ଛୁଞ୍ଚିକୁ ଡର: ନିଡ୍‌ଲ ଫୋବିୟା

ଅନେକ ଲୋକ ଯେକୌଣସି ଛୁଞ୍ଚିକୁ ଦେଖିବା ମାତ୍ରେ ଭାରିି ଭୟଭୀତ ହୋଇପଡନ୍ତି। ଛୋଟପିଲାମାନେ ଛୁଞ୍ଚିର କଷ୍ଟକୁ ଡରିବା ତ ସ୍ୱାଭାବିକ, ତେବେ ବଡଲୋକମାନେ ବି ଇଞ୍ଜେକ୍‍ସନକୁ ମାତ୍ରାଧିକ ଭୟ କରିବା ଏକ ସ୍ୱାସ୍ଥ୍ୟଗତ ଅସ୍ୱାଭାବିକତା ବୋଲି କୁହାଯାଇପାରେ। ପ୍ରକୃତ କଥା ହେଉଛି ଏହା ଏକପ୍ରକାର ଫୋବିୟା। ଏହାକୁ ଚିକିତ୍ସା ବିଜ୍ଞାନରେ ନିଡ୍‍ଲ ଫୋବିୟା ବା ଟ୍ରାଇପାନୋଫୋବିୟା ବୋଲି କୁହାଯାଇଛି। ଏବେ କରୋନା ଟିକା ଦିଆଯାଉଥିବାରୁ ଦେଶବିଦେଶରେ ଏପରି ଘଟଣା ବହୁସ୍ଥାନରେ ସାମ୍‌ନାକୁ ଆସୁଛି। ତେବେ କେବଳ କରୋନା ଟିକା ନୁହେଁ, ଏହି ଫୋବିୟାରେ ଆକ୍ରାନ୍ତ ବ୍ୟକ୍ତି ସ୍ୱାଭାବିକ ଭାବେ ଯେକୌଣସି ଇଞ୍ଜେକ୍ସନ ଏବଂ ତା’ର ଛୁଞ୍ଚି ଦେଖିବାମାତ୍ରେ ଭୟଭୀତ ହୋଇପଡନ୍ତି। ଦରକାର ସମୟରେ ବହୁତ କଷ୍ଟରେ ତାଙ୍କୁ ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ।

ଏପରି ଫୋବିୟାରୁ ବର୍ତ୍ତିବା ଲାଗି ଅନେକ କ୍ଷେତ୍ରରେ ଲୋକେ ନିଜସ୍ୱ ଉପାୟ ଗ୍ରହଣ କରିଥାନ୍ତି। କେତେଜଣ ଏହାକୁ ନିଜେ ଦୂରେଇ ପାରୁଥିବା ବେଳେ ଆଉ କେତେଜଣ ଏହି ଭୟ ସହିତ ଜୀବନ ଜିଇପାରୁଛନ୍ତି। ରୋଗୀ ଯଦି ଏହି କାରଣରୁ ଅବସାଦଗ୍ରସ୍ତ ହୋଇଯାଉଥାନ୍ତି, ତେବେ ସେମାନଙ୍କୁ ଔଷଧ ଦ୍ୱାରା ଚିକିତ୍ସା କରିବାକୁ ହୋଇଥାଏ। ନଚେତ ଧ୍ୟାନ ଏବଂ ପ୍ରାଣାୟାମ ଦ୍ୱାରା ଶରୀର ଓ ମସ୍ତିଷ୍କକୁ ଶାନ୍ତ ରଖି ଏଥିରୁ ମୁକ୍ତି ପାଇବା ଲାଗି ଡାକ୍ତର ପରାମର୍ଶ ଦିଅନ୍ତି। କାରଣ, ଅନେକ କ୍ଷେତ୍ରରେ ନିଡ୍‍ଲ ଫୋବିୟା ପ୍ୟାନିକ୍‍ ଆଟାକ୍‍ର କାରଣ ପାଲଟେ ଯାହା ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ପ୍ରାଥମିକ ସ୍ତରରେ କାଉନ୍‍ସେଲିଂ ସହ ଥେରାପି ଦ୍ୱାରା ସେମାନଙ୍କ ମନରୁ ଭୟ ଦୂର କରିବାର ଚେଷ୍ଟା କରାଯାଇଥାଏ। ସରଳ ସୂତ୍ର ଅନୁସାରେ, ଯଦି ଛୁଞ୍ଚି ଦେଖିଲେ ଡର ଲାଗୁଛି, ଇଞ୍ଜେକ୍‌ସନ ନେବା ସମୟରେ ଛୁଞ୍ଚି ଆଡ଼କୁ ଦେଖନ୍ତୁ ନାହିଁ। କୌଣସି ବନ୍ଧୁଙ୍କ ସହ ଯାଆନ୍ତୁ ଏବଂ ଇଞ୍ଜେକ୍‌ସନ ନେବା ବେଳେ କଥାବାର୍ତ୍ତା ଜାରି ରଖନ୍ତୁ। ଛୁଞ୍ଚି ଅପେକ୍ଷା ଇଞ୍ଜେକ୍‌ସନ ବା ଟିକାର ଉପକାରିତା କଥା ଚିନ୍ତା କଲେ ବି ଛୁଞ୍ଚି ପ୍ରତି ଭୟ ଅନେକ ମାତ୍ରାରେ କମିଯାଇଥାଏ। ତେବେ କୌଣସି କ୍ଷେତ୍ରରେ ସମସ୍ୟା ଜଟିଳ ହେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

