କରୋନା ପରେ କ୍ରିକେଟ୍ କିପରି ହେବ ଜଣାନାହିଁ

ନୂଆଦିଲ୍ଲୀ : ସାରାବିଶ୍ୱ ଏବେ ମହାମାରୀ କରୋନାର କବଳରେ। ଏପରି ସମୟରେ କିଛି ମାସର ଲକ୍ଡାଉନ୍ ପରେ ବ୍ୟାବସାୟିକ ଓ ଅନ୍ୟ କାର୍ଯ୍ୟକଳାପ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସମସ୍ତେ ଜାଣିଛନ୍ତି ଯେ କରୋନା ଏତେ ଶୀଘ୍ର ବିଶ୍ୱକୁ ଛାଡ଼ି ଯିବନାହିଁ। ତେଣୁ କରୋନା ସହ ବଞ୍ଚିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଗଲେଣି। ସାରାବିଶ୍ୱରେ କରୋନା କାୟାବିସ୍ତାର କରିଥିବା ବେଳେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିବାକୁ ଆୟୋଜକ ପ୍ରସ୍ତୁତ ହୋଇଗଲେଣି। କିଛିମାସ ମଧ୍ୟରେ ଆନ୍ତର୍ଜାତିକ କ୍ରିକେଟ୍ ମଧ୍ୟ ଆରମ୍ଭ ହୋଇଯିବ ବୋଲି ଆଲୋଚନା ହେଉଛି। ତେବେ କରୋନା ପରବର୍ତ୍ତୀ ସମୟରେ କ୍ରିକେଟ୍ରେ ପରିବର୍ତ୍ତନ ଆସିବ ନା ଏହା ପୂର୍ବପରି ରହିବ; ତାହାକୁ ନେଇ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସନ୍ଦିହାନ ।
ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମରେ ଭାରତୀୟ ଦଳର ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ସିଧା ଆଲୋଚନା ବେଳେ କୋହଲିଙ୍କୁ ଅଶ୍ୱିନ ପଚାରିଥିଲେ ଯେ କରୋନା ପରବର୍ତ୍ତୀ ସମୟରେ କ୍ରିକେଟ ଆରମ୍ଭହେଲେ ଏହି ଖେଳରେ କ’ଣ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଆଶା ରଖିଛନ୍ତି? ଏହାର ଜବାବରେ କୋହଲି କହିଥିଲେ, କ୍ରିକେଟ୍ରେ ବହୁତ ପରିବର୍ତ୍ତନ ହେବ। ସତକଥା କହିଲେ କ’ଣ ହେବ; ତାହା ମୁଁ ଜାଣିନାହିଁ। ଏପରିକି ଅଭ୍ୟାସ ବେଳେ ଆମେ ପରସ୍ପରକୁ ସ୍ପର୍ଶ କରିଥାଉ; ହାତ ମିଳାଇଥାଉ। ହେଲେ ଏବେ ତୁମେ ଏହା କରିପାରିବ ନାହିଁ। ବହୁତ ଦିନ ପରେ ତୁମର ଜଣେ ଅନ୍ତରଙ୍ଗଙ୍କୁ ଭେଟିବ ଏବଂ ଦୂରରେ ରହି ତାଙ୍କୁ ହାତଯୋଡ଼ି ନମସ୍କାର କରିବ। ଏହା ଆମକୁ ଚକିତ କରିପାରେ। ହେଲେ ବର୍ତ୍ତମାନ ପାଇଁ ଏହା ରହିବ। କରୋନା ସମ୍ପୂର୍ଣ୍ଣ ଭାବେ ବିଶ୍ୱରୁ ଚାଲିଗଲେ କିମ୍ବା ଏହାର ପ୍ରତିଷେଧକ ବାହାରିଲେ ପୁଣି ଆମେ ପୂର୍ବାବସ୍ଥାକୁ ଫେରିପାରୁ। ଏହା କହିବା ସହ କୋହଲି କହିଛନ୍ତି ଯେ କ୍ରିକେଟ୍ରେ ନୂଆ ନିୟମାବଳୀ ସହ ଖାପ୍ ଖୁଆଇବା ଖେଳାଳିଙ୍କ ପାଇଁ କଷ୍ଟକର ହେବନାହିଁ। ତାଙ୍କ ଭାଷାରେ, ବେଳେବେଳେ ଆମ ଜୀବନରେ କିଛି ପରିବର୍ତ୍ତନ ଆସେ। ଆମକୁ ଏହା ଅଜବ ଲାଗୁଥିଲେ ହେଁ କିଛିଦିନରେ ଆମେ ଏହା ସହ ଅଭ୍ୟସ୍ତ ହୋଇଯାଉ। ମେ’ ୨୨ରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) କରୋନା ପରବର୍ତ୍ତୀ ସମୟରେ କ୍ରିକେଟ୍କୁ ଫେରିବା ପାଇଁ କିଛି ନିର୍ଦେଶାବଳୀ ଜାରି କରିଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ କ୍ରିକେଟରମାନେ ଅଭ୍ୟାସ କରିବା ବେଳେ ସେମାନଙ୍କ ସହ ଜଣେ ଡାକ୍ତର କିମ୍ବା ଜୈବ ନିରାପତ୍ତା ଅଧିକାରୀ ରହିବା ଜରୁରୀ। ଏମାନେ ଆଇସିସି ଓ ସରକାରଙ୍କ ନିର୍ଦେଶାବଳୀ ପାଳନ କରାଯିବା ନିଶ୍ଚିତ କରିବେ। କ୍ରିକେଟ୍ ପଡ଼ିଆରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି ଆଇସିସି। ବିଶେଷକରି ବଲ୍କୁ ସ୍ପର୍ଶକରିବା ପରେ ହାତକୁ ସାନିଟାଇଜ୍ କରିବା, ମୁହଁ, ନାକ, ପାଟିରେ ହାତ ନ ମାରିବା, ବଲ୍ରେ ପାଟିର ଲାଳ ନ ଲଗାଇବା ଉପରେ ଆଇସିସି ଗୁରୁତ୍ୱ ଦେଇଛି। କରୋନା ସଂକ୍ରମଣ ଯୋଗୁଁ ସାରାବିଶ୍ୱରେ କ୍ରିକେଟ୍ କାର୍ଯ୍ୟକଳାପ ମାର୍ଚ୍ଚରୁ ବନ୍ଦରହିଛି। ହେଲେ ଜୁଲାଇରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବା ସହ ଆନ୍ତର୍ଜାତିକ କ୍ରିକେଟ୍ ଆରମ୍ଭ ହୋଇପାରେ। ଉଭୟ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଜୈବ ନିରାପତ୍ତା ବଜାୟରଖି ଏହି ସିରିଜ୍ ଖେଳିବାକୁ ରାଜି ହୋଇଛନ୍ତି।