କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଗଣମାଧ୍ୟମ ଓ ସଫେଇ କର୍ମଚାରୀମାନେ ଆଗ ଧାଡିରେ ରହି ସେମାନଙ୍କର କାର୍ଯ୍ୟକୁ ସମ୍ପାଦନ କରି ଆସୁଛନ୍ତି। ଆଗ ଧାଡିରେ ଦିନରାତି କାର୍ଯ୍ୟରତ ରହି ମାନବ ଜାତିକୁ ସୁରକ୍ଷିତ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବରେ ସମ୍ବୋଧିତ କରି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଏଣୁ ସମ୍ବଲପୁର ଜିଲାର ସମସ୍ତ ଶାରିରୀକ ଶିକ୍ଷକ ସଂଘ ତଥା ଜୁନିୟର ରେଡକ୍ରସ କାଉନସେଲର, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନମାନଙ୍କ ଦ୍ୱାରା ଶୁକ୍ରବାର ଦେଶ ସେବାରେ ଲାଗିଥିବା ପୁଲିସ ଓ ଗଣମାଧ୍ୟମକର୍ମୀଙ୍କୁ ସମ୍ମାନ ଜଣାଇବା ସହିତ ଥଣ୍ଡା ପାନୀୟ, ଫଳ ଓ ବିସ୍କୁଟ ବଣ୍ଟନ କରି ସେବା ପ୍ରଦାନ କରିଛନ୍ତି। ନିଜର ଜୀବନକୁ ଉର୍ତ୍ସଗ କରି ତଥା ଘର ଓ ପରିବାରର ସ୍ୱାର୍ଥକୁ ପଛରେ ପକାଇ ଜନତାଙ୍କ ଜୀବନରକ୍ଷା ପାଇଁ ନିଷ୍ଠାପର ଓ ନିସ୍ୱାର୍ଥପର ଭାବରେ କାର୍ଯ୍ୟରତ ରହିଛନ୍ତି। ଶୁକ୍ରବାର ଏକ ସମୟରେ ସାରା ଜିଲାର ସମସ୍ତ ୯ଟି ବ୍ଲକ ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଦେଶର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାମାନଙ୍କ ପ୍ରତି ଅଶୋଭନୀୟ ଘଟଣାମାନ ଘଟିଥିବା ବେଳେ ସମ୍ବଲପୁର ଜିଲାରେ ଆୟୋଜିତ ଏହି ଉତ୍ସାହ ବର୍ଦ୍ଧକ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଏହି ଯୋଦ୍ଧା ମାନଙ୍କ ମନୋବଳକୁ ଦୃଢ଼ କରିବ ଆଶାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ବୋଲି ସଂଘ ତରଫୁର କୁହାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ସହିତ ସମସ୍ତ ଲକ ଡାଉନ ନିୟମାନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଏବଂ ଜିଲାର ସମସ୍ତ ଶାରୀରିକ ଶିକ୍ଷକ ଓ ଶିକ୍ଷୟତ୍ରୀ, ଜୁନିୟର ରେଡକ୍ରସ କାଉନସେଲର, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନମାନେ ପରିଚାଳନା କରିଥିଲେ।