କେବଳ ଛୁଞ୍ଚି ନୁହେଁ, ବହୁ ଅସ୍ବାଭାବିକ ଭୟ ମଣିଷକୁ ବିଭିନ୍ନ ଫୋବିୟାରେ ଆକ୍ରାନ୍ତ କରିଥାଏ। କୌଣସି ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟକୁ ଆଗୋରା ଫୋବିୟା କୁହାଯାଉଥିବା ବେଳେ ଜଣେ ଅନ୍ୟଲୋକଙ୍କ ସହ ମିଶିବା କିମ୍ବା କାର୍ଯ୍ୟ କରିବାର ଭୟ ସୋସିଆଲ ଫୋବିୟା ହୋଇଥାଏ। ଉଚ୍ଚ ସ୍ଥାନ ବା ଛାତ ଉପରକୁ ଯିବାର ଭୟକୁ ଆକ୍ରୋଫୋବିୟା, ପଶୁମାନଙ୍କୁ ଦେଖିଲେ ଭୟ କରିବାକୁ ଜୁଫୋବିୟା, ଅପରିଚିତ ଲୋକଙ୍କୁ ଦେଖିଲେ ଭୟ କରିବାକୁ ଜେନୋଫୋବିୟା, ନିଜର ପୀଡା ବା ଦରଜ ସହ ଇଞ୍ଜେକ୍ସନ ଦେଖିଲେ ଡରିବାକୁ ଆଲଗୋଫୋବିୟା, କୌଣସି ସଂକୀର୍ଣ୍ଣ ଜାଗା ବା ସରୁ ଗଳି ଭିତରକୁ ଯିବାର ଭୟକୁ କ୍ଲଷ୍ଟ୍ରୋଫୋବିୟା, ଉଡାଜାହାଜ ବା ଲିଫ୍ଟ ଭିତରକୁ ଯିବା ପାଇଁ ଡର ଲାଗିଲେ ଏହାକୁ ସିଚୁଏସନାଲଫୋବିୟା ଆଦି କୁହାଯାଇଥାଏ। ଏପରିକି ପ୍ରତିଶ୍ରୁତି ରକ୍ଷା କରିନପାରିବା ଭୟରେ ରହୁଥିବା ବ୍ୟକ୍ତି କମିଟମେଣ୍ଟ ଫୋବିୟାରେ ଆକ୍ରାନ୍ତ ବୋଲି ଜଣାଯାଏ।

ବିଭିନ୍ନ ଫୋବିୟା ମୁଖ୍ୟତଃ ସେରୋଟୋନିନ୍‍, ଗାବା, ଆଡ୍ରେନାଲିନ୍‍, ଡୋପାମିନ ଆଦି ନ୍ୟୁରୋଟ୍ରାନ୍ସମିଟର ବିଶୃଙ୍ଖଳତା ଯୋଗୁଁ ହୋଇଥାଏ। ନ୍ୟୁରୋଟ୍ରାନ୍ସମିଟର ଏକ ରାସାୟନିକ ଦ୍ରବ୍ୟ, ଯାହା ସ୍ନାୟୁଗୁଡିକ ମଧ୍ୟରେ ପ୍ରେରକ ଭାବେ କାର୍ଯ୍ୟ କରେ। ଫୋବିୟା ବାସ୍ତବିକ ଏକ ଜନ୍ମଗତ ରୋଗ ନୁହେଁ, ତେବେ ଅନେକ କ୍ଷେତ୍ରରେ ପରିସ୍ଥିତିର ଅନୁଭୂତି ଭୟର କାରଣ ହୋଇଥାଏ। ଏହାକୁ ରୋଗ ବୋଲି ଭାବି ଠିକ୍‌ ସମୟରେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ ତୁରନ୍ତ ଉପଶମ ମିଳିଥାଏ।

( ଡା. ସମ୍ରାଟ କର, ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟରୋଡ, କଟକ
ମୋ:୯୧୩୨୪୩୩୩୩୩)

Comments
Loading...