ଓଡ଼ିଶାର ବିନା ନେତୃତ୍ୱରେ ଭାରତ ସମୃଦ୍ଧଶାଳୀ ହେବା ଅସମ୍ଭବ: ଧର୍ମେନ୍ଦ୍ର

ଭୁବନେଶ୍ୱର :ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ମାତ୍ର ଓଡିଶା ବିନା ନେତୃତ୍ୱରେ ପୂର୍ବ ଭାରତ ସମୃଦ୍ଧଶାଳୀ ହେବାର କଳ୍ପନା କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶୁକ୍ରବାର ଜୟଦେବ ଭବନଠାରେ ଓଡିଶାର ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପାଣି, ଜଙ୍ଗଲ ସମ୍ପଦ, କୁଶଳୀ ଓଡିଆ ଦୁଃସାହସୀ ଯୁବକ ଅଛନ୍ତି। ଏହି ଦୁଃସାହସୀ ଯୁବକ ପୂର୍ବକାଳରେ କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ। ଆଜି ଏକବିଂଶ ଶତାବ୍ଦୀରେ ଭାରତବର୍ଷର ଅର୍ଥନୀତିକୁ ନେତୃତ୍ୱ ନେବାର ଦାୟିତ୍ୱ ଓଡିଶାର ଅଛି। ତେଣୁ ଓଡିଶାକୁ ଏକ ସମୃ୍ଦ୍ଧଶାଳୀ ରାଜ୍ୟ ଭାବେ ତିଆରି କରିବା ସହ ସମସ୍ତଙ୍କୁ ଏକାଠି ହେବାକୁ ପଡିବ।
ଓଡିଶାର ସ୍ୱାର୍ଥ ତଥା ଓଡିଆ ଲୋକଙ୍କ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ଚାଇନା ପରେ ଭାରତ ଦ୍ୱିତୀୟ ଦେଶ ଭାବରେ ଅଧିକ ଉତ୍ପାଦନ କରୁଛି। ଭାରତବର୍ଷରେ ୨୦୦ ମିଲିୟନ ଟନ୍ ଲୁହା ପଥର ଉତ୍ପାଦନ ଦେଉଥିବାବେଳେ ଅଧାରୁ ଅଧିକ ଓଡିଶାରେ ଉତ୍ପାଦନ ହେଉଛି। ଏହି ଲୁହା ପଥର ଓଡିଆ ଲୋକଙ୍କ ଅର୍ଥନୀତିରେ ଲାଗୁଛି ନା ବାଟମାରଣା ହେଉଛି ତାହା ତଦନ୍ତ ସାପେକ୍ଷ। ୨୦୩୦ ସୁଦ୍ଧା ଭାରତରେ ୨୫୦ ମିଲିୟନ ମେଟ୍ରିକ ଟନ୍ ଲୁହାର ଆବଶ୍ୟକତା ହେବ। ଏଥିପାଇଁ ୩୦୦ ମିଲିୟନ ମେଟ୍ରିକ ଟନର କାରଖାନା ନିର୍ମାଣ କରିବାକୁ ହେବ। ତା’ ମଧ୍ୟରୁ ୧୦୦ ମିଲିୟନ ମେଟ୍ରିକ ଟନ୍ କାରଖାନା ଓଡିଶାରେ ହେବ। ଓଡିଶାରେ ଷ୍ଟିଲ ଆଧାରିତ ମାନୁଫ୍ୟାକ୍ଚରିଂ ହବ୍ କଳ୍ପନା ସମସ୍ତଙ୍କ ମନରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ପ୍ରାଧ୍ୟାପକ ସୂର୍ଯ୍ୟ ନାରାୟଣ ମିଶ୍ର, ଅଧ୍ୟାପକ ବିଶ୍ବରଞ୍ଜନ ପ୍ରମୁଖ ଯୋଗଦେଇ ପାଇକମାନଙ୍କ ବୀରତ୍ବର ଗାଥା ବର୍ଣ୍ଣନା କରିଥିଲେ।

Comments are closed.