୩୦% ପର୍ଯ୍ୟନ୍ତ କମିପାରେ ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି

ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି

ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍‌ଲାଇନ୍‌ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍‌ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଗୁରୁବାର ଏନେଇ ଉଭୟପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ୍‌ ଫି’ କମାଇବା ଲାଗି ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ମହାସଂଘ, ସରକାର ଓ ଶିକ୍ଷକ ସଂଘ ମଧ୍ୟରେ ଏଭଳି ସହମତି ପ୍ରକାଶ ପାଇଥିବା କୁହାଯାଉଛି।

ଆଜିର ଏହି ବୈଠକରେ ମିଳିତ ବେସରକାରୀ ସ୍କୁଲ ଆସୋସିଏସନ୍‌ର ସଭାପତି ଡ.ବଦ୍ରିନାଥ ପଟ୍ଟନାୟକ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଶିକ୍ଷକ ସଂଘ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ କରୁଣାକର ପ୍ରଧାନ, ପ୍ରହଲ୍ଲାଦ ରାଉତ ପ୍ରମୁଖ ବୈଠକରେ ଭାଗ ନେଇଥିଲେ। ବୈଠକରେ ଫି ଛାଡ଼ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେତେ ପ୍ରତିଶତ ଫି ଛାଡ଼ କରାଯିବ ସେନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। କୋର୍ଟରେ ମାମଲା ବିଚାରଧୀନ ଥିବାରୁ ଏନେଇ କେହି ମତପୋଷଣ କରିନାହାନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ ୩୦ % ପର୍ଯ୍ୟନ୍ତ ଟିଉସନ୍‌ ଫି ସହ ଅନ୍ୟ ଆନୁସଙ୍ଗିକ ଫି ଛାଡ଼ ହୋଇପାରେ। ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ଆସନ୍ତା ୧୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫି ଛାଡ଼ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକ କରୋନା ସମୟରେ ଫି ଛାଡ଼ କରିବା ଦାବି ନେଇ ଅଭିଭାବକ ମହାସଂଘ ସହ ଅନ୍ୟ ବ୍ୟକ୍ତି ମଧ୍ୟ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି କରି ସମସ୍ତ ପିଟିସନର ଆପୋଷ ବୁଝାମଣା କରି କୋର୍ଟକୁ ଅବଗତ କରିବା ପାଇଁ କହିଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ଶ୍ରୀ ଭଟ୍ଟ କହିଛନ୍ତି ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ବୈଠକ ସଫଳ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Comments are closed.