ଶିଳାନ୍ୟାସ ଓ ଜମି କିଣାରେ ଅଟକି ରହିଛି ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଭାଗ୍ୟ !

ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ କେବଳ ଘେଷଣାରେ ସିମୀତ

ସାକ୍ଷୀଗୋପାଳ : ସ୍ୱାଧୀନତାର ୭୩ ବର୍ଷ ପର୍ଯ୍ୟନ୍ତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଓ ଉତ୍କଳମଣିଙ୍କ ଐତିହାସିକ ବକୁଳବନ ପରିସରରେ ପ୍ରତିଷ୍ଠିତ ମଣିଷ ଗଢ଼ା କାରଖାନା ଐତିହାସିକ ବନବିଦ୍ୟାଳୟ କେବଳ ସ୍ମୃତିରେ ରହିଥିଲା। କର୍ପୁର ଉଡିଯାଇଥିଲା କେବଳ କନା ପଡିରହିଥିଲା। ଏହି ଐତିହାସିକ ସ୍ଥାନ ପରିଦର୍ଶନରେ ଆସୁଥିବା ଐତିହାସିକ, ଗବେଷକ, କବି, ଲେଖକ, ଦାର୍ଶନିକ ଓ ପରିଦର୍ଶକ ମାନେ ଏହି ସ୍ଥାନ ଦ୍ଵୟର ଦୂରାବସ୍ଥା ଓ ଅବହେଳାକୁ ଦେଖି ମ୍ରିୟମାଣ ହୋଇପଡୁଥିଲେ।
ଦୀର୍ଘ ଦିନ ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉଦ୍ୟମ ଫଳରେ ରାଜ୍ୟ ସରକାର ଏହି ଐତିହାସିକ ସ୍ଥାନ ଦ୍ଵୟର ସ୍ମୃତି ରକ୍ଷା ଓ ଉନ୍ନୟନ ନିମନ୍ତେ ଦୃଷ୍ଟି ଦେଇଛନ୍ତି। ଐତିହାସିକ  ବକୁଳ ବନ ପରିସରରେ  ବନ ବିଦ୍ୟାଳୟ ସ୍ଥାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ୨୦୧୮ ମସିହାରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୧୧.୫୬ କୋଟି ଟଙ୍କା ବ୍ୟୟରେ ୯.୬୦ ଏକର ଜମି କ୍ରୟ କରିଛନ୍ତି। ସେହି ବର୍ଷ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ୱ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିଥିଲେ। ବିଶ୍ୱ ବିଦ୍ୟାଳୟର ଗୃହ ନିର୍ମାଣ ନିମନ୍ତେ ଅନୁଦାନ ମଧ୍ୟ ଆସିଛି।
ସେହିପରି ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ, ଉନ୍ନୟନ, ପାଠାଗାର ସ୍ଥାପନ ଓ ଗବେଷଣାଗାର ଆଦି ପ୍ରତିଷ୍ଠା ନିମନ୍ତେ ୧୧.୫ କୋଟି ଟଙ୍କା ଅନୁଦାନ ଆସିଛି। ମାତ୍ର ଉଭୟ କାର୍ଯ୍ୟ କେବଳ ଘୋଷଣା, ଅନୁଦାନ ପ୍ରଦାନ, ଶିଳାନ୍ୟାସ ଓ ଜମି କିଣାରେ ଅଟକି ରହିଅଛି।
ଶୁକ୍ରବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୨ ତମ ଜୟନ୍ତୀ ଅବସରରେ ଉଭୟ ସ୍ମୃତିପୀଠର ବିକାଶ ଓ ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଗଲେ ତାହା ଉତ୍କଳମଣିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଓ ସତ୍ୟବାଦୀବାସୀ ମଧ୍ୟ ଆନନ୍ଦିତ ହେବେ।

Comments are closed.