇ ମାଟି ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ ।

ଋତୁମତୀ ସଂକେତ ବହନ କରି ଧରା ଏହି ପାଞ୍ଚ ଦିନ ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୋଇଥାଏ। ଅପର ପକ୍ଷରେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚ ଦିନ ତା ପାଇଁ ବିଶ୍ରାମର ବେଳ । ଏହି ସମୟରେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷି ପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଘରକୁ ଫେରି ଆସିଥାନ୍ତି । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ ।

ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ୟ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ୟ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାରୀର଼ ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ଏହାକୁ ରଜ ପର୍ବ ଭାବେ ପାଳନ କରାଯାଏ । ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।

Comments
Loading...